କରୋନାରୁ ସୁସ୍ଥ ହୋଇଥିବା ପୋଲିସ କର୍ମଚାରୀଙ୍କୁ ତାଳି ମାରି କଲେ ସ୍ୱାଗତ

ଭୁବନେଶ୍ୱର: କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିବା ପରେ ପୋଲିସ କର୍ମଚାରୀଙ୍କୁ ଭବ୍ୟ ସ୍ୱାଗତ। ଓଡ଼ିଶା ପୋଲିସରେ କାର୍ଯ୍ୟରତ ପ୍ରଥମ କରୋନା ଆକ୍ରାନ୍ତ ଜଣେ କନଷ୍ଟେବଳ ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ଆଜି ପୋଲିସ ସେବା ଭବନରେ ସମ୍ବର୍ଦ୍ଧନା ଦିଆଯାଇଛି।

ଟ୍ୱିନସିଟି ପୋଲିସ କମିଶନର ତାଙ୍କୁ ଫୁଲତୋଡା ପ୍ରଦାନ କରିଥିବା ବେଳେ ଡ଼ିସିପି ଓ ସାଥି ପୋଲିସ କର୍ମୀ ତାଳି ମାରି ସ୍ୱାଗତ କରିଥିଲେ। ସୁସ୍ଥ ହୋଇଥିବା ପୋଲିସ କର୍ମୀ ଜଣକ ଏବେ ୧୪ଦିନ କ୍ୱାରେଣ୍ଟିନରେ ରହିବା ପରେ ପୁଣି କାମରେ ଯୋଗ ଦେଇ ପାରିବେ।

କରୋନା ମହାମାରୀ ବ୍ୟାପିବା ସମୟରେ ଅନ୍ୟ ପୋଲିସ କର୍ମୀଙ୍କ ମନୋବଳ ମଜବୁତ କରିବା ଉଦ୍ଦେଶ୍ୟରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ପ୍ରକାଶଥାଉକି, ତେବେ ଗତ ୧୯ରେ ରାଜ୍ୟରେ ପ୍ରଥମ କରି ପୁଲିସ୍‌ କର୍ମୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବାନେଇ କମିସନରଟେ ପୁଲିସ୍ ଟ୍ୱିଟ୍ କରି ସୂଚନା ଦେଇଥିଲା। ସଂପୃକ୍ତ କର୍ମଚାରୀ ଛୁଟିରେ ଯାଇଥିଲେ।

ଛୁଟିରୁ ଫେରିବା ପରେ ତାଙ୍କର କରୋନା ଟେଷ୍ଟ କରାଯିବାରୁ ତାଙ୍କ ଠାରେ କରୋନା ଭୂତାଣୁ ଥିବା ଜଣାପଡ଼ିଥିଲା। ସଂପୃକ୍ତ ୩୬ ବର୍ଷୀୟ ପୁଲିସ୍‌ କର୍ମଚାରୀଙ୍କର କୌଣସି ପ୍ରକାର ଲକ୍ଷଣ ନଥିଲା। ବାହାର ରାଜ୍ୟର ଶ୍ରମିକଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

You might also like