ଆରମ୍ଭ ହେବ ୧୦ କିଲୋମିଟର ଦୂରରୁ ଆସୁଥିବା ମାଟ୍ରିକ ମୂଲ୍ୟାୟନକାରୀଙ୍କ ଚିହ୍ନଟ ପ୍ରକ୍ରିୟା

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରର ୧୦ କିଲୋମିଟର ଦୂରରୁ ଆସୁଥିବା ଶିକ୍ଷକଙ୍କୁ ଚିହ୍ନଟ କରାଯିବ। ଖାତା ଦେଖିବାକୁ ଆସିବାକୁ ଥିବା ଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମାଟ୍ରିକ୍ ଖାତା ମୂଲ୍ୟାୟନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ।

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରାଯିବ। ୧୦ କିଲୋମିଟର ଦୂରରୁ କେତେ ପରିମାଣର ଶିକ୍ଷକ ଆସୁଛନ୍ତି, କେତେ ମୂଲ୍ୟାୟନ କେନ୍ଦ୍ର ରହିଛି ସେ ନେଇ ବିସ୍ତୁତ ତଥ୍ୟ ମଗାଯାଇଛି। ଏନେଇ ରାଜ୍ୟର ସମସ୍ତ ଡିଇଓଙ୍କ ସହ ଆଲୋଚନା ହୋଇଛି। ୧୦ କିଲୋମିଟର ଭିତରେ ଅଧିକରୁ ଅଧିକ ମୂଲ୍ୟାୟନ କେନ୍ଦ୍ର ଖୋଲାଯିବା ସହ ଆବଶ୍ୟକ ପଡ଼ିଲେ ଅଧିକ କେନ୍ଦ୍ର ପାଇଁ ବ୍ୟବସ୍ଥା ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଖାତା ଦେଖା ସମୟରେ କଡ଼ାକଡ଼ି ଭାବେ କୋଭିଡ ଗାଇଡଲାଇନକୁ ପାଳନ କରାଯିବ। ତେବେ ଏନେଇ ଆସନ୍ତା ସୋମବାର ଦିନ ସମ୍ପୂର୍ଣ୍ଣ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନକୁ ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ। ୧୦ କିଲୋମିଟର ଦୂରରୁ ଆସୁଥିବା ମୂଲ୍ୟାୟନକାରୀଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟାଳୟ।

You might also like