ହାଇକୋର୍ଟରେ ହାଜର ହେଲେ ପୋଲିସ୍‌ ଡିଜି

ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ତଦନ୍ତର ଅଗ୍ରଗତି ନେଇ ପୁନର୍ବାର ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ। ପୂର୍ବ ନିର୍ଦ୍ଦେଶ ମୁତାବକ ଆଜି ଏହି ମାମଲାରେ ହାଜର ହୋଇ ପକ୍ଷ ରଖିଛନ୍ତି ପୋଲିସ୍ ଡିଜି ଅଭୟ।

ସେ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଥିଲେ। ଡିଜିପିଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। ମୁଦା ଲଫାପାରେ ତଦନ୍ତର ଷ୍ଟାଟସ ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି।

ତେବେ ପିଡ଼ିତା ଓ ଅନ୍ୟମାନଙ୍କ ୧୬୧ ଓ ୧୬୪ ବୟାନରେ ତାଳମେଳ ରହୁନାହିଁ। ଏ ନେଇ ପୋଲିସ୍ ଡିଜି ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଯାଇଥିବା ଭାରତୀୟ ବିକାଶ ପରିଷଦର ଓକିଲ କହିଛନ୍ତି। ତେବେ ତଦନ୍ତର ଅଗ୍ରଗତି ନେଇ ହୋଇକୋର୍ଟ ପୁନର୍ବାର ଅସନ୍ତୋଷ ପ୍ରକାଶ କରିବା ସହ ଆସନ୍ତା ଡିସେମ୍ବର ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।

ଗତ ଅଗଷ୍ଟ ୩୦ରେ ପ୍ରଥମେ ଭୁବନେଶ୍ୱର ମହିଳା ଥାନାରେ ହୋଇଥିବା ଏହି ମାମଲାର ତଦନ୍ତ ଦାୟିତ୍ୱ ପରବର୍ତ୍ତି ସମୟରେ କ୍ରାଇମବ୍ରାଞ୍ଚ ନେଇଥିଲା। ଅକ୍ଟୋବର ୬ରୁ କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେଇଥିଲେ ବି ଏଥିରେ ଅଗ୍ରଗତି ନହେବାରୁ ବାରମ୍ବାର ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ। ଗତ ନଭେମ୍ବର ୯ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା।

ଏହାସତ୍ତ୍ୱେ ପୁଣି ଅସନ୍ତୋଷ ଝାଡ଼ି ଏ ମାମଲାରେ ପକ୍ଷ ରଖିବାକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

You might also like