ଓଡ଼ିଶାରେ କରୋନାର ନୂଆ ଷ୍ଟ୍ରେନ୍ ନେଇ ଆଶଙ୍କା; ବ୍ରିଟେନ ଫେରନ୍ତାଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର: ବ୍ରିଟେନ୍ ଫେରନ୍ତାଙ୍କ ଠାରେ କରୋନା ଭୂତାଣୁ ଠାବ ପରେ ବଢୁଛି ବ୍ରିଟେନ୍‌ର ନୂଆ କରୋନା ଷ୍ଟ୍ରେନ୍‌ର ଚିନ୍ତା। ଭୁବନେଶ୍ୱରରୁ ଚିହ୍ନଟ ସଂପୃକ୍ତ ଆକ୍ରାନ୍ତଙ୍କ ଠାରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଅଛି ନା ନାହିଁ ଜାଣିବାକୁ ପରୀକ୍ଷା ପାଇଁ ତାଙ୍କ ସ୍ୱାବ୍‌କୁ ପୁଣେ ପଠାଯାଇଛି।

ତେବେ ବ୍ରିଟେନ ଫେରନ୍ତାଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଗତ ୧୪ ଦିନ ମଧ୍ୟରେ ବ୍ରିଟେନରୁ ଓଡ଼ିଶା ଫେରିଥିବା ସମସ୍ତ ୪୩ ଜଣଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି। ସବୁ ଜିଲ୍ଲାପାଳ ଏବଂ ସିଡିଏମ୍ଓ ମାନଙ୍କୁ ତାଲିକା ଦେଇଛନ୍ତି ସ୍ୱାସ୍ଥ୍ୟ ACS।

ଆସିଥିବା ଲୋକଙ୍କ RT-PCR ଟେଷ୍ଟ କରାଇବା ସହ ସଂପୃକ୍ତ ଲୋକଙ୍କ କଣ୍ଟା ଟ୍ରେସିଂ, ସର୍ଭେଲାନ୍ସ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି। RT-PCR ଟେଷ୍ଟ ସହ ସମସ୍ତ ଆଗନ୍ତୁକଙ୍କ ଜେନମ୍ ସିକ୍ୟୁଏନ୍ସିଂ ହେବ ଏବଂ ଜେନମ ସିକ୍ୟୁଏନ୍ସିଂ ନେଇ ସାମ୍ପଲ ସଂଗ୍ରହ ଗାଇଡଲାଇନ ବି ଜାରି ହୋଇଛି।

ଏହି ମାସକ ଭିତରେ ରାଜ୍ୟକୁ ଫେରିଥିବା ସମସ୍ତ ବ୍ରିଟେନ୍ ଫେରନ୍ତାଙ୍କ ଉପରେ ସତର୍କ ନଜର ରଖାଯାଇଛି। ଏପଟେ ବ୍ରିଟେନ୍‌ରେ ନୂଆ ଷ୍ଟ୍ରେନ୍ ଚିହ୍ନଟ ପାଇଁ ଏଣିକି ଭୁବନେଶ୍ୱରରେ ବି ଜିନମ୍ ସିକ୍ୟୁଏନ୍ସିଂ ହେବ ବୋଲି ସୂଚନା ଦେଇଛନ୍ତି ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା।

ଭୁବନେଶ୍ୱର ଫେରିଥିବା ଜଣେ ବ୍ରିଟେନ୍ ଫେରନ୍ତାଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ପରେ ଓଡ଼ିଶାରେ କରୋନାର ନୂଆ ଷ୍ଟ୍ରେନ୍‌ ନେଇ ଆଶଙ୍କା କରିଛନ୍ତି ରାଜ୍ୟ ସରକାର। ଏହି ଖବର ପରେ ରାଜ୍ୟବାସୀ ଭୟରେ ଥିବା ବେଳେ ରାଜ୍ୟରେ ବ୍ରିଟେନ୍ ଫେରନ୍ତାଙ୍କୁ ଖୋଜା ଅଭିଯାନ ଆରମ୍ଭ କରିଥିଲେ ରାଜ୍ୟ ସରକାର।

