ଶ୍ରୀମନ୍ଦିର ଖୋଲିବା ନେଇ ଖୁବ୍ଶୀଘ୍ର ନିଷ୍ପତ୍ତି ନେବେ କୋର୍ଟ
କଟକ: ନାଗାର୍ଜୁନ ବେଶ ବେଳକୁ ଶ୍ରୀମନ୍ଦିର ଖୋଲାଯିବ କି ନାହିଁ ସେନେଇ ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ହାଇକୋର୍ଟ। ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ମାମଲାର ଶୁଣାଣି ବେଳେ ଆଜି ନାଗାର୍ଜୁନ ବେଶ ପୂର୍ବରୁ ଶ୍ରୀମନ୍ଦିର ଖୋଲିବା ପାଇଁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ଏନେଇ ଆବେଦନ କରାଗଲେ ଖଣ୍ଡପୀଠ ନିଷ୍ପତ୍ତି ଗ୍ରହଣ କରିବେ ବୋଲି କହିଛନ୍ତି।
ସେହିପରି ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗରେ ସରକାର ଦାଖଲ କରିଥିବା ଜବାବରେ ଶ୍ରୀମନ୍ଦିର ଗର୍ଭଗୃହ ରାସ୍ତା ସଂକିର୍ଣ୍ଣ ହୋଇଥିବାରୁ ଭିଡ଼ ନିୟନ୍ତ୍ରଣ ସମ୍ଭବ ନୁହେଁ ବୋଲି ଦର୍ଶାଯାଇଛି। ଏହାସହ ରାଜ୍ୟର ସମସ୍ତ ଛୋଟବଡ଼ ଧର୍ମାନୁଷ୍ଠାନରେ ସୁରକ୍ଷା ଯୋଗାଇବା କଷ୍ଟକର ବ୍ୟାପାର ବୋଲି ଜବାବରେ ଉଲ୍ଲେଖ ରହିଛି। ସରକାରଙ୍କ ଜବାବ ଆଧାରରେ ପ୍ରତି ଜବାବ ଦାଖଲ କରିବାକୁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏହାଛଡ଼ା କାକଟପୁର ମା ମଙ୍ଗଳା ଓ କେନ୍ଦ୍ରାପଡ଼ା ବଳଦେବଜିଉ ମନ୍ଦିର ଖୋଲିବା ପ୍ରସଙ୍ଗରେ ଏକ ସପ୍ତାହ ମଧ୍ୟରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସେହିପରି ଏହି ଦୁଇ ମନ୍ଦିରର ସେବାୟତଙ୍କୁ ଆର୍ଥିକ ସହାୟତା ପ୍ରଦାନ ପ୍ରସଙ୍ଗରେ ଦେବୋତ୍ତର କମିଶନରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଛି।