ଟିକା ନେଉଛନ୍ତି ବିଧାୟକ ଓ ସାଂସଦ, ଜାଣନ୍ତୁ ଆଜି କେଉଁ ମାନେ ନେଲେ ଟିକା?

ବିଧାୟକ ନେଲେ ଟିକା

ଭୁବନେଶ୍ୱର: ବିଧାନସଭା ପରିସରରେ ଥିବା ଡିସ୍ପେନ୍ସେରୀରେ ବିଧାୟକଙ୍କୁ କରାଯାଉଛି ଟିକାକରଣ। ବର୍ତ୍ତମାନର ବିଧାୟକ, ପୂର୍ବତନ ବିଧାୟକ, ବିଧାନସଭାର କର୍ମଚାରୀଙ୍କୁ ଏଠାରେ କୋଭିଡ୍ ଟିକାକରଣ କରାଯାଉଛି। ଯେଉଁ ବିଧାୟକଙ୍କ ବୟସ ୬୦ ବର୍ଷରୁ ଅଧିକ ହୋଇଥିବ ସେମାନେ ଟିକା ନେଇପାରିବେ ବୋଲି ଜଣାପଡିଛି। ସେହିପରି ୪୫ ବର୍ଷରୁ ଅଧିକ ବୟସ୍କ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ବି ବିଧାୟକ ମାନେ ଟିକା ନେଇ ପାରିବେ।

ଯେଉଁମାନେ ଅନ୍ ଲାଇନ୍ ପଞ୍ଜିକରଣ କରିନାହାନ୍ତି ସେମାନେ ସେଠାରେ ପଞ୍ଜିକରଣ କରି ଟିକା ନେଉଛନ୍ତି। ବିଧାୟକ ସୁରେଶ ରାଉତରାୟ ଓ ତାଙ୍କ ପତ୍ନୀ ଟିକା ନେଇଥିବା ବେଳେ ଅନ୍ୟ ବିଧାୟକଙ୍କ ଭିତରେ ଅଛନ୍ତି ଅଧୀରାଜ ପାଣିଗ୍ରାହୀ, ନବଚରଣ ମାଝି, ଅରବିନ୍ଦ ଢାଲି, ଶ୍ରୀକାନ୍ତ ସାହୁ, ଅମର ପ୍ରସାଦ ଶତପଥୀ, ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ର। ଆଜି ୨୦ ରୁ ଅଧିକ ବିଧାୟକଙ୍କୁ ଏଠାରେ ଟିକାକରଣ କରାଯିବ। ସେପଟେ ବଲାଙ୍ଗିରରେ ଟିକା ନେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେହିପରି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ଟିକା ନେଇଛନ୍ତି। ସମସ୍ତେ ନିର୍ଭୟରେ ଟିକା ନେବାକୁ ସେ ଆହ୍ୱାନ ଦେଇଛନ୍ତି।

ସେପଟେ ଆଜି କୋଭିଡ୍ ଟିକା ନେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ସେ ଓ ତାଙ୍କ ପତ୍ନୀ ଆଜି ଦିଲ୍ଲୀ ସ୍ଥିତ ହାର୍ଟ ଆଣ୍ଡ ଲଙ୍ଗ୍ସ ଇନଷ୍ଟିଟ୍ୟୁଟ୍‌ ଯାଇ ପ୍ରଥମ ଡୋଜ୍ କୋଭିଡ୍ ଟିକା ନେଇଛନ୍ତି। ଏହି ଅବସରରେ ହର୍ଷବର୍ଦ୍ଧନ ସମସ୍ତଙ୍କୁ କୋଭିଡ୍ ଭ୍ୟାକ୍ସିନ ନେବାକୁ ଅନୁରୋଧ କରିଛନ୍ତି। ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ନେବା ଜରୁରୀ। ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱଦେଶୀ ଟିକା କୋଭାକ୍ସିନ ନେବା ପରେ ଏହାକୁ ସଂଜୀବନୀ ସହ ତୁଳନା କରିଛନ୍ତି। ହନୁମାନ ଜୀ ସଂଜୀବନୀ ପାଇଁ ଭାରତକୁ ଏପାଖରୁ ସେପାଖକୁ ପାର କରିଥିଲେ। ହେଲେ ଏବେ ସଂଜୀବନୀ ଘରୋଇ ଓ ସରକାରୀ ହସ୍ପିଟାଲରେ ଉପଲବ୍ଧ ବୋଲି ରାମାୟଣର ଉଦାହରଣ ଦେଇ କହିଛନ୍ତି ହର୍ଷବର୍ଦ୍ଧନ। ଏହି ଭ୍ୟାକ୍ସିନ ପାଇଁ ମୁଁ ୨୫୦ ଟଙ୍କା ଦେଲି, ଯେଉଁମାନେ ଭ୍ୟାକ୍ସିନ କିଣିବାରେ ସମର୍ଥ ସେମାନେ ଟଙ୍କା ଦେଇ ଭ୍ୟାକ୍ସିନ ନିଅନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।

ତେବେ ଗତକାଲି ଦିଲ୍ଲୀ ଏମ୍ସରେ କୋଭାକ୍ସିନ୍ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏପଟେ ଭୁବନେଶ୍ୱରରେ ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୬୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଏହି ପର୍ଯ୍ୟାୟରେ ଟିକା ଦିଆଯାଉଥିବା ବେଳେ, ଆସନ୍ତା ଅଗଷ୍ଟ ସୁଦ୍ଧା ୩୦ କୋଟି ଲୋକଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର।

କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ଏମ୍ସରେ କୋଭାକ୍ସିନର ପ୍ରଥମ ଡୋଜ୍ ଗ୍ରହଣ କରିବା ବେଳେ ସେ ନର୍ସିଂ ଅଫିସରଙ୍କୁ ସେମାନଙ୍କ ଘର କେଉଁଠି ବୋଲି ପଚାରିବା ସହ ଟିକା ଦେଇ ଦେଲ, ଜଣା ବି ପଡ଼ିଲାନି ବୋଲି କହିଥିଲେ। ସୂଚନା ଅନୁସାରେ, ମୋଦିଙ୍କୁ ଟିକା ଦେଇଥିଲେ ପୁଡୁଚେରୀର ସିଷ୍ଟର ପି. ନିଭେଦା। ୨୮ ଦିନ ପରେ ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଡୋଜ୍ ନେବେ। କରୋନା ବିରୋଧୀ ଲଢ଼େଇରେ ଡାକ୍ତର ଓ ବୈଜ୍ଞାନିକଙ୍କ ତ୍ୱରିତ କାର୍ଯ୍ୟକୁ  ପ୍ରଶଂସା କରିବା ସହ, ଦେଶକୁ କରୋନା ମୁକ୍ତି କରିବା ପାଇଁ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବାକୁ ଟୁଇଟ୍ କରି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

You might also like