କରୋନା କେଳେଙ୍କାରୀ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ୱର: କରୋନା କେଳେଙ୍କାରୀ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ। ମହାମାରୀ କରୋନା ସମୟରେ ରାଜ୍ୟରେ ହୋଇଥିବା ଦୁର୍ନୀତିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ଜିଲ୍ଲାସ୍ତରରେ ମଧ୍ୟ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଥିବା ନିରଂଜନ ପଟ୍ଟନାୟକ କହିଛନ୍ତି। ଆଗାମୀ ଦିନରେ ବ୍ଲକ ଓ ପଞ୍ଚାୟତସ୍ତରକୁ ମଧ୍ୟ ଦଳ ଯିବ ବୋଲି ସେ କହିଛନ୍ତି।

ପିପିଇ, ଟ୍ରିପଲ ଲେୟାର ମାସ୍କ କିଣାରେ ଦୁର୍ନୀତି ହେବା ଅଭିଯୋଗ କରିଛି କଂଗ୍ରେସ। ଅନ୍ୟ ରାଜ୍ୟମାନେ ବହୁତ କମ୍ ରେଟ୍‌ରେ ଏପରି ସାମଗ୍ରୀ କିଣିଥିବା ବେଳେ ଓଡ଼ିଶା ସରକାର ବହୁ ଅଧିକ ଟଙ୍କା ଦେଇ ସେହି ସବୁ ସାମଗ୍ରୀ କିଣିଛନ୍ତି। ଏହା ଦ୍ୱାରା ରାଜକୋଷରୁ ବହୁତ କ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି ନିରଂଜନ ପଟ୍ଟନାୟକ।

ଅନ୍ୟପଟେ ମାସ୍କ କେଳେଙ୍କାରୀ ଅଭିଯୋଗ ପ୍ରସଙ୍ଗରେ ଉତ୍ତର ରଖିଛି ବିଜେଡି। ପ୍ରେସ୍‌ମିଟ୍ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଲକ୍‌ଡାଉନ୍ ଯୋଗୁ ପ୍ରଡକ୍ସନ କଷ୍ଟ୍ ବଢ଼ିଥିବାରୁ ମାସ୍କ ରେଟ୍ ବଢ଼ିଲା। ପ୍ରଡକ୍ସନ କଷ୍ଟ୍ ବଢ଼ିବାରୁ ୧୦ ଟଙ୍କା ମାସ୍କ ୧୬ ଟଙ୍କାରେ କଣିବାକୁ ପଡ଼ିଥିଲା। ଅନ୍ୟ ରାଜ୍ୟ ଅଧିକ ଟଙ୍କା ଦେଇ ମାସ୍କ କିଣିଥିବା ମଧ୍ୟ ବିଜେଡି ଉଦାହରଣ ଦେଇଛି।

ସ୍ୱଚ୍ଛତାର ସହ ମାସ୍କ କିଣାଯାଇଛି। ସାରା ଭାରତରେ ମାସ୍କ ଡିମାଣ୍ଡ ବଢ଼ିବାରୁ ଦର ମଧ୍ୟ ବଢ଼ିଥିଲା ବୋଲି ବିଜେଡି କହିଛି। ସ୍ୱାସ୍ଥ୍ୟ ବିଭାଗ ଟେକ୍ନିକାଲ କମିଟି ୫ କୋଟି ମାସ୍କ କିଣିବାକୁ ନିଷ୍ପତ୍ତି ନେଇଥିଲା। ଲକ୍ ଡାଉନ୍ ପାଇଁ କଞ୍ଚାମାଲ ଅଭାବ ପଡ଼ିବାରୁ ଦର ବଢ଼ିଥିଲା ବୋଲି ଉତ୍ତର ରଖିଛି ଦଳ।

ଦଳ ଆହୁରି ମଧ୍ୟ କହିଛି ଯେ ପ୍ରଥମେ କେନ୍ଦ୍ର ସରକାର ମାସ୍କ ଗୋଟିକୁ ୧୦ ଟଙ୍କା ଦର ଧାର୍ଯ୍ୟ କରିଥିଲେ। ତେବେ ୧୦ ଟଙ୍କାରେ ଦେବାକୁ କେହି ରାଜି ନହେବାରୁ ୧୬ କରାଯାଇଥିଲା। କେନ୍ଦ୍ର ଧାର୍ଯ୍ୟ କରିଥିବା ୧୬ ଟଙ୍କାରୁ ଟଙ୍କାଟିଏ ବି ଓଡ଼ିଶା ଅଧିକ ଦେଇନି।

 

You might also like