ମହାରାଷ୍ଟ୍ରରେ ବଢ଼ୁଛି କରୋନା ସଂକ୍ରମଣ; ଓଡ଼ିଶାକୁ ଚେତାବନୀ
ଭୁବନେଶ୍ୱର: ପୁଣିଥରେ ମହାରାଷ୍ଟ୍ରରେ କରୋନା ଏହାର କାୟା ବିସ୍ତାର କରିଛି। ଗୁରୁବାର ଦିନ ମହାରାଷ୍ଟ୍ରରେ ୫ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର କିଛି ଜିଲ୍ଲାରେ ଲକ୍ଡାଉନ୍ ମଧ୍ୟ ଘୋଷଣା ହୋଇଛି। ତେବେ କରୋନା କେସ୍ ପୁଣିଥରେ ବଢ଼ିବାର ଆଶଙ୍କା କରି ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ୍ କମିଶନର, ପୋଲିସ୍ କମିଶନର, ସମସ୍ତ ଡିସିପି ଓ ଏସ୍ପିଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି।
ଚିଠି ଲେଖି ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ନିକଟ ଅତୀତରେ କୋଭିଡ-୧୯ ମାମଲା କିଛି ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ମହାରାଷ୍ଟ୍ରରେ କରୋନା ମାମଲା ବଢ଼ିଛି। ଦେଶ ଭିତରେ ଲୋକମାନଙ୍କ ଚଳପ୍ରଚଳ ରହିଥିବାରୁ ଯଦି ସତର୍କତାମୂଳକ ପଦକ୍ଷେପ ନିଆ ନଯାଏ, ତା’ହେଲେ ଓଡ଼ିଶାରେ କୋଭିଡ୍ ସ୍ଥିତି ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେଣୁ ନିଜ ଜିଲ୍ଲା ଓ ସହରରେ ଯେଭଳି କୋଭିଡ୍ ମାମଲା ବୃଦ୍ଧି ନ ପାଇବ ତାହା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ଗାଇଡଲାଇନ୍ସ ଅନୁସାରେ, ପର୍ଯ୍ୟାପ୍ତ ପରିମାଣର ଟେଷ୍ଟିଂ କରିବାକୁ ପ୍ରଦୀପ୍ତ ମହାପାତ୍ର ପରାମର୍ଶ ଦେଇଛନ୍ତି।
ଜନଗହଳିପୂର୍ଣ୍ଣ ସ୍ଥାନ ଯେପରିକି, ଧର୍ମାନୁଷ୍ଠାନ, ବଜାର ଆଦି ସ୍ଥାନ ଗୁଡ଼ିକରେ କରୋନା ଗାଇଡଲାଇନ୍ସ ନିୟମ ପାଳନ କରନ୍ତୁ। ଏହାସହ ଏସବୁ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ପରାମର୍ଶ ଦେଇଛନ୍ତି।
ଗୁରୁବାର ଦିନ ଓଡ଼ିଶାରେ ୫୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କ୍ୱାରେଣ୍ଟିନ୍ରୁ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଲୋକାଲ୍ କଣ୍ଟାକ୍ସ ରହିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୫୧୩ରେ ପହଞ୍ଚିଛି।
ଗତ କିଛି ଦିନ ଧରି ମହାରାଷ୍ଟ୍ରର ଅମରାବତୀ ଓ ୟବତମାଲ୍ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବା ଦେଖି ଉଭୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍ କଟକଣାକୁ କଡ଼ାକଡ଼ି କରାଯାଇଛି। ୟବତମାଲ୍ରେ ୧୦ ଦିନ ଲକ୍ଡାଉନ୍ ଘୋଷଣା ହୋଇଥିବା ବେଳେ ଅମରାବତୀରେ ୭ ଦିନ ପାଇଁ ଲକ୍ଡାଉନ୍ ଘୋଷଣା ହୋଇଛି।
ଅନ୍ୟପକ୍ଷରେ, ଦେଶରେ କୋଟିଏରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ଦିଆଗଲାଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି।