ହାତରେ ଦା’ ଧରି ବିଲରେ ଧାନ କାଟିଲେ ବିଧାୟକ

ଉମରକୋଟ: ବିଧାୟକ ସାଜିଲେ ଚାଷୀ। ହାତରେ ଦା’ ଧରି ନିଜେ କାଟିଲେ ଧାନ। ନିଜର ନିଆରା କାର୍ଯ୍ୟଶୈଳୀକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହୁଥିବା ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବିଲରେ ଧାନ କାଟୁଥିବା ଦେଖିବାକୁ ମିଳିଛି।

ବିଧାୟକ ନିଜ ଜମିରେ ଅନ୍ୟ ଦିନ ମଜୁରିଆଙ୍କ ସହ ମିଶି ଧାନ କାଟୁଥିବା ନଜର ଆସିଛି। ଏପରିକି ନିଜେ ବିଧାୟକ ଧାନକୁ ସଜାଡ଼ି ରଖିବା ସହ ସେସବୁକୁ ବିଡ଼ା କରି ବାନ୍ଧୁଥିବା ମଧ୍ୟ ଦେଖିବାକୁ ମିଳିଛି।

ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନିଜେ ଜଣେ ଚାଷୀ ପରିବାରରୁ ଆସି ଥିବାବେଳେ ପେଷାରେ ଜଣେ ଓକିଲ। ତଥାପି ତାଙ୍କର ଚାଷ କାମ ପ୍ରତି ଦୁର୍ବଳତା ରହିଛି। ଅନ୍ୟ ମାନଙ୍କ ସହ ଚାଷ କାର୍ଯ୍ୟରେ ସାହାଯ୍ୟ କଲେ ସେମାନଙ୍କ ମନୋବଳ ବୃଦ୍ଧି ପାଇବ ବୋଲି ବିଧାୟକ କହିଛନ୍ତି। ଲୋକେ ତାଙ୍କୁ ଜନପ୍ରତିନିଧି ଭାବେ ବାଛିଛନ୍ତି। ତଥାପି ସେ ତାଙ୍କର କୌଳିକ ବୃତ୍ତିକୁ ଛାଡ଼ିପାରିବେ ନାହିଁ ବୋଲି କହିଛନ୍ତି।

ବିଧାୟକ ନିତ୍ୟାନନ୍ଦଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ବିଲରେ ଧାନ କାଟୁଥିବା ଦେଖିବାକୁ ମିଳିଛି। ନିତ୍ୟାନନ୍ଦଙ୍କ ପତ୍ନୀ ପେଶାରେ ଜଣେ ଶିକ୍ଷୟିତ୍ରୀ। ବର୍ତ୍ତମାନ କରୋନା ଯୋଗୁ ସ୍କୁଲ୍ ଛୁଟି ଥିବାରୁ ସେ  ସ୍ୱାମୀଙ୍କ ସହ ଚାଷ କାମରେ ସାହାଯ୍ୟ କରୁଥିବା କହିଛନ୍ତି ନିତ୍ୟାନନ୍ଦଙ୍କ ପତ୍ନୀ।

You might also like