ସିଲାବସ୍ ପରେ କମିଲା ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ମାର୍କ; କଲେଜ୍‌ ଓ ବିଶ୍ୱବିଦ୍ୟାଳୟ ପାଇଁ ଏମିତି ନିଷ୍ପତ୍ତି

ଭୁବନେଶ୍ୱର: ପ୍ରଥମେ ସିଲାବସ୍‌ରେ କମାଇବା ପରେ ଏବେ ମାର୍କ ବି କମିଲା। କରୋନା ପ୍ରଭାବିତ ଶିକ୍ଷାବର୍ଷରେ ପିଲାଙ୍କୁ ଉପରୁ ଚାପ ହ୍ରାସ ପାଇଁ ପରୀକ୍ଷାରୁ ଫୁଲ୍ ମାର୍କ କମାଇଛନ୍ତି ସରକାର। ଏଥର ମାଟ୍ରିକ୍ ପରୀକ୍ଷାର ବିଷୟବସ୍ତୁ ୧୦୦ ମାର୍କ ବଦଳରେ ୮୦ ମାର୍କ ବିଶିଷ୍ଟ ହେବ। ସେପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଶ୍ରେଣୀ ଶିକ୍ଷାଦାନ ନିଷ୍ପତ୍ତି ପରେ ଆରମ୍ଭ ହୋଇଛି ସ୍କୁଲ ଖୋଲା ପ୍ରସ୍ତୁତି। ତା’ସହ ଆସନ୍ତା ୧୧ରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ସରକାର ନିଷ୍ପତ୍ତି ନେବା ସହ ଏମାନଙ୍କ ପାଠ୍ୟଦାନ, ପରୀକ୍ଷା ଓ ଫଳ ପ୍ରକାଶ ସୂଚୀ ବି ପ୍ରକାଶ ପାଇଛି।

ମାର୍କ କମାଇବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବା ପରେ ଏଥର ମାଟ୍ରିକ୍ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଓଏମ୍‌ଆର୍‌ସି ୫୦ ମାର୍କର ସର୍ଟ କୋଶ୍ଚିନ ୩୦ ମାର୍କ ଲଙ୍ଗ କୋଶ୍ଚିନର ଉତ୍ତର ଦେବେ। ତେବେ ମୂଲ୍ୟାୟନ କିନ୍ତୁ ୧୦୦ ପ୍ରତିଶତ ଆଧାରରେ କରାଯିବ। ଅର୍ଥାତ୍‌ ପରୀକ୍ଷା ଦେଇଥିବା ୮୦ ମାର୍କରୁ ପରୀକ୍ଷାର୍ଥୀ ଯେତିକି ମାର୍କ ରଖିବେ, ସେଇ ଅନୁପାତରେ ୧୦୦ ମାର୍କରୁ ଆଭରେଜ ମାର୍କିଂ ହେବ। ତେବେ ରେଜଲ୍ଟ ବାହାର କରିବା ନେଇ କୌଣସି ସଠିକ ସୂଚନା ଦେଇ ନାହାନ୍ତି ସ୍କୁଲ୍‌ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ। ତେବେ ଖୁବ୍‌ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହଛନ୍ତି।

ବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀ ଖୁସି ଥିଲେ ବି ମୂଲ୍ୟାୟନ କେମିତି ହେବ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ୍।

ଶିକ୍ଷାବିତ ପ୍ରୀତୀଶ ଆଚାର୍ଯ୍ୟ କହିଛନ୍ତି  ଯେ ପିଲା ସବ୍‌ଜେକ୍ଟିଭ୍‌ ପ୍ରଶ୍ନର ଉତ୍ତର ଦେବା କଥା। ପ୍ରଶ୍ନର ସବିଶେଷ ଉତ୍ତର ଲେଖିବା କଥା, ଯାହାଦ୍ୱାରା ପିଲାଙ୍କ ମେଧାବୀଗୁଣକୁ ଆକାଳନ କରାଯାଇପାରେ। କିନ୍ତୁ ଯଦି ଏପରି ପରୀ‍କ୍ଷା ହେବ ତେବେ ମେଧାବୀଗୁଣ ଆକଳନ କରିବାରେ ସମସ୍ୟା ହେବ ବୋଲି ପ୍ରୀତୀଶ ଆଚାର୍ଯ୍ୟ କହିଛନ୍ତି।

