କଟାମୁଣ୍ଡ ନେଇ ଥାନାରେ ହାଜର ହତ୍ୟାକାରୀ

ଯାଜପୁର: ଯାଜପୁର ଦାନଗଦିରେ ଅନ୍ଧବିଶ୍ୱାସରୁ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ମୁଣ୍ଡ କାଟି ହତ୍ୟା କରାଯାଇଛି। ମୃତକ ହେଲେ ନନ୍ଦିନୀ ପୂର୍ତ୍ତି। ଏହାପରେ ଅଭିଯୁକ୍ତ ଜଣକ କଟାମୁଣ୍ଡ ଓ ଟାଙ୍ଗିଆ ସହ ଥାନାରେ ଆତ୍ମସମର୍ପଣ କରିଛି। ଦାନଗଦି ବ୍ଲକ ଓଲଳ ପଞ୍ଚାୟତ ଛତରା ଗାଁରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ। ଦାଦାପୁଅ ଭାଇର ମୃତ୍ୟୁ ପାଇଁ ଦାୟୀ କରି ବୃଦ୍ଧାଙ୍କୁ ନୃଶଂସ ହତ୍ୟା କରିଥିବା ଜଣାପଡ଼ିଛି। ଅଭିଯୁକ୍ତ କାର୍ତ୍ତିକ କରେଇକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ପୋଲିସ।

ଦାନଗଦୀ ବ୍ଲକ ଓଲ୍ଲଳ ପଞ୍ଚାୟତ ଛତରା ଗାଁରେ ନନ୍ଦିନୀ ପୂର୍ତ୍ତି ଝାଡ଼ାଫୁଙ୍କା କରନ୍ତି। ଦିନେ ହଠାତ ଉକ୍ତ ଗାଁର କାର୍ତ୍ତିକ କରେଇଙ୍କ ଦାଦା ପୁଅ ଭାଇଙ୍କୁ ଜ୍ୱର ହୋଇଥିଲା। ସେ ତାଙ୍କୁ ନନ୍ଦିନୀଙ୍କ ପାଖକୁ ନେଇଥିଲେ। ନନ୍ଦିନୀ ତାଙ୍କୁ ଝଡ଼ାଫୁଙ୍କା କରିଥିଲେ। ଦେହ ଭଲ ହୋଇଯିବ ବୋଲି ସେ କହିଥିଲେ। ଏହା ପରେ କାର୍ତ୍ତିକ ନିଜ ଭାଇକୁ ଧରି ଘରକୁ ଆସିଥିଲେ। ଘରେ ପହଞ୍ଚିବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନା ନେଉଥିବା ବେଳେ ରାସ୍ତାରେ ମୃତ୍ୟୁ ଘଟିଥିଲା। ଏକଥା ଶୁଣିବା ପରେ କାର୍ତ୍ତିକଙ୍କ ରାଗ ପଞ୍ଚମକୁ ଉଠିଲା। ନନ୍ଦିନୀ ଗୁଣିଗାରେଡି କରୁଥିବାରୁ ତାଙ୍କ ଭାଇର ମୃତ୍ୟୁ ଘଟିଥିବା କାର୍ତ୍ତିକ ସନ୍ଦେହ କରୁଥିଲେ।

ଆଜି ସନ୍ଧ୍ୟା ବେଳେ କାର୍ତ୍ତିକ ଏକ ଟାଙ୍ଗିଆ ଧରି ନନ୍ଦିନୀଙ୍କ ଘରକୁ ଯାଇଥିଲେ। ସେଠାରେ ଅତି ବିଭତ୍ସ ଭାବେ ନନ୍ଦିନୀଙ୍କ ମୁଣ୍ଡ ଓ ଗଣ୍ଡିକୁ ଅଲଗା କରିଦେଇଥିଲେ। ପରେ କଟା ମୁଣ୍ଡକୁ ଧରି ଦାନଗଦୀ ଫାଣ୍ଡିରେ ପହଞ୍ଚି ଥିଲେ। ପୁଲିସ କଟାମୁଣ୍ଡ ଓ ଟାଙ୍ଗିଆକୁ ଜବତ କରିବା ସହିତ ଅଭିଯୁକ୍ତ କାର୍ତ୍ତିକକୁ ହାଜତରେ ରଖି ଅନୁସନ୍ଧାନ ଜାରି ରଖିଛି।

You might also like