ମେ ୧ରୁ ୫ ଭିତରେ ରାଜ୍ୟରେ ଦିନକୁ ଚିହ୍ନଟ ହେବେ ୧୦ ହଜାର ସଂକ୍ରମିତ

କେବେ କମିବ ସଂକ୍ରମଣ?

ଭୁବନେଶ୍ୱର( ଅରିନ୍ଦମ ଦାସ): ରାଜ୍ୟରେ ଲଗାତର ଦୁଇ ଦିନ ଧରି ସଂକ୍ରମଣର ୬ ହଜାର ଟ୍ରେଣ୍ଡ ରହିଛି। ପ୍ରତିଦିନ ନୂଆ ନୂଆ ଅଲୋଡ଼ା ରେକର୍ଡ। ହେଲେ, ଏହାର ଶେଷ କେଉଁଠି? ରାଜ୍ୟରେ କେବେ ଥମିବ ଦ୍ୱିତୀୟ ଲହରର କୋପ? ବିଶେଷଜ୍ଞଙ୍କ ଆକଳନ କହୁଛି ସଂକ୍ରମଣର ଏ ସୁନାମୀ ମେ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜାରି ରହିପାରେ। ଏପରିକି କାନପୁର ଆଇଆଇଟି ପକ୍ଷରୁ ପ୍ରସ୍ତୁତ ଏକ ଗାଣିତିକ ମଡେଲ୍ ଅନୁଯାୟୀ ମେ ୧ରୁ ୫ ତାରିଖ ଭିତରେ ରାଜ୍ୟରେ ଶୀର୍ଷ ଛୁଇଁପାରେ କୋଭିଡ୍ ସଂକ୍ରମଣ।

ଲଗାତର ତିନି ଦିନ ଧରି ୪ ହଜାର ପରେ ହଠାତ୍ ୫ ହଜାର ସଂଖ୍ୟାକୁ ପାର୍ କରି କାଲି ଏକାଥରେ ୬ ହଜାରକୁ ଡେଇଁଥିଲା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ବି ସେହି ୬ ହଜାର ଉପରେ ଦୈନିକ ସଂକ୍ରମଣର ଟ୍ରେଣ୍ଡ ଥିଲା। ଗତକାଲି ୭ ଜଣଙ୍କ ଜୀବନ ଯାଇଥିଲା, ଆଜି ମୃତ୍ୟୁ ସଂଖ୍ୟା ୮। ହେଲେ ଆଗକୁ ଆଉ କେତେ ଉପରକୁ ଯିବ ମହାମାରୀ ସଂକ୍ରମଣର ଏ ଗ୍ରାଫ୍? ଦ୍ୱିତୀୟ ଲହରରେ ରାଜ୍ୟରେ ନିଇତି ନୂଆ ଶୀର୍ଷ ଛୁଇଁ ଚାଲିଥିବା କରୋନା ସଂକ୍ରମଣର ଶେଷ ଶିଖର କେଉଁଠି ? ବିଶେଷଜ୍ଞଙ୍କ ମତରେ ଆସନ୍ତା ୩ ସପ୍ତାହ ରାଜ୍ୟ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ମେ ୧ରୁ ୫ ଭିତରେ ରାଜ୍ୟରେ ସଂକ୍ରମଣ ପିକରେ ପହଞ୍ଚିପାରେ। ସେତେବେଳେ ଦିନକୁ ରାଜ୍ୟରେ ୧୦ ହଜାର ସଂକ୍ରମିତ ଚିହ୍ନଟ ହୋଇପାରନ୍ତି।

ଏପଟେ ଦ୍ୱିତୀୟ ଲହରରେ ଦେଶରେ ସଂକ୍ରମଣ ଯେଉଁଭଳି ଦ୍ରୁତଗତିରେ ମାଡିଚାଲିଛି, ତାହା ମେ ମଧ୍ୟଭାଗରେ ଶୀର୍ଷ ଛୁଇଁବାର ଆକଳନ କରିଛି ଆଇଆଇଟି କାନପୁର ଦ୍ୱାରା ପ୍ରସ୍ତୁତ ଏକ ଗାଣିତିକ ମଡେଲ୍। ଏହି ମଡେଲ୍ ଅନୁଯାୟୀ ମେ ୧୧ରୁ ୧୫ ଭିତରେ ଦେଶରେ ସକ୍ରିୟ ସଂକ୍ରମଣ ମାମଲା ୩୩ରୁ ୩୫ ଲକ୍ଷ ଯାଏଁ ପହଞ୍ଚିବ। ଯାହାକି ପ୍ରଥମ ଲହରର ଶୀର୍ଷ ସଂକ୍ରମଣଠୁ ୩ ଗୁଣା ଅଧିକ ରହିବ। ଏହି ମଡେଲ୍ ଅନୁଯାୟୀ ମହାରାଷ୍ଟ୍ର ଓ ଛତିଶଗଡ଼ ଏବେ ସଂକ୍ରମଣର ଶୀର୍ଷ ସ୍ତରରେ ପହଞ୍ଚିସାରିଛି। ତେବେ ଏପ୍ରିଲ୍ ୨୫ରୁ ୩୦ ମଧ୍ୟରେ ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଓ ତେଲେଙ୍ଗାନାରେ ସଂକ୍ରମଣ ଶୀର୍ଷ ଛୁଇଁବ। ଆଉ ଏହାପରେ ଓଡ଼ିଶାର ପାଳି।

ଏହି ମଡେଲ୍ ଅନୁଯାୟୀ ଓଡ଼ିଶା ଓ ଅନ୍ୟ ଦୁଇ ରାଜ୍ୟ କର୍ଣ୍ଣାଟକ ଓ ପଶ୍ଚିମବଙ୍ଗରେ ମେ ୧ରୁ ୫ ଭିତରେ ସଂକ୍ରମଣ ଏକଦମ୍‌ ପିକରେ ରହିବ। ଏହାପରେ ମେ ୬ରୁ ୧୦ ଭିତରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ନୂଆ ଶୀର୍ଷ ସଂକ୍ରମଣରେ ପହଞ୍ଚିବ। ମେ ୧୫ ପରେ ହୁଏତ ଦେଶରେ ସଂକ୍ରମଣ ତଳମୁହାଁ ହୋଇପାରେ ତା ପୂର୍ବରୁ ନୁହେଁ। ଆଇଆଇଟି କାନପୁରର ଏ ଆକଳନକୁ ଯଦି ବିଶ୍ୱାସ କରାଯାଏ, ତାହେଲେ ରାଜ୍ୟରେ ସଂକ୍ରମଣର ଏ ସୁନାମୀ ମେ ପ୍ରଥମ ସପ୍ତାହ ପୂର୍ବରୁ ଥମିବାର ସମ୍ଭାବନା ନାହିଁ।

You might also like