ଚିନ୍ତା ବଢ଼ାଇଲା ଖୋର୍ଦ୍ଧା, ଦିନକରେ ବାହାରିଲେ ୭୦୪ କରୋନା ପଜିଟିଭ୍‌

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଯେଉଁଭଳି ଭାବରେ ବୃଦ୍ଧି ପାଉଛି, ତାକୁ ନେଇ ଚିନ୍ତା ବଢ଼ିଛି। ସୁନ୍ଦରଗଡ଼ ପରେ ଏବେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୩,୧୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୬୬୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୭୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରୁ ଜଣେ ଲେଖା, ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୪୪ରେ ପହଞ୍ଚିଛି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୨,୧୨୭ ଓ ଲୋକାଲ୍‌ କଣ୍ଟାକ୍ଟସ୍ ୧,୫୩୭ ରହିଛି।‌ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୬୮,୨୫୮ରେ ରହିଛି। ଆକ୍ଟିଭ୍‌ କେସ୍‌-୨୧,୪୩୬ ଥିବାବେଳେ ୩,୪୪,୮୨୫ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ରାଜ୍ୟରୁ ୩,୧୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୧,୮୨୩ କ୍ୱାରେଣ୍ଟିନରେ ଥିବାବେଳେ ୧,୩୨୧ ଲୋକାଲ କଣ୍ଟାକ୍ଟ ରହିଛି। ଗତକାଲି ସୁନ୍ଦରଗଡ଼ରେ ସର୍ବାଧିକ ୫୨୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ବାହାରିଥିଲେ ୪୯୭।

ଛତିଶଗଡ ସୀମାବର୍ତ୍ତୀ ୧୦ ଜିଲ୍ଲାର ସହରାଞ୍ଚଳର ସପ୍ତାହାନ୍ତ ସଟ୍‌ଡାଉନ୍‌ର ଆଜି ଦ୍ୱିତୀୟ ଦିନ। ଗତକାଲି ପ୍ରଥମ ଦିନରେ ସୀମାନ୍ତବର୍ତ୍ତୀ ୧୦ ଜିଲ୍ଲାର ସହରାଞ୍ଚଳରେ ଦୋକାନବଜାର, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିଥିଲା। ଛତିଶଗଡ଼ରେ କରୋନା ସଂକ୍ରମଣ ବିସ୍ଫୋରକ ରୂପ ଧାରଣ କରିବା ପରେ ଓଡ଼ିଶା ସୀମାନ୍ତବର୍ତ୍ତୀ ଜିଲ୍ଲାରେ ମଧ୍ୟ ଦ୍ରୁତ ଗତିରେ କାୟା ମେଲାଉଛି କରୋନା। ତେଣୁ ସଂକ୍ରମଣ ଚେନ୍‌କୁ ଭାଙ୍ଗିବାକୁ ରାଜ୍ୟ ସରକାର ଏଭଳି କଠୋର ପଦକ୍ଷେପ ନେଇଛନ୍ତି। କେବଳ ସେତିକି ନୁହେଁ ଏହି ୧୦ ଜିଲ୍ଲାରେ ବି ନାଇଟ୍ କର୍ଫ୍ୟୁ ସମୟରେ ପରିବର୍ତ୍ତନ ହୋଇଛି। ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କଟକଣା ଜାରି ହୋଇଛି।

ଅନ୍ୟପକ୍ଷେ, କଟକ, ଭୁବନେଶ୍ୱର ସମେତ ୨୦ ଜିଲ୍ଲାର ସହାରାଞ୍ଚଳରେ ଗତକାଲି ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗିଥିଲା ନାଇଟ୍ କର୍ଫ୍ୟୁ। ନାଇଟ୍ କର୍ଫ୍ୟୁ ସମୟରେ କଟକ, ଭୁବନେଶ୍ୱରରେ ୧୪୪ ଧାରା ଜାରି କରାଯାଇଥିଲା। ନାଇଟ୍ କର୍ଫ୍ୟୁ ସମୟ ଅର୍ଥାତ୍‌ ରାତି ୯ଟାରୁ ସକାଳ ୫ଟା ଯାଏ ୧୪୪ ଧାରା ଲାଗୁ ହୋଇଥିଲା। ୨୦ ଜିଲ୍ଲାର ସହାରାଞ୍ଚଳରେ କାଲିଠାରୁ ଆରମ୍ଭ ହୋଇଥିବା ନାଇଟ୍ କର୍ଫ୍ୟୁ ପ୍ରତ୍ୟେକ ଦିନ ରାତି ୯ଟାରୁ ସକାଳ ୫ଟା ପଯର୍ୟନ୍ତ ଲାଗୁ ହେବ।

You might also like