କରୋନା ମୁକାବିଲା: ୧୦ ଲକ୍ଷ ଟଙ୍କା ସହାୟତା ଦେଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଶିଳ୍ପ ସଂସ୍ଥା ଠାରୁ ଆରମ୍ଭ କରି ନେତାମନ୍ତ୍ରୀଙ୍କ ସହାୟତା ଲୋଡ଼ୁଥିବା ବେଳେ କିଛି ନେତା ଓ ଶିଳ୍ପପତି ମଧ୍ୟ ସହାୟତା ପ୍ରଦାନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ସହାୟତା ଦେଇଛନ୍ତି ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ଲେଖି ଜଣାଇଛନ୍ତି।
ଚିଠିରେ ବିଭିନ୍ନ ଶ୍ରେଣୀର ଦିନ ମଜୁରିଆ ସାମ୍ନା କରୁଥିବା ସମସ୍ୟାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ନିରଞ୍ଜନ।  ବିଶେଷକରି ନିର୍ମାଣ ଶ୍ରମିକ, ରିକ୍‌ସା ଚାଳକ, ରାସ୍ତାକଡ଼ ଦୋକାନୀ ଓ ଦାଦନ ଶ୍ରମିକମାନେ ଏବେ କଠିନ ସମୟ ଦେଇ ଗତି କରୁଛନ୍ତି। ସରକାରଙ୍କ ଏମାନଙ୍କ ସହାୟତା ପାଇଁ ଆଗେଇ ଆସିବା ଉଚିତ୍ ବୋଲି ଚିଠି ଲେଖିଛନ୍ତି ନିରଞ୍ଜନ।

ତେବେ ଏଥିପାଇଁ ନିଆଯାଇଥିବା କେତେକ ପଦକ୍ଷେପକୁ ସେ ସ୍ୱାଗତ କରିବା ସହିତ ଆହୁରି ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି। ଯଦି ଓଡ଼ିଶାବାସୀ ଓ ସରକାର ଏକାଠି  ହୋଇ କାମ କରିବେ ଏହା ସମ୍ଭବ ହେବ ବୋଲି ନିରଞ୍ଜନ ଚିଠିରେ ଲେଖିଛନ୍ତି।

ତେଣୁ ଏହାକୁ ଦୃଷ୍ଟିରେ ରଖି ସେ ୧୦ଲକ୍ଷ ଟଙ୍କାର ସହଯୋଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରୁଛନ୍ତି। ଯାହାକି ରାଜ୍ୟର ଅବହେଳିତ ବର୍ଗର ଲୋକଙ୍କ ନିରାପତ୍ତା ଦିଗରେ ଖର୍ଚ୍ଚ ହୋଇପାରିବ। ଏହି ଅର୍ଥରାଶିକୁ ସ୍ୱୀକାର କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ସହ ତାଙ୍କର ସମର୍ଥକମାନଙ୍କୁ ମଧ୍ୟ ଏଭଳି ସହଯୋଗ କରିବା ନିମନ୍ତେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

You might also like