ଅାୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ ନହୁଅନ୍ତୁ ଓଡ଼ିଶାବାସୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ବାଲେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହେବାକୁ ଯାଉଥିବା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତରୁ ଓଡ଼ିଶାବାସୀଙ୍କୁ ବଞ୍ଚିତ କରିବା ଠିକ୍ ନୁହେଁ। ଏହି ଯୋଜନାକୁ ରାଜନୈତିକ ଦୃଷ୍ଟିକୋଣରୁ ବିଚାର କରାନଯାଉ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା। ଆଜି ବାଲେଶ୍ୱରରେ ଭୁବନେଶ୍ୱର ଏମ୍‌ସ୍‌ର ସାଟେଲାଇଟ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଯୋଜନାରେ ହିତାଧିକାରୀ ଆନ୍ତଃରାଜ୍ୟ ସ୍ତରରେ ଚିକିତ୍ସା ସୁବିଧା ପାଇପାରିବେ।

ଅର୍ଥାତ ଗୋଟିଏ ରାଜ୍ୟର ରୋଗୀ ଅନ୍ୟ ରାଜ୍ୟରେ ଥିବା ତାଲିକାଭୁକ୍ତ ହସ୍ପିଟାଲରେ ବି ନିଦାନର ସୁବିଧା ହାସଲ କରିପାରିବେ। ସେହିଭଳି QR କୋଡ୍ ମାଧ୍ୟମରେ ଏହି ସେବା ଉପଲବ୍ଧ ହେବାକୁ ଥିବା ବେଳେ ଯୋଜନାରେ ଆଧାର କାର୍ଡ ସଂଯୋଗ ଚର୍ଚ୍ଚାକୁ ନିରାଧାର ବୋଲି କେନ୍ଦ୍ର ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକେ ସାମିଲ ହେବେ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ରାଜ୍ୟ ସରକାର ଗତ ଅଗଷ୍ଟ ୧୫ ତାରିଖରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରି ସାରିଛନ୍ତି।

ଓଡ଼ିଶାର ଦାବି ମୁତାବକ ୭୦ ଲକ୍ଷ ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରିବାକୁ କେନ୍ଦ୍ର ରାଜି ନହେବାରୁ ରାଜ୍ୟ ସରକାର ନିଜସ୍ୱ ସ୍କିମ୍ ଆଣିଥିବା ପୂର୍ବରୁ ବିଜେଡି କହିଥିଲା। କେନ୍ଦ୍ର ସରକାରଙ୍କ ଏହି ଯୋଜନା ଆସନ୍ତା ସେମ୍ବେର ୨୫ରୁ ସାରା ଦେଶରେ କାର୍ଯ୍ୟକାରୀ ହେବ ବୋଲି ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସ ଅବସରରେ ଘୋଷଣା କରିଛନ୍ତି।

You might also like