ଜରୁରୀ ନଥିଲେ ହସ୍ପିଟାଲ ନଆସିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର: ରେକର୍ଡ ପରେ ରେକର୍ଡ, କରୋନାର ଯେମିତି ଲଗାମ୍ ନାହିଁ। ଏପ୍ରିଲ୍ ପହିଲାରେ ୩୯୪ ପଜିଟିଭ୍, ଆଉ ଆଜି ୧୭୪୧ କେବଳ ଚଳିତ ମାସରେ ଆଜି ସୁଦ୍ଧା ବାହାରିଲେଣି ୧୦ ହଜାର ୩୮୫ ଜଣ ଆକ୍ରାନ୍ତ। ଗଲା ୨୪ ଘଣ୍ଟାରେ ୨ କୋଭିଡ୍ ମୃତ୍ୟୁକୁ ମିଶାଇ, ଚଳିତ ମାସରେ ମୃତ୍ୟୁ ସଂଖ୍ୟା ୭ ଛୁଇଁଛି। ତେବେ ଚମକାଇବା ଭଳି ଚିତ୍ର ଆସିଛି ଉତ୍ତର ଓଡ଼ିଶାର ବାଲେଶ୍ୱର ଜିଲ୍ଲାରୁ। ହଠାତ୍ ଏଠାରୁ ୧୫୮ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଛିା

ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଇମାମି ପେପର୍ ମିଲ୍ କଲୋନୀରୁ ବାହାରିଛନ୍ତି ୧୦୧ ପଜିଟିଭ୍। ଏତେ ସଂଖ୍ୟାରେ ଆକ୍ରାନ୍ତ ବାହାରିବା ପରେ ୭ ଦିନ ପାଇଁ କରୋନୀକୁ ମିନି କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇ ଟ୍ରେସିଂ ଓ ଟ୍ରାକିଂକୁ ବଢ଼ାଯାଇଛି।

କରୋନା ଦ୍ୱିତୀୟ ଲହରିରେ ଅଧିକ ପ୍ରଭାବିତ ହୋଇଛି ପଶ୍ଚିମ ଓଡ଼ିଶା। ଗତ କିଛିଦିନ ଭଳି ଆଜି ବି ସୁନ୍ଦରଗଡ଼ରେ ସର୍ବାଧିକ ୨୬୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମ୍ବଲପୁରରୁ ୧୨୧, କଳାହାଣ୍ଡିରୁ ୧୧୪ ଓ ନୂଆପଡ଼ି ଜିଲ୍ଲାରୁ ୯୬ ଆକ୍ରାନ୍ତ ବାହାରିଛନ୍ତି। ସେପଟେ ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ୨୦୦ ଟପିଛି।

ଏପଟେ ବଢ଼ୁଥିବା ସଂକ୍ରମଣ ଦେଖି ହସ୍ପିଟାଲ୍ ପାଇଁ ଗାଇଡଲାଇନ୍ ଜାରି କରାଯାଇଛିା ଜରୁରୀ ନଥିଲେ ହସ୍ପିଟାଲ୍‌ ନଆସି ରୋଗୀମାନଙ୍କୁ ଟେଲିମେଡିସିନ୍ ସେବା ନେବା ପାଇଁ ପ୍ରବର୍ତ୍ତାଇବାକୁ କୁହାଯାଇଛି। ଭିଡ଼ କମାଇବାକୁ ଓପିଡି ସେଣ୍ଟ୍ରାଲ ରେଜିଷ୍ଟ୍ରେସନ ବନ୍ଦ କରାଯାଇ କେବଳ ମାନୁଆଲ ରେଜିଷ୍ଟ୍ରେସନ କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ଜରୁରୀ ନଥିଲେ ମେଡିକାଲ୍ ଆଡମିଶନ ଏଡ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି DMET। ସେହିଭଳି ଯେଉଁ ସର୍ଜରୀଗୁଡ଼ିକ ପରେ କଲେ ଚଳିବ, ସେଗୁଡ଼ିକ ବନ୍ଦ ପାଇଁ କୁହାଯାଇଛି। ଗୁରୁତର ରୋଗୀଙ୍କ ପିଛା କେବଳ ଜଣେ ହିଁ ଆଟେଣ୍ଡାଣ୍ଟଙ୍କୁ ଅନୁମତି ଦିଆଯିବା ସହିତ OPD ଓ IPDକୁ ଗଣମାଧ୍ୟମକୁ ମନା କରାଯାଇଛି।

କୋଭିଡ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ଘରୋଇ ଓ ସରକାରୀ ହସ୍ପିଟାଲ ଲାଗି ନିର୍ଦ୍ଦେଶାବଳୀ ଜାରି ହୋଇଛି। ଏ ନେଇ ଜିଲ୍ଲାପାଳ, ମ୍ୟୁନିସ୍‌ପାଲ କମିଶନରମାନଙ୍କୁ ଚିଠି ଲେଖି ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ୧ମ ପର୍ଯ୍ୟାୟରେ କୋଭିଡ ହସ୍ପିଟାଲ ଭାବେ ବ୍ୟବହୃତ ହେଉଥିବା ହସ୍ପିଟାଲ ଲାଗି SOP ଜାରି ହୋଇଛି। କୋଭିଡ୍ ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଅଧିକ ୫୦ଟି ବେଡ୍ ବୃଦ୍ଧି ଲାଗି ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ବେଡ୍ ସଂଖ୍ୟାର ୨୦% ICU ବେଡ୍ ରହିବ। ଅତିକମ୍‌ରେ ୫୦% ICUରେ ରହିବ ଭେଣ୍ଟିଲେଟର ବ୍ୟବସ୍ଥା ହୋଇଛି।

ଏପଟେ ରାଜଧାନୀରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ଆଜିଠୁ ଭୁବନେଶ୍ୱର ରେଳଷ୍ଟେସନ୍ ଓ ବିମାନବନ୍ଦରରେ କଡ଼ାକଡ଼ି ଯାଞ୍ଚ ହୋଇଛି। ସେହିପରି ବିଏମ୍‌ସି ପକ୍ଷରୁ ପୁଣିଥରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଦେୟଯୁକ୍ତ ସଂଗରୋଧ ବ୍ୟବସ୍ଥା ଆରମ୍ଭ କରାଯାଇଛି।

ରିପୋର୍ଟ: ରଶ୍ମିରଞ୍ଜନ ଦାସ, ଅର୍ଚ୍ଚନା ଶତପଥୀ

You might also like