“ଆମ କାମ ଚୋର ଧରିବା, ମାସ୍କ ପିନ୍ଧୁନଥିବା ଲୋକଙ୍କୁ ଧରିବା ନୁହେଁ”

ମାସ୍କ ଓ ସାମାଜିକ ଦୂରତା ମାନନ୍ତୁ

ଭୁବନେଶ୍ୱର: କରୋନାକୁ ନେଇ ପ୍ରେସମିଟ୍‌ କଲେ ପୋଲିସ ମହାନିର୍ଦ୍ଦେଶକ। କହିଲେ, କରୋନାକୁ ରୋକିବାକୁ ହେଲେ ମାସ୍କ ପିନ୍ଧିବା ନିହାତି ଦରକାର। ଏହାସହ ସାମାଜିକ ଦୂରତା ମାନିବା ମଧ୍ୟ ନିହାତି ଦରକାର ବୋଲି କହିଲେ ପୋଲିସ ଡିଜିପି ଅଭୟ। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୋଲିସର କାମ କ୍ରାଇମ୍‌ ଧରିବା, ଚୋରଙ୍କୁ ଗିରଫ କରିବା। କିନ୍ତୁ ବର୍ତ୍ତମାନ ସମୟରେ ସରକାର କରୋନାକୁ ନେଇ ଯେଉଁ କଟକଣା କରିଛନ୍ତି ତାହାକୁ ଯିଏ ମାନୁନାହିଁ ଆମେ ତାଙ୍କୁ ଧରୁଛୁ। ତେଣୁ ଏହି କାମରେ ପୋଲିସ ସନ୍ତୋଷବ୍ୟକ୍ତ କରୁନାହିଁ ବୋଲି ସେ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜ୍ୟରେ ବର୍ତ୍ତମାନ ଅନେକ ଜାମିନ ବିହୀନ ଗିରଫ ପରୱାନ ବ୍ୟକ୍ତିଙ୍କୁ ଗିରଫ କରିବାରେ ରହିଛି। କିନ୍ତୁ ଲୋକମାନେ ଯେହେତୁ କରୋନା କଟକଣାକୁ ସଠିକ୍‌ ଭାବରେ ମାନୁନାହାନ୍ତି ତେଣୁ ଆମେ ସେମାନଙ୍କୁ ଧରିବାକୁ ବାଧ୍ୟ ହେଉଛୁ ଓ ଜୋରିମାନା ମଧ୍ୟ ଆଦାୟ କରୁଛୁ।

ଏହାସହ ସେ କହିଛନ୍ତି ଯେ, ରାଜ୍ୟର ଅନେକ ସ୍ଥାନକୁ ମୁଁ ଏହାରି ମଧ୍ୟରେ ଗସ୍ତ କରିଛି। ଅନେକ ସ୍ଥାନରେ ଲୋକମାନେ କରୋନା କଟକଣା ମାନୁଛନ୍ତି କିନ୍ତୁ ବହୁତ ଲୋକ କରୋନା କଟକଣା ମାନୁନାହାନ୍ତି। ବର୍ତମାନ ସମୟରେ ରାଜ୍ୟ ସରକାର ସାରା ରାଜ୍ୟର ସହରାଚଂଳରେ ସପ୍ତାହାନ୍ତ ସଟଡାଉନ୍‌ କରିବା ସହ ନାଇଟ୍‌ କର୍ଫ୍ୟୁ ମଧ୍ୟ କରିଛନ୍ତି। ତେଣୁ ସରକାରଙ୍କର ଏହି ନିୟମକୁ ଆମେ ସମସ୍ତେ ମାନିବା ଦରକାର ବୋଲି ପୋଲିସ ଡିଜିପି କହିଛନ୍ତି। କରୋନାର ଚେନ୍‌ ଭାଙ୍ଗିବାକୁ ହେଲେ ଆମେ ମାସ୍କ ପିନ୍ଧିବା ନିହାତି ଦରକାର। କାରଣ ମାସ୍କ ହିଁ କରୋନା ମହାମାରୀକୁ ରୋକିବାରେ ସଫଳ ହେବ। ଏହାସହ ଆମେ ସମସ୍ତେ ସାମାଜିକ ଦୂରତା ମାନିବା ନିତ୍ୟାନ୍ତ ଦରକାର। ତେଣୁ ସମସ୍ତଙ୍କୁ ଅନୁରୋଧ ସମସ୍ତେ ମାସ୍କ ଏବଂ ସାମାଜିକ ଦୂରତା ମାନନ୍ତୁ ବୋଲି ପୋଲିସ ଡ଼ିଜି କହିଛନ୍ତି।

ମାର୍କେଟଠାରୁ ଆରମ୍ଭ କରି ହାଟ ବଜାରରେ ଗହଳି ହେଉଥିବା ଦେଖାଯାଉଛି। କେବଳ ଏହି ସ୍ଥାନରେ ନୁହେଁ ବରଂ ଅନେକ ଶିକ୍ଷାନୁଷ୍ଠାନରେ ମଧ୍ୟ କରୋନା ନିୟମ ସଠିକ୍‌ ଭାବରେ ପାଳନ ହେଉନାହିଁ। ପୋଲିସର କାମ ଚୋର ଧରିବା ଏବଂ ଏହା କଲେ ଆମକୁ ଆତ୍ମସନ୍ତୋଷ ମିଳେ। କିନ୍ତୁ ବର୍ତ୍ତମାନ ସମୟରେ ଅମାନିଆଙ୍କୁ ଧରିବା କାର୍ଯ୍ୟରେ ପୋଲିସ ବ୍ୟସ୍ତ ରହୁଛି। ଯାହା କରିବା ଦ୍ୱାରା ଆମେ ନିଜ କାମରେ ଖୁସି ହୋଇପାରୁନାହୁଁ ବୋଲି ଅଭୟ କହିଛନ୍ତି।

କେବଳ ଏପ୍ରିଲ ମାସରେ ମାସ୍କ ପିନ୍ଧିନଥିବା କାରଣରୁ ଦେଢ ଲକ୍ଷ ଲୋକଙ୍କୁ ଆମେ ଧରିଛୁ ଏବଂ ପାଖାପାଖି ୫ କୋଟିରୁ ଅଧିକ ଟଙ୍କା ସେମାନଙ୍କଠାରୁ ଆଦାୟ ହୋଇଥିବା ପୋଲିସ ଡିଜି କହିଛନ୍ତି। କେବଳ ଏତିକି ନୁହେଁ ବରଂ କରୋନା ଗାଇଡ୍‌ ଲାଇନ ଉଲଙ୍ଘନ ପାଇଁ ୩୫୦ ଦୋକାନ ସିଲ୍‌ ହେବା ସହ ୧୮ ହଜାର ଗାଡ଼ି ସିଜ୍‌ ହୋଇଥିବା ଅଭୟ କହିଛନ୍ତି। ତେଣୁ ଆପଣମାନେ ସମସ୍ତେ କରୋନା କଟକଣା ମାନନ୍ତୁ ଓ ଘରେ ରୁହନ୍ତୁ ବୋଲି ପୋଲିସ ଡିଜି କହିଛନ୍ତି।

You might also like