ବିଧାୟକଙ୍କୁ ପାଠ ପଢ଼ାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଧାୟକଙ୍କୁ ପାଠ ପଢ଼ାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାୟକଙ୍କୁ ଶାଳୀନତାର ପାଠ ପଢ଼ାଇବା ସହ ସରଳ ଜୀବନଯାପନ ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡ଼ିଶା ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ଅନେକ ଟିପ୍‌ସ୍‌ ଦେଇଛନ୍ତି। ଜନପ୍ରତିନିଧି ଭାବେ ଜନତାଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସେହିପରି ସାଧାରଣ ଲୋକଙ୍କ ସମସ୍ୟା ଦୂର ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଜନତା ହିଁ ରିଅଲ୍ ମାଷ୍ଟର ଅଫ୍ ଡେମୋକ୍ରାସି । ଲୋକଙ୍କ ନିକଟତର ହୋଇ ସେମାନଙ୍କ ସମସ୍ୟା ବୁଝିବା ସହ ଯେତେ ବଡ଼ ପଦବୀରେ ଥିଲେ ମଧ୍ୟ ଲୋକଙ୍କ ହିତ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଏହି ପ୍ରଶିକ୍ଷଣ ଶିବିରରେ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି।

ଏହି ପ୍ରଶିକ୍ଷଣ ଶିବିରରେ ବିଧାନସଭାର କମିଟି ବ୍ୟବସ୍ଥା ଓ ବୈଧାନିକ ପ୍ରକ୍ରିୟା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ସଂସଦୀୟ ବିଶେଷାଧିକାର ପ୍ରଥା, ପରମ୍ପରା ଓ ଶିଷ୍ଟାଚାର ବିଷୟରେ ମଧ୍ୟ ଆଲୋଚନା ହେବ।

ଆସନ୍ତାକାଲି ଦ୍ୱିତୀୟ ଦିନରେ ବିଧାନସଭାର ବଜେଟ୍ ପ୍ରକ୍ରିୟା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଗୃହରେ ସାର୍ବଜନୀନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ପ୍ରଶ୍ନ ଉପସ୍ଥାପନର ପ୍ରକ୍ରିୟା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ।

You might also like