ଓଡ଼ିଶା ହୋଇକୋର୍ଟ ଇତିହାସରେ ପ୍ରଥମ ଘଟଣା
କଟକ: ବିଭିନ୍ନ ପ୍ରସଙ୍ଗରେ ହାଇକୋର୍ଟର ବାର୍ ଆସୋସିଏସନ ସହିତ ରାଜ୍ୟର ଅନ୍ୟ ଓକିଲ ସଂଘ ବାରମ୍ବାର ଆନ୍ଦୋଳନ କରୁଛନ୍ତି। ଏଥିପାଇଁ କୋର୍ଟର କାମ ବନ୍ଦ ହେଉଛି। ଏପରିକି ମାସ ମାସ ଧରି କୋର୍ଟ କାମ ଚାଲି ପାରୁନାହିଁ। ଏହା ଦ୍ୱାରା ସାଧାରଣ ଲୋକ ହଇରାଣ ହେବା ସହିତ କୋର୍ଟ କାମ ବାଧାପ୍ରାପ୍ତ ହେଉଛି।
ଏହା ବିରୋଧରେ ହାଇକୋର୍ଟରେ ଏକ ମାମଲା ଦାଏର କରିଥିଲେ ନିଜେ ରେଜିଷ୍ଟ୍ରାର୍। ହାଇକୋର୍ଟ ଏହି ଘଟଣାକୁ ଗୁରୁତର ସହ ନେଇ ମାମଲାର ଶୁଣାଣି କରିଛନ୍ତି ଫୁଲ୍ ବେଞ୍ଚ।
ଏହାପରେ ହାଇକୋର୍ଟ ବାର୍ ଆସୋସିଏସନ, ଜାତୀୟ ଓକିଲ ସଂଘ, ରାଜ୍ୟ ଓକିଲ ସଂଘ ଏବଂ ରାଜ୍ୟର ସମସ୍ତ ଓକିଲ ସଂଘର କର୍ମକର୍ତ୍ତାଙ୍କୁ ନୋଟିସ୍ ଜାରି କରାଯାଇଛି। ତା ସହିତ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆଇନ ସଚିବଙ୍କୁ ମଧ୍ୟ ନୋଟିସ୍ କରାଯାଇଛି। ଆସନ୍ତା ୨୧ ତାରିଖ ସୁଦ୍ଧା ଏହାର ଜବାବ ଦେବାକୁ ସମସ୍ତ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ହାଇକୋର୍ଟ ଇତିହାସରେ କୌଣସି ମାମଲାରେ ଫୁଲ୍ ବେଞ୍ଚ ଶୁଣାଣି କରିବାରେ ଏହା ହେଉଛି ପ୍ରଥମ ଘଟଣା।