ତାସହିତ ବ୍ରିଟେନ୍‌ର ଦ୍ରୁତ ସଂକ୍ରମଣକ୍ଷମ ସାର୍ସ କୋଭ୍-୨କୁ ରୋକିବାକୁ ପ୍ରୟାସ ମଧ୍ୟ ଆରମ୍ଭ ହୋଇଛି। ଦିଲ୍ଲୀରୁ ଭୁବନେଶ୍ୱର ସବୁଠି ସତର୍କ ନଜର ରଖାଯାଇଛି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ନଭେମ୍ବର ୨୫ରୁ ଡିସେମ୍ବର ୨୩ ଭିତରେ  ବ୍ରିଟେନ୍‌ରୁ ଆସିଥିବା ସମସ୍ତ ବିଦେଶୀ ଓ ଭାରତୀୟ ନାଗରିକଙ୍କ ପାଇଁ କୋଭିଡ୍ ପ୍ରୋଟକଲ୍‌କୁ କଡ଼ାକଡ଼ି କରାଯାଇଛି। ଏମାନଙ୍କ ପାଇଁ ସେଲ୍‌ଫ ଡିକ୍ଲାରେସନ୍ ଏବଂ ୧୪ ଦିନିଆ ସଂଗରୋଧକୁ ବାଧ୍ୟତାମୂଳକ କରାଯାଇଛି। ଏୟାରପୋର୍ଟରେ ମଧ୍ୟ ଯାଞ୍ଚକୁ କଡ଼ାକଡ଼ି କରାଯିବା ସହ ହେଲ୍‌ପ ଡେସ୍କ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି।

ସେପଟେ ବିଏମ୍‌ସିର ସୂଚନା ଅନୁସାରେ, ୧୮ ତାରିଖରେ ବ୍ରିଟେନ୍‌ରୁ ଦିଲ୍ଲୀ ହୋଇ ଫେରିଥିବା ସଂପୃକ୍ତ ଯୁବକଙ୍କୁ ଛାଡ଼ିଦେଲେ ପରିବାରର ଅନ୍ୟ ତିନିଜଣଙ୍କ ସ୍ୱାବ୍ ଟେଷ୍ଟ ନେଗେଟିଭ୍ ରହିଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ବି ସରିଯାଇଛି।

ତେବେ ବ୍ରିଟେନ୍‌ରେ ଚିହ୍ନଟ କରୋନାର ନୂଆ ରୂପ ସାର୍ସ- କୋଭ୍-୨ ସଂପୃକ୍ତ ଯୁବକଙ୍କ ଠାରେ ଅଛି ନା ନାହିଁ ଜାଣିବାକୁ ଆକ୍ରାନ୍ତଙ୍କ ସ୍ୱାବ୍ ପରୀକ୍ଷା ପାଇଁ ପୁନେ ପଠାଯିବା ସହ ତାଙ୍କୁ ହସ୍ପିଟାଲ୍‌ରେ ରଖାଯାଇଛି। ତେଣୁ ବର୍ତ୍ତମାନ ସ୍ଥିତିରେ ଭୟ କରିବାର ଆବଶ୍ୟକତା ନାହିଁ ବୋଲି ବିଏମ୍‌ସି କମିସନର ପ୍ରମଚନ୍ଦ୍ର ଚୌଧୁରୀ କହିଛନ୍ତି।

ତଥ୍ୟ କହୁଛି, କରୋନା ଭୂତାଣରୁ ନୂଆ ଷ୍ଟ୍ରେନ୍ ପୂର୍ବ ତୁଳନାରେ ୭୦ପ୍ରତିଶତ ଅଧିକ ସଂକ୍ରମଣକ୍ଷମ। ସେଥିପାଇଁ ସମସ୍ତ ବ୍ରିଟେନ୍ ଫେରନ୍ତାଙ୍କ ଉପରେ ଏବେ ସତର୍କ ନଜର ରଖାଯାଇଛି।

ଆଇଏଲ୍ଏସ୍ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ାଙ୍କ ସୂଚନା ଅନୁଯାୟୀ, ଏଣିକି ବ୍ରିଟେନ୍‌ରୁ ଫେରି କରୋନା ଆକ୍ରାନ୍ତ ସମସ୍ତଙ୍କର ଜିନମ୍ ସିକୁଏନ୍ସିଂ କରାଯିବ। ଏଥିପାଇଁ ଦେଶର ପ୍ରମୁଖ ୫ଟି ପ୍ରତିଷ୍ଠାନ ସହ ଆଇଏଲ୍ଏସ୍ ଭୁବନେଶ୍ୱରକୁ ଚିହ୍ନଟ କରାଯାଇଛି। କରୋନାର ନୂଆ ବ୍ରିଟେନ୍ ଷ୍ଟ୍ରେନ୍ ସେମାନଙ୍କ ଠାରେ ଅଛି କି ନାହିଁ ଜିନ୍ ଅନୁଶୀଳନରୁ ୪ ଦିନରେ ଜଣାପଡ଼ି ଯିବ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନା ଥାଉକି, ବ୍ରିଟେନ୍‌ରେ ଠାବ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ସାର୍ସ କୋଭ୍-୨( ବି.୧.୧.୭) ଦକ୍ଷିଣ ଆଫ୍ରିକାରୁ ବ୍ରିଟେନ୍‌କୁ ଆସିଛି ବୋଲି କୁହାଯାଉଛି। ଦକ୍ଷିଣ ଆଫ୍ରିକା ବାଦ୍ ଏବେ ସୁଦ୍ଧା ଏହି ଷ୍ଟ୍ରେନ୍ ୬ଟି ୟୁରୋପୀୟ ରାଷ୍ଟ୍ର ସାଙ୍ଗକୁ ଅଷ୍ଟ୍ରେଲିଆରେ ବି ଠାବ ହୋଇସାରିଲାଣି।

କରୋନାର ନୂଆ ଷ୍ଟ୍ରେନ୍‌ ପରେ ବ୍ରିଟେନ୍‌ରୁ ଆସୁଥିବା ସମସ୍ତ ବିମାନକୁ  ଡିସେମ୍ବର ୨୧ ତାରିଖ ବ୍ୟାନ ନିର୍ଦ୍ଦେଶ ଦେଇଥିଲା ଭାରତ। ୨୨ ତାରିଖ ୨୩:୫୯ ଅର୍ଥାତ ସନ୍ଧ୍ୟା ୮ ଠାରୁ ଡିସେମ୍ବର ୩୧ ତାରିଖରେ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ବ୍ରିଟେନ୍‌ ଫେରନ୍ତା ବିମାନ ଉପରେ ବ୍ୟାନ୍ ଲଗାଯାଇଛି।

ବ୍ରିଟେନ୍‌ର ନୂଆ ଭାଇରସ ଅଧିକ ସଂକ୍ରାମକ ବୋଲି ଜଣାପଡ଼ିଛି। ଇଂଲଣ୍ଡର ଦକ୍ଷିଣାଂଶରେ ଏହାର ସଂକ୍ରମଣ ହୋଇଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିଶ ଜହନସନ୍ ଘୋଷଣା କରିଥିଲେ। କରୋନାଭାଇରସର ଏହି ନୂଆ ଷ୍ଟ୍ରେନ୍ ୭୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ଜଣାଯାଇଛି।

ବ୍ରିଟେନ୍‌ରେ ନୂଆ କରୋନା ଭାଇରସ ନେଇ ବୋରିସ ଜୋହନସନଙ୍କର ଘୋଷଣା ପରେ ଫ୍ରାନ୍ସ , ଜର୍ମାନୀ, ଇଟାଲୀ, ଦି ନେଦର୍‌ଲ୍ୟାଣ୍ଡ, ବେଲଜିୟମ୍, ଅଷ୍ଟ୍ରିଆ, କାନାଡା, ଆୟର୍‌ଲ୍ୟାଣ୍ଡ, ଏବଂ ବୁଲଗାରିଆ ୟୁକେ ଫେରନ୍ତ ଫ୍ଲାଇଟ୍‌ ଉପରେ ବ୍ୟାନ ଲଗାଇଛନ୍ତି।

You might also like