ରାଜ୍ୟ ବାହାରେ ଓଡ଼ିଆଙ୍କ ମହାନ କାମ, ଅସହାୟ ଶ୍ରମିକଙ୍କ ପାଇଁ ଏମାନେ ସାଜିଛନ୍ତି ଦେବଦୂତ

ଭୁବନେଶ୍ୱର: ଅସୁବିଧା ଓ ଅସମୟରେ ଲୋକଙ୍କୁ ସାହାଯ୍ୟ ପାଇଁ ପୁଳାଏ ଟଙ୍କା ନୁହଁ, ବରଂ ଦରକାର ଏକ ଦରଦି ହୃଦୟ। ଲକଡାଉନ୍ ପାଇଁ ସୁରତ ସହରରେ ଫସି ରହି ଖାଦ୍ୟ ପାଇଁ ଡହଳବିକଳ ହେଉଥିବା ପ୍ରବାସୀ ଶ୍ରମିକଙ୍କ ପେଟକୁ ଦାନା ମୁଠାଏ ଯୋଗାଇ ଦେବା ପାଇଁ ଆଗେଇ ଆସିଛନ୍ତି ସେଇ ପ୍ରବାସୀଙ୍କ ମଧ୍ୟରୁ କିଛି ମହତ ଆତ୍ମା ଯାହାଙ୍କ ମନୋବଳ ଆଗରେ ହାର ମାନିଛି ଧନବଳ।

ଆଜିକୁ ଦୀର୍ଘ ୨୭ ବର୍ଷ ଧରି ସୁରତକୁ କର୍ମଭୂମି କରିଥିବା ଏ ପ୍ରବାସୀ ଓଡ଼ିଆ ହେଲେ ଧନେଶ୍ୱର ଜେନା। ତେବେ ତାଙ୍କ ପରିଚୟ ଏତିକିରେ ସୀମିତ ନୁହେଁ। ଲକଡାଉନ ସମୟରେ ସୁରତ ସହରରେ ଫସି ରହିଥିବା ଶହ ଶହ ଶ୍ରମିକଙ୍କ ପାଇଁ ସେ ଏବେ ଅନ୍ନଦାତା।

ଲକଡାଉନ୍ ଆରମ୍ଭ ଅର୍ଥାତ ମାର୍ଚ୍ଚ ୨୪ରୁ ଆଜି ଯାଏଁ ଦୈନିକ ହଜାର ହଜାର ଭୋକିଲାଙ୍କ ପେଟକୁ ସେ ଦାନା ଜୁଟାଉଛନ୍ତି। ସୁରତରେ ସାଧାରଣ ଦୋକାନଟିଏ କରି ପେଟ ପୋଷୁଥିଲେ ବି ଅସମୟରେ ବିପନ୍ନଙ୍କୁ ସାହାଯ୍ୟ କରିବାର ନିଶା ଚଢ଼ିବା ପରେ ଆଉ ପଛକୁ ଫେରି ନାହାନ୍ତି।

ମଝିରେ କିଛି ସ୍ୱେଚ୍ଛାସେବୀ ତାଙ୍କୁ ସହାୟତାର ହାତ ବଢାଇଥିଲେ। ହେଲେ ଲକଡାଉନ୍ ଅବଧି ବଢ଼ିବାରୁ ତାହା ବନ୍ଦ ହୋଇଯିବାରୁ ନିଜ ପୁଅର ପାଠ ପଢ଼ା ପାଇଁ ସଞ୍ଚିତ ଟଙ୍କାରୁ ଏବେ ଭୋକିଲାଙ୍କ ମୁହଁକୁ ସେ ଆହାର ଯୋଗାଉଛନ୍ତି। ଆରମ୍ଭରୁ ସଂଖ୍ୟା କମ୍ ଥିଲା କିନ୍ତୁ ଏବେ ତାଙ୍କର ଏ ରୋଷଶାଳା ଉପରେ ଦୈନିକ ନିର୍ଭର କରୁଛନ୍ତି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ୪ ହଜାରରରୁ ଅଧିକ ଶ୍ରମିକ।

ସେହିପରି ଅସମୟରେ ସୁରତର ଓଡ଼ିଆ ଭାଇ-ଭଉଣୀଙ୍କ ପ୍ରତି ଭାଇଚାରାର ଅନନ୍ୟ ଉଦାହରଣ ସାଜିଥିବା ଆଉ ଜଣେ ପ୍ରବାସୀ। ତାଙ୍କର ନାମ ଗୋପୀନାଥ ସ୍ୱାଇଁ। କାମଧନ୍ଦା ବନ୍ଦ ପରେ ନିକଟରେ ସୁରତ ଛାଡ଼ିଥିବା ୧୨ ଶହ ଓଡ଼ିଆଙ୍କୁ ଗାଡ଼ି ଭଡ଼ା ସାଙ୍ଗକୁ ପ୍ରତ୍ୟେକଙ୍କୁ ମାସ୍କ ଏବଂ ପିଲାମାନଙ୍କୁ ଶିଶୁଖାଦ୍ୟ ଦେଇ ନିଜ ଭିତରେ ଥିବା ପରୋପକାରୀ ସେ ଗୁଣର ପରିଚୟ ଦେଇଛନ୍ତି।

କରୋନା ଓ ଲକଡାଉନ୍ ପାଇଁ ସୁରତ ସହରରେ ଫସି ରହିଛନ୍ତି ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ। ହେଲେ ସେଇମାନଙ୍କ ଭିତରୁ କିଛି ଲୋକ ଅନ୍ୟମାନଙ୍କ ଉଦାହରଣ ସାଜିଛନ୍ତି।

You might also like