୨୦୨୦ ଶ୍ୱେତପତ୍ର ପ୍ରକାଶ କଲା ଗୃହ ବିଭାଗ: ଜାଣନ୍ତୁ କେମିତି ରହିଛି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି
ପ୍ରକାଶ ପାଇଲା ଶ୍ୱେତପତ୍ର
ଭୁବନେଶ୍ୱର: ୨୦୨୦ ମସିହାରେ ରାଜ୍ୟରେ ୧ ଲକ୍ଷ ୩୪ ହଜାର ୨୩୦ ଅପରାଧିକ ମାମଲା ପଞ୍ଜୀକୃତ ହୋଇଥିଲା। ଆଉ ଏଥିମଧ୍ୟରୁ ଭାରତୀୟ ପିଙ୍ଗଳ କୋଡ୍ ବା ଆଇପିସିର ବିଭିନ୍ନ ଦଫାରେ ୧ ଲକ୍ଷ ୧୦ ହଜାର ୭୪୧ଟି ମାମଲା ପଞ୍ଜୀକୃତ ହୋଇଛି। ୨୦୨୦ ମସିହା ପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ଜାରି ଶ୍ୱେତପତ୍ରରେ ଏହା ଉଲ୍ଲେଖ କରାଯାଇଛି। ସେହିପରି ୧ଲକ୍ଷ ୩୪ ହଜାର ୨୩୦ଟି ଧର୍ତ୍ତବ୍ୟ ଅପରାଧରୁ ୧ ଲକ୍ଷ ୨୯ ହଜାର ୩୦୫ଟି ସତ୍ୟ ଅଟେ। ଆଉ ଏଥିରୁ ୯୩ ହଜାର ୨୨୯ ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି ବୋଲି ସୂଚନା ମିଳିଛି।
ସେହିପରି ୧୪ ଶହ ୭୦ଟି ହତ୍ୟା ମାମଲାରୁ ୧୩ ଶହ ୯୨ଟି ମାମଲା ସତ୍ୟ ହୋଇଥିବା ବେଳେ ୬୯୪ଟି ହତ୍ୟା ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି। ୫୧୪ଟି ଡକାୟତି ମାମଲାରୁ ୫୦୨ଟି ସତ୍ୟ ଥିବା ବେଳେ ୨୫୪ଟିରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି। ସେହିପରି ୨୧୬୭ଟି ଲୁଣ୍ଠନ ମାମଲା ରୁଜୁ ହୋଇଛି ଏବଂ ଲୁଣ୍ଠନ ମାମଲାରେ ୧୮ ଶହ ୧୬ ଜଣ ଅପରାଧୀ ଗିରଫ ହୋଇଛନ୍ତି। ୧୦,୪୧୨ ଚୋରି ମାମଲାରୁ ୧୦,୨୦୭ ମାମଲା ସତ୍ୟ ଅଟେ ବୋଲି ଜଣାପଡିଛି।
ସେପଟେ ୨୦୨୦ ମସିହାରେ ୩ ହଜାର ୫୨୪ଟି ପ୍ରତାରଣା ମାମଲା ରୁଜୁ ହୋଇଥିବା ବେଳେ ଏଥିରୁ ୩ ହଜାର ୩୪୩ଟି ସତ୍ୟ ଅଟେ। ଆଉ ଏଥିରୁ ୭୫୧ଟିରେ ଦୋଷାରୋପ କରାଯାଇଛି। ସେହିପରି ଏହି ବର୍ଷ ୨ ହଜାର ୯୮୪ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ଏଥିରୁ ୨ ହଜାର ୯୦୭ଟି ସତ୍ୟ ଅଟେ। ଏଥିରୁ ୨୦୫୪ଟିରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି ବୋଲି ସୂଚନା ରହିଛି।
#ପ୍ରକାଶ_ପାଇଲା_୨୦୨୦ର_ଶ୍ୱେତପତ୍ର
ବର୍ଷ ୨୦୨୦ ପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ଶ୍ୱେତପତ୍ର । ୧ ଲକ୍ଷ ୩୪ ହଜାର ୨୩୦ ପଞ୍ଜୀକୃତ ଅପରାଧ ମାମଲାରୁ ୧ ଲକ୍ଷ ୧୦ ହଜାର ୭୪୧ଟି IPCରେ ପଞ୍ଜୀକୃତ ହୋଇଛି। ଜାଣନ୍ତୁ ଏଥିରେ ଆଉ କ’ଣ ରହିଛି। #WhitePaper #Odisha #Bhubaneswar #otv pic.twitter.com/Cn7zUSREt9— ଓଟିଭି (@otvkhabar) March 26, 2021
ତେବେ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ସରକାରଙ୍କୁ ପୂର୍ବରୁ ମଧ୍ୟ ବିରୋଧୀ ନିଶାନା କରିଛନ୍ତି। ଆଜି ଶ୍ୱେତପତ୍ର ପ୍ରକାଶ ପାଇବା ପରେ ବିରୋଧୀ ସରକାରଙ୍କ ଉପରେ ବର୍ଷିଛନ୍ତି। ବିଜେପି ନେତା ମୋହନ ମାଝୀ କହିଛନ୍ତି ଯେ, ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି କିନ୍ତୁ ଆଲୋଚନା ପାଇଁ ସରକାର ଆସୁନାହାନ୍ତି। ଜାଣିଶୁଣି ଗୃହକୁ ବନ୍ଦ କରିଦେଇଛନ୍ତି ସେପଟେ ଶାସକ ଦଳର ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ସ୍ଥିର ରହିଛି।