ପୁରୀ ରଥ ଯାତ୍ରା ନେଇ ଆଇନ ମନ୍ତ୍ରୀଙ୍କୁ ପଚାରିବାରୁ ସେ କହିଲେ…

ପୁରୀ: ଏବର୍ଷ କିପରି ପାଳନ ହେବ ରଥଯାତ୍ରା? ତିଥି ଅନୁସାରେ ଆସନ୍ତା ଜୁନ୍ ୨୩ ତାରିଖରେ ରଥଯାତ୍ରା ପାଳନ ହେବାକୁ ଥିବା ବେଳେ, କରୋନା ସ୍ଥିତିରେ ଏହା କିପରି ପାଳନ ହେବ ସେନେଇ ସାଧାରଣରେ ଆଶଙ୍କା ସୃଷ୍ଟି ହୋଇଛି। ଏବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ମଧ୍ୟ ବନ୍ଦ ରହିଛି।

ରଥଯାତ୍ରା ସମ୍ପର୍କରେ ପଚାରିବାରୁ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ରଥଯାତ୍ରା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। ଏନେଇ ଆଲୋଚନା ଚାଲିଛି। ଖୁବ୍‌ଶୀଘ୍ର ରଥଯାତ୍ରା ନେଇ ନିଷ୍ପତ୍ତି ନିଆଯିବ।

ଯେହେତୁ କରୋନା ଭାଇରସ୍‌ ପାଇଁ ଏପର୍ଯ୍ୟନ୍ତ କୌଣସି ଭ୍ୟାକ୍ସିନ୍ ବାହାରି ନାହିଁ, ସେଥିପାଇଁ ଏହାର ମୁକାବିଲା ପାଇଁ ଲକ୍ ଡାଉନ୍‌ ଭଳି ବଳି ବଳିଷ୍ଟ ପଦକ୍ଷେପ ନିଆଯାଉଛି।

ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କରୋନା ପାଇଁ ଟିକା ତିଆରି କରିବାକୁ ସାରା ବିଶ୍ୱ ନିଜ ନିଜ ସ୍ତରରେ ଉଦ୍ୟମ ଚଳାଇଛନ୍ତି। ଟିକା ବାହାର କରିବା ପାଇଁ ପ୍ରାୟ ଦେଢ ବର୍ଷ ସମୟ ଲାଗିପାରେ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ଏପରି କ୍ଷେତ୍ରରେ ମହାପ୍ରଭୁଙ୍କ ରଥାଯାତ୍ରା ହେବା ନେଇ ଆଶଙ୍କା ଦେଇଛି।

ଅନ୍ୟପଟେ ଆସନ୍ତା ୨୬ ତାରିଖରେ ଚନ୍ଦନ ଯାତ୍ରା ପଡ଼ୁଥିବାରୁ କେମିତି ଠାକୁରଙ୍କ ନୀତିକାନ୍ତି ହେବ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ସେବାୟତ। ତେବେ ସାମାଜିକ ଦୂରତା ରଖି ଚନ୍ଦନ ଯାତ୍ରାର ସମସ୍ତ ନୀତିକାନ୍ତି ସମ୍ପାଦନ କରାଯିବ ବୋଲି କୁହାଯାଇଛି।

ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ଚଳିତବର୍ଷ ଚନ୍ଦନଯାତ୍ରା ବିନା ଭକ୍ତରେ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ତେବେ ବିଧିବଦ୍ଧ ବୈଠକ ବସିନାହିଁ। ବୈଠକ ବସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଚନ୍ଦନ ଯାତ ପରେ ଘୋଷଯାତ୍ରା କଥା ବିଚାର କରାଯିବ। ଯଦି  କରୋନା ମହାମାରୀରେ କୌଣସି ପରିବର୍ତ୍ତନ ନହୁଏ ତେବେ ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ଘୋଷଯାତ୍ରା ମଧ୍ୟ ହେବ।  ଘରେ ବସି ଟିଭି ମାଧ୍ୟମରେ ରଥଯାତ୍ରା ଦେଖିବେ ଭକ୍ତ।

You might also like