ଋଣ ଯନ୍ତାରେ ଓଡ଼ିଶା

ବଢି ବଢି ଚାଲିଛି ରାଜ୍ୟର ଋଣ ପରିମାଣ

ଭୁବନେଶ୍ୱର : ଋଣ ଯନ୍ତାରେ ଓଡ଼ିଶା । ବଢି ବଢି ଚାଲିଛି ରାଜ୍ୟର ଋଣ ପରିମାଣ। ବିଧାନସଭାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ରଖିଥିବା ଉତ୍ତର ଅନୁଯାୟୀ ରାଜ୍ୟର ମୋଟ୍ ଋଣ ପରିମାଣ ରହିଛି ୭୬ହଜାର ୪୨୮ଦଶମିକ୪୧ କୋଟି। ତେବେ ଗଲା ଚାରି ବର୍ଷ ଧରି ରାଜ୍ୟ ସରକାର ଯେଭଳି ଋଣ କରି ଚାଲିଛନ୍ତି, ବର୍ଷ କେଇଟାରେ ଏହା ରାଜ୍ୟର ମୋଟ୍ ବଜେଟ୍ ପରିମାଣକୁ ବି ଟପି ଯିବ। ତେବେ ଅାଶ୍ଚର୍ଯ୍ୟର କଥା ହେଉଛି ଅର୍ଥମନ୍ତ୍ରୀ କହୁଛନ୍ତି ରାଜ୍ୟର ଅାର୍ଥିକ ସ୍ୱାସ୍ଥ୍ୟ ଭଲ ଅଛି। ଏପଟେ ଋଣ କରି ଲୋକପ୍ରିୟ ଯୋଜନା କରିବାର ଔଚିତ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

ନବୀନ ସରକାର କ୍ଷମତାକୁ ଅାସିବା ବେଳକୁ ଅର୍ଥାତ୍ ୨୦୦୦-୨୦୦୧ରେ ରାଜ୍ୟ ମୋଟ ଋଣ ପରିମାଣ ଥିଲା ପ୍ରାୟ ୨୧ ହଜାର କୋଟି । ଅାଉ ୧୮ ବର୍ଷ ପରେ ରାଜ୍ୟର ଋଣ ପରିମାଣ ପହଞ୍ଚିଛି ୭୬ ହଜାର ୪୨୮.୪୧ କୋଟିରେ । ତଥ୍ୟ କହୁଛି, ଖାସ୍ କରି ଗଲା ୪ ବର୍ଷରେ ରାଜ୍ୟ ସରକାର ଅଧିକ ଲୋନ୍ କରିଛନ୍ତି। ୨୦୧୪-୧୫ରେ ସରକାର ୭୬୩୬.୫୪ କୋଟି ଋଣ ନେଇଥିବା ବେଳେ ୨୦୧୫-୧୬ରେ ୧୧ହଜାର ୬୨୫କୋଟି ୩୨ ଲକ୍ଷ,୧୬-୧୭ରେ ୧୩ହଜାର ୮୦କୋଟି ୧୭ ଲକ୍ଷ ଏବଂ ୧୭-୧୮ରେ ୧୪ହଜାର ୪୧୯କୋଟି କୋଟି ୪୧ ଲକ୍ଷ ଲୋନ୍ କରିଛନ୍ତି ।

ତେବେ ଚିନ୍ତାର ବିଷୟ ହେଉଛି, ଗଲା ୪ ବର୍ଷରେ ରାଜ୍ୟ ସରକାର ୪୬ହଜାର ୭୬୧.୪୪ କୋଟିର ଋଣ କରିଥିବା ବେଳେ ପରିଶୋାଧ କରିଛନ୍ତି ମାତ୍ର ୧୧ହଜାର ୫୬୩.୦୩ କୋଟି। ସେହିପରି ଚଳିତ ବର୍ଷ ଯେତିକି ଋଣ କରିବାକୁ ପ୍ରସ୍ତାବ ରହିଛି। ରାଜ୍ୟର ମୋଟ ଋଣ ପରିମାଣ ୯୨ ହଜାର କୋଟିରେ ପହଞ୍ଚିବ। ତେବେ ବଢି ଚାଲିଥିବା ଋଣଭାରକୁ ନେଇ ବିବ୍ରତ ନୁହନ୍ତି ରାଜ୍ୟ ଅର୍ଥମନ୍ତ୍ରୀ। ରାଜ୍ୟର ମୋଟ ଋଣ, ଜିଡିପିର ୧୭.୭୬ ପ୍ରତିଶତ ରହିଛି। ଯାହାକି ସର୍ବୋଚ୍ଚ ସୀମା ୨୫ ପ୍ରତିଶତରୁ ଢେର କମ୍ ଓ ରାଜ୍ୟ ଅାର୍ଥିକ ଶୃଙ୍ଖଳା ମଧ୍ୟରେ ରହିଥିବା ସେ ଯୁକ୍ତି ଦର୍ଶାଇଛନ୍ତି।

ତେବେ ଅର୍ଥମନ୍ତ୍ରୀଙ୍କ ଯୁକ୍ତି ସହ ସହମତ ନୁହଁନ୍ତି ବିଶେଷଜ୍ଞ । ଋଣ କରିବାରେ ଅାପତ୍ତି ନାହିଁ, ତେବେ ଏହାକୁ ରାଜସ୍ୱ ସୃଷ୍ଟି କରୁଥିବା କାର୍ଯ୍ୟକ୍ରମରେ ବିନିଯୋଗ କରାଯିବା ଦରକାର। ମାତ୍ର ରାଜ୍ୟ ସରକାର ତାହା ନକରି କେବଳ ନିଜର ପ୍ରମୁଖ ଯୋଜନା ବାବଦକୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ତେଣୁ ଋଣ ପରିଶୋଧ କ୍ଷମତା ହ୍ରାସ ପାଇବା ସହ ଅାଗାମୀ ଦିନରେ ରାଜ୍ୟ ଋଣ ଯନ୍ତାରେ ପଡିଯିବ ବୋଲି ସେମାନେ ଅାଶଙ୍କା କରିଛନ୍ତି। ସେପଟେ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ଗ୍ରହଣ ନକରି , ଋଣ କରି ନିଜସ୍ୱ ଯୋଜନା କରିବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି।

ନବେ ଦଶକର ଦ୍ୱିତୀୟାର୍ଦ୍ଧରେ ରାଜ୍ୟ ଅାର୍ଥିକ ଦେବାଳିଅା ସ୍ଥିତିର ସମ୍ମୁଖୀନ ହୋଇଥିଲା। ଏମିତିକି ରାଜ୍ୟକୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଓଭରଟ୍ରାଫ୍ଟ ନେବାକୁ ପଡିଥିଲା। ଏବେ  ବଢୁଥିବା ଋଣ ପରିମାଣକୁ ଦେଖି ପ୍ରଶ୍ନ ଉଠୁଛି, ପୁରୁଣା ସ୍ଥିତି ପୁଣି ଫେରିବନି ତ।

You might also like