ଏହି ହେଲ୍ପ ଲାଇନ୍ ନମ୍ବରକୁ କଲ୍ କରି ନିଜର ସମସ୍ୟା ଜଣାନ୍ତୁ
ଓଡ଼ିଶା: ଦେଶର ବିଭିନ୍ନ ଅଞ୍ଚଳରେ ଫସି ରହିଛନ୍ତି ଓଡ଼ିଆ। କାମ ଓ ପେଟ ପାଟଣା ସନ୍ଧାନରେ ବିଭିନ୍ନ ରାଜ୍ୟରେ କାମ କରୁଥିବା ଓଡ଼ିଆ ଏବେ ଘରକୁ ଫେରିବାକୁ ନିବେଦନ କରୁଛନ୍ତି। କନ୍ଧମାଳ ଜିଲ୍ଲାର ବହୁ ଲୋକେ ଏବେ କେରଳରେ ଅଟକି ରହିଛନ୍ତି। ଫିରିଙ୍ଗିଆ, ତୁମୁଡ଼ିବନ୍ଧ, ବାଲିଗୁଡ଼ା ସମେତ ଅନ୍ୟ ଅଞ୍ଚଳରେ ଏମାନେ ଫସି ରହିଛନ୍ତି।
ଲକ୍ଡାଉନ୍ ପରେ କାମ ହରାଇବା ସହ ଅସୁବିଧା ଭୋଗୁଥିବା ଏମାନେ କହିଛନ୍ତି। ସେହିପରି ଭଦ୍ରକ ଜିଲ୍ଲା ତିହିଡି, ଚାନ୍ଦବାଲି, ଧାମରା ଅଞ୍ଚଳର ବହୁ ଲୋକେ ତାମିଲନାଡ଼ୁ, ଗୋଆ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ଜିଲ୍ଲାରେ ଫସି ରହିଛନ୍ତି।
ଏହାଛଡ଼ା କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ବହୁ ଲୋକେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଗୁଜରାଟରେ କାମ କରୁଥିବା ବେଳେ ଲକ୍ଡାଉନ୍ ଯୋଗୁ କାମ ହରାଇଥିବା କହିଛନ୍ତି। ଭିଡିଓ ମେସେଜ୍ ଜରିଆରେ ଏମାନେ ନିଜ ଘରକୁ ଫେରିବାକୁ ନିବେଦନ କରିଛନ୍ତି।
ବାହାର ରାଜ୍ୟରେ ଫସି ଥିବା ଓଡ଼ିଆ ନିଜ ନିଜର ସମସ୍ୟା ନେଇ ହେଲ୍ପ ଲାଇନ ନମ୍ବରରେ ଜଣାଇ ପାରିବେ। ଏନେଇ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ନମ୍ବରଟି ହେଲା- 0674_2392115 ଏବଂ ହ୍ୱାଟସ୍ଆପ୍ ନମ୍ବର ହେଲା- 94389-15986 । ସେହିପରି ଓଡ଼ିଶାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ଲୋକଙ୍କ ପାଇଁ ମଧ୍ୟ ହେଲପଲାଇନ ନମ୍ବର ଜାରି ହୋଇଛି। ସେହି ହେଲ୍ପ ଲାଇନ ନମ୍ବରଟି ହେଲା-1800_345_6703
ରାଜ୍ୟ ବାହାରେ ଥିବା ହଜାର ହଜାର ଓଡ଼ିଆଙ୍କୁ ସହାୟତା ଲାଗି ରାଜ୍ୟ ବାହାରେ ଥିବା ଓଡ଼ିଆ ସଂଗଠନ ଗୁଡ଼ିକୁ ଗତକଲା ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ପାଖରେ କିପରି ଖାଦ୍ୟ, ଔଷଧ ପହଞ୍ଚି ପାରିବ, ତାର ବ୍ୟବସ୍ଥା କରିବାକୁ ଏକ ଭିଡିଓ ମାଧ୍ୟମରେ ଅପିଲ କରିଥିଲେ ନବୀନ। ସେ ବାବଦ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରାଯିବ ବୋଲି ମଧ୍ୟ କହିଥିଲେ।