ମହାମାରୀ ସଙ୍କଟ ବେଳେ ଓଡ଼ିଶାକୁ ମାଡ଼ିଆସୁଛି ଆତଙ୍କୀ କୀଟ

ଭୁବନେଶ୍ୱର: ମହାମାରୀର ମହାସଙ୍କଟ ଭିତରେ ଏବେ ଦେଶ ଆଉ ରାଜ୍ୟକୁ ଘନେଇ ଆସୁଛି ଆଉ ଏକ ମହାବିପଦ। ତାହା ହେଉଛି, ଆତଙ୍କୀ କୀଟ ପଙ୍ଗପାଳ। ଉତ୍ତରରୁ ଦକ୍ଷିଣ ଭାରତ ଯାଏଁ ଚାଷୀଙ୍କ ନିଦ ହଜାଇ ଦେଇଥିବା ଏହି ଉଡ଼ନ୍ତା ଆତଙ୍କ ଏବେ ଓଡ଼ିଶା ଆସିବାର ଆଶଙ୍କା ବଢ଼ାଇଛି। ଫୁଡ ଆଣ୍ଡ ଏଗ୍ରିକଲ୍ଚର ଅର୍ଗାନାଇଜେସନ୍-ଫାଓ ଆକଳନ କରିଛି ଯେ ଆସନ୍ତା ସପ୍ତାହେ ଭିତରେ ଓଡ଼ିଶା ପଶିପାରନ୍ତି ଏହି ଆତଙ୍କୀ କୀଟ।

ଏଭଳି ଯଦି ହୁଏ, ତେବେ କରୋନା ଓ ଅଦିନିଆ ବର୍ଷା ମାଡ଼ରେ ଦାନାପାଣି ହରାଉଥିବା ଚାଷୀଙ୍କ ଅବସ୍ଥା ଆହୁରି ସଂଗୀନ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

ମାଡ଼ି ଆସୁଛି ଉଡ଼ନ୍ତା ଆତଙ୍କ। କେଉଁଠି ଘଣ୍ଟାକୁ ଦେଢ଼ ଶହ ତ ଆଉ କେଉଁଠି ୩ଶହ କିଲୋମିଟର ବେଗରେ ଅତିକ୍ରମ କରୁଛନ୍ତି ଆତଙ୍କୀ କୀଟ। ପାକିସ୍ତାନରେ ଖାଦ୍ୟ ସଙ୍କଟ ପରେ ଭାରତର ପ୍ରାୟ ୮ଟି ରାଜ୍ୟକୁ ଚରିଗଲେଣି ଲକ୍ଷ ଲକ୍ଷ, ପଲପଲ। ରାଜସ୍ଥାନ ଓ ଗୁଜରାଟ ପରେ ଉତ୍ତରପ୍ରଦେଶ, ପଞ୍ଜାବ, ହରିଆଣା, ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକରେ ପହଞ୍ଚିଛନ୍ତି ଆତଙ୍କବାଦୀ କୀଟ।

ଏମାନେ ଯେଉଁ ବାଟ ଦେଇ ଯାଉଛନ୍ତି ହେକ୍ଟର ହେକ୍ଟର ଫସଲ ଖାଇ ଧ୍ୱଂସ କରିଦେଇଛନ୍ତି। ଜାତିସଂଘର ଫୁଡ ଆଣ୍ଡ ଏଗ୍ରିକଲ୍ଚର ଅର୍ଗାନାଇଜେସନ୍-ଫାଓର ଆକଳନ କହୁଛି, ବର୍ତ୍ତମାନ ପଶ୍ଚିମା ପବନ ବହୁଥିବାରୁ ସପ୍ତାହେ ଭିତରେ ଏହି ଫସଲ ଧ୍ୱଂସକାରୀ କୀଟ ଓଡ଼ିଶା ପଶିପାରନ୍ତି। ଏପରିକି ମଧ୍ୟପ୍ରଦେଶରୁ ଛତିଶଗଡ଼ ଡେଇଁ ଓଡ଼ିଶାକୁ ମାଡ଼ି ଆସିବାର ବି ସମ୍ଭାବନା ଦେଖାଦେଇଛି, ଯାହାକୁ ନେଇ ଆତଙ୍କିତ ଛତିଶଗଡ଼ ସୀମାନ୍ତ ଓଡ଼ିଶା ଚାଷୀ।

ପଙ୍ଗପାଳ ଆତଙ୍କ ଭିତରେ ଅଦିନିଆ ବର୍ଷା ମାଡ଼, ଭାଙ୍ଗିଦେଇଛି ଚାଷୀର ଆର୍ଥିକ ମେରୁଦଣ୍ଡ। କିଛି ଜିଲ୍ଲାରେ ଅମ୍ପନ ବାତ୍ୟା ଉଜାଡ଼ିବା ପରେ ଦୁଇଦିନ ହେଲା ଅନ୍ୟ ଜିଲ୍ଲାରେ କାଳସାଜିଛି କାଳବୈଶାଖୀ ବର୍ଷା। କଳାହାଣ୍ଡିରେ ପାଣିରେ ଓଦା ହୋଇଯାଇଛି ମଣ୍ଡିରେ ଥିବା ଚାଷୀର ଦାନାପାଣି। ଏପଟେ କଦଳୀ ଫସଲ ବି ଉଜୁଡ଼ିଯାଇଛି। କଳାହାଣ୍ଡି ଭଳି କୋରାପୁଟ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଭିଜିଯାଇଛି ବସ୍ତା ବସ୍ତା ଧାନ, ଯାହାକୁ ନେଇ ଚିନ୍ତାରେ ଚାଷୀ।

ଗୋଟିଏ ପଟେ ପ୍ରାକୃତିକ ବିପର୍ଯ୍ୟୟର ଦାଉ, ଆରପଟେ ପଙ୍ଗପାଳର ପଦଧ୍ୱନୀ। ଏହାର ମୁକାବିଲା ପାଇଁ ଛତିଶଗଡ଼ ସୀମାନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ତାସହ ବିଶେଷଜ୍ଞ କହିବା କଥା, ପଙ୍ଗପାଳ ଆସିଲେ ପ୍ରତିଷେଧମୂଳକ ଭାବେ ଫସଲ ଉପରେ ନିମ୍ବ ମଞ୍ଜିରେ ପ୍ରସ୍ତୁତ ଦ୍ରବଣକୁ ଏକର ପ୍ରତି ୨ଶହ ଲିଟର ହିସାବରେ ଉପରଓଳି ସିଞ୍ଚନ କରିବା ଉଚିତ।

କ୍ଷେତରୁ ପଙ୍ଗପାଳକୁ ଟିଣ ବାଡେଇ ଘଉଡ଼ାଇବାକୁ ବି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ପଙ୍ଗପାଳ ଦମନ ପାଇଁ ଏଯାଏଁ ନିର୍ଦ୍ଧିଷ୍ଟ ଔଷଧ ନଥିବାରୁ କେବଳ ସଜାଗ ରହିବାକୁ କୃଷି ବିଭାଗ ପରାମର୍ଶ ଦେଇଛି।

You might also like