ଓଡ଼ିଶା ରାଜନୀତିକୁ କେତେ ପ୍ରଭାବିତ କରିବ ମୋଦିଙ୍କ ଗସ୍ତ ?

ଭୁବନେଶ୍ୱର: ମୋଦିଙ୍କ ଗସ୍ତ ପରେ ରାଜ୍ୟ ରାଜନୀତିରେ ଏହାର ପ୍ରଭାବକୁ ନେଇ ଜୋର୍‌ଦାର ଚର୍ଚ୍ଚା ହେଉଛି। ଝାରସୁଗୁଡ଼ାରେ ନବୀନଙ୍କ ନାଁ ନେଇ ମୋଦି ଦୁର୍ନୀତିର ବାଣ ମାରିଥିଲେ, ଆଉ ଖୋର୍ଦ୍ଧାରେ ସେଇ ଭ୍ରଷ୍ଟାଚାର ଦାନବ କଥା କହିଲେ, କିନ୍ତୁ କିଏ ସେ ଦାନବକୁ ଦାନା ଦେଉଛି ସେ ନାଁ ଧରିଲେ ନାହିଁ। ନବୀନଙ୍କୁ ଟାର୍ଗେଟ୍‌ କରିବାର ମୋଦିଙ୍କ ଏ ଦୁଇଟି ଢଙ୍ଗକୁ ନେଇ ଏବେ ଚର୍ଚ୍ଚା ହେଉଛି।

ତେବେ ପ୍ରଶ୍ନ ଉଠୁଛି, ଏଥର ବୁଲେଇ ବଙ୍କେଇ ମୋଦି ମାରିଥିବା ବାଣ ନବୀନଙ୍କ ଗଡ଼କୁ ଭେଦିବ ତ ?  ବିଜେପିର ମିଶନ ୧୨୦ ପ୍ଲସ୍‌ ପାଇଁ ଆଗକୁ ବଢ଼ିଥିବା କର୍ମୀଙ୍କ ମନବଳକୁ ନିରୁତ୍ସାହିତ କରିବନି ତ ?

ହିନ୍ଦୀ ହାର୍ଟଲାଣ୍ଡରେ ବିଜେପିର ବିପର୍ଯ୍ୟୟ ପରେ ନବୀନ ସରକାର ଲାଗି ବିକଳ୍ପ ଖୋଲା ରଖୁଛନ୍ତି କି ମୋଦି?

ଏସବୁ ପ୍ରଶ୍ନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ମୋଦିଙ୍କ ଆଭିମୁଖ୍ୟକୁ ନେଇ କଂଗ୍ରେସ କହିଛି, ଉଭୟ ବିଜେପି ଓ ବିଜେଡିର ଭିତିରି ସଂପର୍କ ରହିଛି। ତେବେ ବିଜେପି କିନ୍ତୁ ଏହା ଗ୍ରହଣ କରୁନି। ନିଜ ବକ୍ତବ୍ୟରେ ମୋଦି କହିଥିବା ଭ୍ରଷ୍ଟାରର ଦାନବ କିଏ, ଏକଥା ଲୋକେ ଜାଣିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏପଟେ କିନ୍ତୁ ମୋଦିଙ୍କ ଗସ୍ତ ପରେ ବିଜେପି କ୍ୟାମ୍ପ ବେଶ୍ ଉତ୍ସାହିତ ଜଣାପଡ଼ୁଛି। ଯୋଜନା ଅନୁସାରେ ଭଷ୍ଟ୍ରାଚାର, ବେରୋଜଗାର, ଦାଦନ, ଚାଷୀଙ୍କ ସମସ୍ୟା ଓ ପିସି କାରବାର ପରି ମୋଦି ପଚାରିଥିବା ପ୍ରଶ୍ନକୁ ନେଇ ଜବାବ ମାଗୁଛି ବିଜେପି। ଓଡ଼ିଶା ଅଭିଯାନରେ କାଲିଠୁ ରଥ ବାହାର କରିବ ବିଜେପି ଯୁବମୋର୍ଚ୍ଚା। ତେବେ ମୋଦିଙ୍କ ଗସ୍ତକୁ ପ୍ରଭାବ ଶୂନ୍ୟ ବୋଲି କହିଛି ବିଜେଡି।

ଜାନୁଆରୀ ୫ ଓ ୧୬ରେ ପୁଣି ଓଡ଼ିଶା ଆସିବେ ମୋଦି। ତେବେ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବା ବେଳେ ନବୀନଙ୍କ ପ୍ରତି ମୋଦିଙ୍କ ଭାଷା ବଦଳୁଛି ନା ଖୋର୍ଦ୍ଧା ଏପିସୋଡ୍‌ର ରିପିଟ୍ ହେଉଛି, ତାକୁ ଅପେକ୍ଷା।

You might also like