ଓଡ଼ିଶାରେ ପୁଣି ବଢ଼ିଲା କରୋନା ମୃତ୍ୟୁ ସଂଖ୍ୟା, ଦିନକରେ ୧୯ ଆକ୍ରାନ୍ତ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ରାଜ୍ୟରେ ପୁଣି ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୫୧କୁ ବୃଦ୍ଧି ପାଇଛି। ଦିନକର ବ୍ୟବଧାନ ପରେ ପୁଣି ମୃତ୍ୟୁ ସଂଖ୍ୟା ବଢିଛି। ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏ, ବାଲେଶ୍ୱର, ବରଗଡ଼ ଓ ବଲାଙ୍ଗିର, ବୌଦ୍ଧ, ଗଞ୍ଜାମ, କନ୍ଧମାଳ ଓ ଜଗତସିଂହପୁର, ଖୋର୍ଦ୍ଧା, ମାଲକାନଗିରି, ନୂଆପଡ଼ା,ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗତକାଲି ରାଜ୍ୟରେ ୧୭ ଜଣଙ୍କ ମୁଣ୍ଡ ନେଇଥିଲା କରୋନା।

ଅନ୍ୟପକ୍ଷେ, ରାଜ୍ୟରେ ପୁଣି ୧୦ ହଜାର ଉପରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୬୪୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୫୫୭ ଜଣ ଚିହ୍ନଟ ହୋଇଥିବାବେଳେ କଟକ ଦ୍ୱିତୀୟ ସ୍ଥାନରେ ରହିଛି। କଟକ ଜିଲ୍ଲାରୁ ୯୩୦ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତୃତୀୟ ସ୍ଥାନରେ ସୁନ୍ଦରଗଡ଼ ଜିଲ୍ଲାରୁ ୭୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେପଟେ ଗଞ୍ଜାମରେ ଟେଷ୍ଟିଂ ବଢ଼ାଇବାକୁ ମୋବାଇଲ୍ ଟେଷ୍ଟିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ବ୍ରହ୍ମପୁର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୋଭିଡ୍ ଟେଷ୍ଟିଂ ଭ୍ୟାନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଲୋକେ ହସ୍ପିଟାଲ୍କୁ ନଆସି ମୋବାଇଲ୍ ଟେଷ୍ଟିଂ ଭ୍ୟାନ୍‌ରେ କରୋନା ଟେଷ୍ଟ କରାଇପାରିବେ। ଗଞ୍ଜାମ ଜିଲ୍ଲାର ପ୍ରତି ବ୍ଲକରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପଖଣ୍ଡ ମେଡିକାଲରେ ଅକ୍ସିଜେନ୍ ବ୍ୟବସ୍ଥା ରହିଛି। ଜିଲ୍ଲାର ୨୮ଟି ଗୋଷ୍ଠୀ ଓ ୪ଟି ଉପଖଣ୍ଡ ସ୍ତରୀୟ ହସ୍ପିଟାଲରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ହୋଇଛି। ତେଣୁ ଲୋକେ ସିଧାସଳଖ ଏମ୍‌କେସିଜି ମେଡିକାଲ୍‌କୁ ନଆସି ନିଜ ବ୍ଲକ ଓ ଉପଖଣ୍ଡ ହସ୍ପିଟାଲ୍‌କୁ ଯାଇପାରିବେ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି।

ରାଜ୍ୟରେ ୫ ଜଣ କରୋନା ଟେଷ୍ଟ୍‌ କରାଇଲେ ସେମାନଙ୍କ ମଧ୍ୟରୁ ଜଣେ ପଜିଟିଭ ଚିହ୍ନଟ ହେଉଛନ୍ତି। ଖୋର୍ଦ୍ଧା, ସୁନ୍ଦରଗଡ଼ ସମେତ ୮ଟି ଜିଲ୍ଲାରେ ତ ସ୍ଥିତି ଉଦ୍‌ବେଗଜନକ ରହିଛି। ଏସବୁ ଦୃଷ୍ଟିରୁ ଆଗକୁ ପ୍ରତିଦିନ ୬୦ ହଜାର ଟେଷ୍ଟିଂ ପାଇଁ ଲକ୍ଷ୍ୟ ରଖିବା ସହ ଏବେଠୁ ତୃତୀୟ ଲହରକୁ ନେଇ ସତର୍କ ରହିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

ଭୟ କଲେ କରୋନା ବଢ଼ିବ ବରଂ କମିବ ନାହିଁ। କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ଯେତେ ଡ଼ରିବେ ସେତେ ରୋଗ ବଢିବ ଓ ଅଧିକ ଆକ୍ରାନ୍ତ କରିବ। କେବଳ ଏତିକି ନୁହେଁ ବରଂ ଭୟ ବଢିଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିବ। ଆଉ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେଲେ କରୋନା ଅଧିକ ଆକ୍ରାମକ ହୁଏ ବୋଲି ମାନସିକ ରୋଗ ବିଶେଷଜ୍ଞ ସାରଦା ସ୍ୱାଇଁ କହିଛନ୍ତି।

You might also like