ଭୁବନେଶ୍ୱର: ଆଜି ଭଙ୍ଗା ଯାଇ ନପାରେ ବିଧାନସଭା ସମ୍ମୁଖରେ ଥିବା ବିଧାୟକମାନଙ୍କ କ୍ୱାର୍ଟର୍ସ। କିଛି ମନ୍ତ୍ରୀ, ବିଧାୟକ କ୍ୱାର୍ଟର୍ସ ଖାଲି କରି ନଥିବାରୁ ଆଜି ଏଗୁଡ଼ିକ ଭଙ୍ଗାଯିବ ନାହିଁ ବୋଲି ସୂଚନା ମିଳିଛି। କ୍ୱାର୍ଟର୍ସ ଖାଲି କରିନଥିବା ନେଇ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି, ପ୍ରବୀଣ ଭଂଜଦେଓ ପାଇଥିବା କ୍ୱାର୍ଟର୍ସଟି ତାଙ୍କୁ ମିଳିଛି। ସେ ବିଦେଶ ଗସ୍ତରେ ଅଛନ୍ତି। ତେଣୁ ଫେରିଲେ କ୍ୱାର୍ଟର୍ସ ବଦଳାଇବେ ବୋଲି ମନ୍ତ୍ରୀ କହିଛନ୍ତି।
ଏଫ୍ ଟାଇପ୍ ଓ ଆର୍ ଟାଇପ୍କୁ ମିଶାଇ ୪୨ଟି କ୍ୱାର୍ଟର୍ସ, ପୁଲିସ ଷ୍ଟେସନ, ପୋଷ୍ଟ୍ ଅଫିସ, ରେଲୱେ ଅଫିସ୍ ଓ ଆୟୁର୍ବେଦିକ ହସ୍ପିଟାଲ ମଧ୍ୟ ଭଙ୍ଗା ହେବାର ଅଛି। ଏହାପରେ ସେଠାରେ ବିଧାୟକଙ୍କ ପାଇଁ ନୂଆ ୧୦ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ତିଆରି ହେବ। ସେଠାରେ ୨ ମହଲା ଅଣ୍ଡର୍ ଗ୍ରାଉଣ୍ଡ୍ ପାର୍କିଂ, ଥାନା ଓ ବିଧାୟକଙ୍କ ପାଇଁ ହସ୍ପିଟାଲ୍ ସହ ଗାର୍ଡେନ୍, ଜିମ୍, ସ୍ୱିମିଂପୁଲ୍, କମ୍ୟୁନିଟି ହଲ୍ ଆଦି ନିର୍ମାଣ ହେବ।