ଓଡ଼ିଶାରେ ବଢ଼ୁଛି କରୋନା ସଂକ୍ରମଣ, ଦିନକରେ ଖୋର୍ଦ୍ଧାରୁ ବାହାରିଲେ ୮୨୦ ପଜିଟିଭ୍‌

  • ଚିନ୍ତା ବଢ଼ାଇଲା ଖୋର୍ଦ୍ଧା
  • ଦିନକରେ ଖୋର୍ଦ୍ଧାରୁ ସର୍ବାଧିକ ୮୨୦ ଆକ୍ରାନ୍ତ ଚିହ୍ନଟ
  • ୨୪ ଘଣ୍ଟାରେ ରାଜ୍ୟରେ ୪,୭୬୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ଓ ୫ ଜଣଙ୍କ ମୃତ୍ୟୁ
  • ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୨,୭୮୫ ଓ ଲୋକାଲ୍‌ କଣ୍ଟାକ୍ଟସ୍ ୧,୯୭୬ ରହିଛି
  • ୧,୯୫୩ରେ ପହଞ୍ଚିଲା କରୋନା ଜନିତ ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ଚିନ୍ତା ବଢ଼ାଇଲା ଖୋର୍ଦ୍ଧା। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଖୋର୍ଦ୍ଧାରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୭୬୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୮୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୬୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ନୂଆପଡ଼ାରୁ ୩, କେନ୍ଦୁଝର ଓ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୫୩ରେ ପହଞ୍ଚିଛି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୨,୭୮୫ ଓ ଲୋକାଲ୍‌ କଣ୍ଟାକ୍ଟସ୍ ୧,୯୭୬ ରହିଛି।‌ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୭,୪୬୪ରେ ରହିଛି। ଆକ୍ଟିଭ୍‌ କେସ୍‌-୨୭,୮୨୧ ଥିବାବେଳେ ୩,୪୭,୬୩୭ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ରାଜ୍ୟରେ ୪,୪୪୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୨,୫୭୪ ଏବଂ ଲୋକାଲ କଣ୍ଟାକ୍ଟ ରହିଛି ୧,୮୭୧। ସର୍ବାଧିକ ରୋଗୀ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଥିଲେ। ଗତକାଲି ସୁନ୍ଦରଗଡ଼ରୁ ସର୍ବାଧିକ ୭୨୨ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ବାହାରିଥିଲେ ୫୮୭।

ସାରା ରାଜ୍ୟରେ ଶନିବାର ଓ ରବିବାର ସଟ୍‌ଡାଉନ୍‌ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାର ସହରାଞ୍ଚଳରେ ଏହି ନିୟମ ଲାଗୁ ହେବ। ସପ୍ତାହାନ୍ତ ସଟ୍‌ଡାଉନ୍‌ ଏପ୍ରିଲ ୨୪ରୁ ଲାଗୁ ହେବ ବୋଲି SRC କହିଛନ୍ତି।

ରାଜ୍ୟରେ କରୋନା ସ୍ଥିତିକୁ ନେଇ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ‘ଆଗକୁ ବଢ଼ିପାରେ କରୋନା ସଂକ୍ରମଣ। ତେବେ ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟରେ ଏବେ ସ୍ଥିତି ଭଲ ଅଛି। କିନ୍ତୁ ସତର୍କ ନ ରହିଲେ ଆଗକୁ ଆହୁରି ସ୍ଥିତି ବିଗିଡି ଯିବ।’

You might also like