ହାତୀ ମଡ଼କକୁ ନେଇ ଘାରିଲା ଚିନ୍ତା: ଗ୍ରାଉଣ୍ଡଜିରୋରେ ପହଞ୍ଚିଲେ ତଦନ୍ତକାରୀ ଟିମ୍‌

ରାଇରଙ୍ଗପୁର ବନଖଣ୍ଡରେ ହାତୀ ଶାବକ ମୃତ

ଭୁବନେଶ୍ୱର: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ କୁ ନେଇ ବନ ବିଭାଗକୁ ଘାରିଛି ଚିନ୍ତା । ଏହି ଅଭୟାରଣ୍ୟରେ ଗତ ୧୪ ଦିନ ମଧ୍ୟରେ ୬ଟି ମାଈ ହାତୀଙ୍କ ଜୀବନ ଯାଇଥିବାବେଳେ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପିସିସିଏଫ୍ ଶଶି ପଲ୍। ରାଜ୍ୟର ଦୁଇ ଜଣିଆ ପ୍ରତିନିଧି ଦଳ ସହ କର୍ଲାପାଟ ଯାଇ କିଭଳି ପରିସ୍ଥିତିରେ ହାତୀଙ୍କ ମୃତ୍ୟୁ ହେଉଛି ଅନୁଧ୍ୟାନ କରିବା ସହ ତେନ୍ତୁଳିପଦର ଗାଁରୁ ଫେରିଛନ୍ତି।

କାହିଁକି ହାତୀର ମୃତ୍ୟୁ ଘଟୁଛି ଏବଂ କେମିତି ଘଟୁଛି ତାହା ଜାଣିବା ପାଇଁ ଅଭୟ୍ୟାରଣ୍ୟରେ ହାତୀ ରହୁଥିବା ସ୍ଥାନରେ DRONE ସାହାଯ୍ୟରେ ତଥ୍ୟ ସଂଗ୍ରହ କରାଯାଇଛି। PCCF ଶଶୀ ପଲଙ୍କ ସହିତ କଳାହାଣ୍ଡି RCCF ସୁଦୀପ୍ତ ଦାସ,ଦକ୍ଷିଣ ବନଖଣ୍ଡ DFO ଟି.ଅଶୋକ କୁମାର, ADVO ଏବଂ OUATର ବିଶେଷଜ୍ଞ ଅଭୟ୍ୟାରଣ୍ୟକୁ ଯାଇଥିଲେ।

ଦକ୍ଷିଣ ବନଖଣ୍ଡ କର୍ଲାପାଟ ଅଭୟାରଣ୍ୟରେ ଚଳିତ ମାସ ୧ ତାରିଖରୁ ଏଯାଏଁ ବ୍ୟାକ୍ଟେରିଆ ସେପ୍ଟିସେମିଆରେ ୬ଟି ମାଇଁ ହାତୀଙ୍କ ମୃତ୍ୟୁ ହୋଇସାରିଲାଣି। ଜଳ ଦ୍ୱାରା ସଂକ୍ରମଣ ହେଉଥିବା ବିଶେଷଜ୍ଞ ଦଳ ପକ୍ଷରୁ କୁହାଯାଇଛି। ୮ ଟିକିଆ ହାତୀ ପଲରୁ ୬ଟି ହାତୀଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଏବେ ୨ଟି ଜୀବୀତ ଅଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନୀରିକ୍ଷଣ କରାଯାଉଥିବା ପିସିସିଏଫ୍ କହିଛନ୍ତି।

ଅନ୍ୟପକ୍ଷେ କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀମୃତ୍ୟୁ ରୋକିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତୁରନ୍ତ ହାତୀ ମୃତ୍ୟୁ ରୋକିବା ପାଇଁ ରାଜ୍ୟ କିମ୍ବା ଜାତୀୟ ସ୍ତରର ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏକ ଭିଡ଼ିଓ କନଫରେନ୍ସିଂ ଯୋଗେ କର୍ଲାପାଟ ସ୍ଥିତିର ସମୀକ୍ଷା କରିବା ସହ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜଙ୍ଗଲ ଓ ପଶୁ ସଂପଦ ବିଭାଗ ମିଳିତ ପ୍ରୟାସ କରି ହାତୀ ମୃତ୍ୟୁ ରୋକିବାକୁ କହିଛନ୍ତି ନବୀନ। ଏହାବ୍ୟତୀତ ଆଖପାଖ ଗାଁରେ ଗୃହ ପାଳିତ ପଶୁଙ୍କୁ ଟିକାକରଣ, ଜଳାଶୟ ବିଶୋଧନ କରିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ବାଘ ଆକ୍ରମରେ ଏକ  ହାତୀ ଶାବକର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ରାଇରଙ୍ଗପୁର ବନଖଣ୍ଡ ବିଶୋଇ ରେଞ୍ଜରେ। ଟଙ୍ଗରୋ ସଂରକ୍ଷିତ ଜଙ୍ଗଲର କୁଞ୍ଜକଚା ଗାଁ ଅଂଚଳରେ କିଛି ଦିନ ଧରି ଏକ ହାତୀପଲ ରହୁଥିଲେ। ହାତୀ ଛୁଆକୁ ପଛପଟୁ ଆକ୍ରମଣ କରିବା ସହିତ ତାର ଶୁଣ୍ଢକୁ ଖାଇଦେଇ ଥିବା ଦେଖିବାକୁ ମିଳିଛି। ତେବେ ହାତୀପଲଙ୍କ ପାଲଟା ଆକ୍ରମଣରେ ବାଘଟି ସେଠାରୁ ପଳାଇ ଯାଇଥିଲା।

ମୃତ ହାତୀ ବିଷୟରେ ଖବର ପାଇ ବିନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।  ମୃତ ହାତୀ ଶାବକର ଶବ ବ୍ୟବଚ୍ଛେଦ ପରେ ଗାତ ଖୋଳି ପୋତି ଦିଆଯାଇଛି । ବାଘ ଭୟରେ ଗ୍ରାମବାସୀ ଆତଙ୍କିତ ଥିବା ବେଳେ ବନବିଭାଗ ବାଘକୁ ଠାବ କରି ପାରି ନଥିବା ଜଣାପଡିଛି।

 

You might also like