ଏପଟେ ପ୍ରାୟ ୯ ମାସ ପରେ ଆସନ୍ତା ୮ତାରିଖରୁ ମାଟ୍ରିକ୍ ଓ ଯୁକ୍ତ ଦୁଇ ପିଲାଙ୍କ ପାଇଁ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେବାକୁ ଯାଉଛି। ମଝିରେ ଆଉ ମାତ୍ର ୪ ଦିନ ବାକି ଥିବାରୁ ସ୍କୁଲ ଖୋଲିବା ପ୍ରସ୍ତୁତି ଜୋରଦାର ହୋଇଛି। ପିଲାଏ ଆସିବା ପୂର୍ବରୁ କ୍ଲାସ୍ ରୁମ୍‌କୁ ପରିଷ୍କାର କରିବା ସହ ବିଶୋଧନ ସିଞ୍ଚନ ହେଉଛି। ହାତଧୁଆ ପାଇଁ ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥାକୁ ବି ଗୁରୁତ୍ୱ ଦିଆଯାଉଛି। ସେହିପରି ଆବାସିକ ବିଦ୍ୟାଳୟର ହଷ୍ଟେଲ ଖୋଲିବାକୁ ମଧ୍ୟ ସରକାର ଅନୁମତି ଦେଇଥିବାରୁ ଏସବୁ ହଷ୍ଟେଲ ଖୋଲିବା ନେଇ ତତ୍ପରତା ଦେଖାଦେଇଛି।

ଅନ୍ୟପଟେ ଆସନ୍ତା ୧୧ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ୟୁନିଭର୍ସିଟି ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଶେଷ ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କର କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ। UGର ପଂଚମ ଏବଂ PGର ତୃତୀୟ ସେମିଷ୍ଟର ପାଇଁ ଜାନୁଆରୀ ୧୧ ତାରିଖରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ କ୍ଲାସ୍ ହେବ।

ମାର୍ଚ୍ଚ ୧୬ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଉଭୟଙ୍କ ସେମିଷ୍ଟର ପରୀକ୍ଷା କରାଯିବ। ଉଭୟ ସେମିଷ୍ଟରର ରେଜଲ୍ଟ ଏପ୍ରିଲ ୩୦ ସୁଦ୍ଧା ପ୍ରକାଶ ପାଇବ। ଏପ୍ରିଲ ୨ରୁ ଜୁନ ୧୫ ଯାଏ, UG ଓ PGର ଶେଷ ସେମିଷ୍ଟର କ୍ଲାସ ହେବ।

ଜୁନ ୧୬ରୁ ଜୁନ ୩୦ ପର୍ଯ୍ୟନ୍ତ ଶେଷ ସେମିଷ୍ଟର ପରୀକ୍ଷା କରାଯାଇ ଜୁଲାଇ ୧୫ ସୁଦ୍ଧା ଫଳ ପ୍ରକାଶ ପାଇବ। ସେପଟେ ଜାନୁଆରୀ ୧୦ରୁ ଉଚ୍ଚଶିକ୍ଷା ବିଭାଗ ହଷ୍ଟେଲ ଖୋଲିବାକୁ ବି ଅନୁମତି ଦେଇଛନ୍ତି ସରକାର।

ଏ ସମ୍ପର୍କରେ ସୂଚନା ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ଗାଇଡ୍‌ଲାଇନ୍ ଅନୁସାରେ ନିୟମ ମାନି ପାଠପଢ଼ା ଚାଲିବ। ପ୍ରଥମ ପର୍ଯ୍ୟାୟରେ UG ଓ ପିଜିର ଶେଷ ବର୍ଷର ଛାତ୍ରଛାତ୍ରୀମାନେ ୧୧ ତାରିଖରୁ କଲେଜ୍‌କୁ ଆସିବେ। ପରବର୍ତ୍ତି ସମୟରେ ବାକି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ।

You might also like