• translate
Rajalaxmi Sahoo

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩୦୮୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୦୬୩ରେ ପହଞ୍ଚିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୧୭୭୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ସ ୧୩୧୨ ରହିଛି।

କଟକ ଓ ଖୋର୍ଦ୍ଧାରେ ସଂକ୍ରମଣ ଥମିବାରେ ନାଁ ଧରୁନି। ଲଗାତାର ଭାବେ ଏହି ୨ ଜିଲ୍ଲାରୁ ୪୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୬୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ୨ଟି ଜିଲ୍ଲାରେ ସଂକ୍ରମଣ କେତେବେଳେ କମୁଛି ତ ଆଉ କେତେବେଳେ ବୃଦ୍ଧି ପାଉଛି। ଯାହାକୁ ନେଇ ଚିନ୍ତା ବଢ଼ିଛି।

ଆଜି ଚିହ୍ନଟ ହୋଇଥିବା ୩୦୮୭ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୭୮, ବାଲେଶ୍ୱରରୁ ୨୪୬, ବରଗଡ଼ରୁ ୩୬, ଭଦ୍ରକରୁ ୧୪୫, ବଲାଙ୍ଗିରରୁ ୨୧, ବୌଦ୍ଧରୁ ୩୫, କଟକରୁ ୪୬୨, ଦେବଗଡ଼ରୁ ୩, ଢେଙ୍କାନାଳରୁ ୯୫, ଗଜପତିରୁ ୧୬, ଗଞ୍ଜାମରୁ ୨୨, ଜଗତସିଂହପୁରରୁ ୬୦, ଯାଜପୁରରୁ ୨୦୫, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୧୭, କନ୍ଧମାଳରୁ ୨୮ କେନ୍ଦ୍ରାପଡ଼ାରୁ ୭୦, କେନ୍ଦୁଝରରୁ ୭୨, ଖୋର୍ଦ୍ଧାରୁ ୫୮୪, କୋରାପୁଟରୁ ୭୭, ମାଲକାନଗିରିରୁ ୮୪, ମୟୂରଭଞ୍ଜରୁ ୧୫୪, ନବରଙ୍ଗପୁରରୁ ୩୫, ନୟାଗଡ଼ରୁ ୧୧୦, ନୂଆପଡ଼ାରୁ ୬, ପୁରୀରୁ ୧୮୯, ରାୟଗଡ଼ାରୁ ୨୧, ସମ୍ବଲପୁରରୁ ୩୧, ସୋନପୁରରୁ ୨୪, ସୁନ୍ଦରଗଡ଼ରୁ ୫୯ ଓ ଷ୍ଟେଟ୍‌ ପୁଲ୍‌ରୁ ୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୧୨,୮୮୭ରେ ପହଞ୍ଚି ଥିବାବେଳେ ୮,୭୭,୫୪୦ ଜଣ ସୁସ୍ଥ ହୋଇଛନ୍ତି। ତେବେ ଆକ୍ଟିଭ୍‌ କେସ୍‌-୩୧,୨୩୧ରହିଛି। ଗତକାଲି ରାଜ୍ୟରେ ୩,୩୭୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା

ଅନ୍ୟପକ୍ଷେ, ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ କଟକଣା ଅବଧିକୁ ବଢ଼ା ଯାଇଥିବା ବେଳେ ଆଜିଠୁ ନୂଆ ନିୟମ ଲାଗୁ ହୋଇଛି। ୫ ପ୍ରତିଶତରୁ କମ୍ ପଜିଟିଭିଟି ରେଟ୍ ଥିବା ଜିଲ୍ଲା ଗୁଡ଼ିକୁ ପୂର୍ବ ଭଳି କାଟାଗୋରୀ-‘A’ରେ ରଖାଯାଇଛି। ଏହି କାଟାଗୋରୀରେ ଆଉ ୩ ଜିଲ୍ଲା ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ସାମିଲ ପରେ ମୋଟ୍ ଜିଲ୍ଲା ସଂଖ୍ୟା ୨୦ରେ ପହଞ୍ଚିଛି। ବାକି ୧୦ ଜିଲ୍ଲା କାଟାଗୋରୀ ‘B’ରେ ରହିଛି।

Other Stories