ଗାନ୍ଧିଙ୍କ ସ୍ମୃତିରେ କଟକ ସହରରେ ବାହାରିଲା ପଦଯାତ୍ରା

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଓଡ଼ିଶା ଆଗମନକୁ ଆଜି ପୁରିଛି ଶହେ ବର୍ଷ । କଟକ କାଠଯୋଡ଼ି ପଠାରେ ଆଜିର ଦିନରେ ସଭା କରିଥିଲେ ବାପୁ ।  ୧୯୨୧ ମସିହା ମାର୍ଚ୍ଚ ୨୧ରେ ମହାତ୍ମା ଯେତେବେଳେ କଟକ ଷ୍ଟେସନ୍‌ରେ ଓହ୍ଲାଇଥିଲେ ୧୦ ହଜାରରୁ ଅଧିକ ଲୋକ ଠିଆ ହୋଇଥିଲେ ତାଙ୍କୁ ସ୍ୱାଗତ କରିବା ପାଇଁ। ଏହାପରେ ଗାନ୍ଧିଜୀ କଟକ ସହର ବୁଲି ଲୋକଙ୍କ ମଧ୍ୟରେ ସ୍ୱାଧୀନତା ସଂଗ୍ରାମ ନେଇ ଜାଗରଣ ସୃଷ୍ଟି କରିଥିଲେ । ଏହାପରେ କାଠଯୋଡ଼ି ନଦୀ କୂଳରେ ସଭା ଆୟୋଜନ କରିଥିଲେ।

ଏଥିରେ କସ୍ତୁରବା ଗାନ୍ଧିଙ୍କ ଆହ୍ୱାନରେ ହଜାର ହଜାର ମହିଳା ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ସେହି ସ୍ମୃତିକୁ ମନେ ପକାଇ ଆଜି କଟକରେ ପଦଯାତ୍ରା ଆୟୋଜନ କରାଯାଇଛି । ରେଳ ଷ୍ଟେସନରୁ ପଦଯାତ୍ରା ବାହାରି ମଙ୍ଗଳାବାଗ, ନୂଆପାଟଣା, ବକ୍ସିବଜାର, ହାଇକୋର୍ଟ ଛକ ହୋଇ ବେଲଭିଉ ଛକରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

ଦୀର୍ଘ ୭ କିଲୋମିଟରର ପଦଯାତ୍ରାରେ ଦଳମତ ନିରବିଶେଷରେ ସବୁ ବର୍ଗର ଲୋକ ଯୋଗ ଦେଇଥିଲେ । ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାକ, କଟକ ସାଂସଦ ଭର୍ତ୍ତୃହରି ମହତାବ, ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ପ୍ରମୁଖ ଏଥିରେ ସାମିଲ ହୋଇଛନ୍ତି। ଯେଉଁ ଯେଉଁ ସ୍ଥାନ ଦେଇ ଗାନ୍ଧି ଯାଇଥିଲେ ସେହି ଅଞ୍ଚଳ ଦେଇ ପଦଯାତ୍ରା ଯାଇଥିଲା। ସେହିଭଳି ଆଜି ସଂଧ୍ୟାରେ ଗାନ୍ଧିଙ୍କ ସ୍ମୃତିରେ ଡାକ ଟିକଟ୍ ଉନ୍ମୋଚନ ହେବ।

ସେହିପରି  ଓଡ଼ିଶା ଗସ୍ତ ବେଳେ ମହାତ୍ମା ସମ୍ବଲପୁର ବି ଆସିଥିଲେ। ସମ୍ବଲପୁରରେ ଜନତାଙ୍କୁ ସମ୍ବୋଧନ କରିଥିଲେ। ସ୍ୱାଧୀନତା ସଂଗ୍ରାମକୁ ଏଠୁ ମିଳିଥିଲା ଭିନ୍ନ ଦିଶା। ଗାନ୍ଧିଙ୍କ ସ୍ମୃତିକୁ ଆଜି ବି ମନେ ରଖିଛନ୍ତି । ଏଠାକାର ଲୋକେ। ଭତ୍ରାରେ ଥିବା ଗାନ୍ଧି ମନ୍ଦିରରେ ଆଜି ସକାଳୁ ବିଭିନ୍ନ ବର୍ଗର ଲୋକେ ମହାତ୍ମାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।

ସମ୍ବଲପୁରରେ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଉଛି।

ଅନ୍ୟପକ୍ଷେ, ଏହି ଅବସରରେ ବିଧାନସଭାରେ ହେବ ସ୍ୱତନ୍ତ୍ର ଆଲୋଚନା ତାସହ ସଙ୍କଳ୍ପ ଆଣାଯାଇ ତାକୁ ପାରିତ କରାଯିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି। ପ୍ରଶ୍ନକାଳ, ଶୂନ୍ୟକାଳ ଏବଂ ମୁଲତବୀ ପ୍ରସ୍ତାବ ଆଲୋଚନାକୁ ବାତିଲ କରାଯାଇ ଗୃହରେ ଏହି ସ୍ୱତନ୍ତ୍ର ଆଲୋଚନା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ପୂର୍ବାହ୍ନ ସାଢ଼େ ୧୧ଟାରୁ ଦିନ ସାଢ଼େ ଗୋଟାଏ ଯାଏଁ ଏହି ଆଲୋଚନା ଚାଲିବ। ବିଶେଷ କରି ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଗସ୍ତର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ ବୋଲି କହିଛନ୍ତି ବାଚସ୍ପତି । ଅହିଂସାର ପୂଜାରୀଙ୍କ ଓଡ଼ିଶା ଗସ୍ତର ଶହେ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ସ୍ଥାନିତ କରିବା ପାଇଁ ଏକ ସଂକଳ୍ପ ଆଗତ କରାଯିବ ବୋଲି ଜଣାପଡ଼ିଛି ।

You might also like