ଗଠନ ହେବ ଜମିଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ ପ୍ରାଧିକରଣ

ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା ସୁରେନ୍ଦ୍ରଙ୍କ ଚାଷ ଜମି ଉପରେ ଚାଲିଛି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମ। ଚାଷି ଜମିରେ ଥିବା ସୁରେନ୍ଦ୍ରଙ୍କ ଘରକୁ ଭାଙ୍ଗି ଦେଇଛି ପ୍ରଶାସନ, ହେଲେ ଜମି ବାବଦକୁ ମିଳିଛି ଅଳ୍ପ କ୍ଷତିପୂରଣ। ଘରଭଙ୍ଗା ସହ ଅନ୍ୟାନ୍ୟ କ୍ଷତିପୂରଣ ବି ମିଳିନାହିଁ। ଚାଷ ଜମି ଚାଲିଯିବା ପରେ ବଲାଙ୍ଗିର ଶାନ୍ତିପଡାଠାରେ ଏକ ଅଟୋମୋବାଇଲ ଦୋକାନ ଦେଇ ପରିବାର ଚଳାଉଛନ୍ତି। ଲୋୟର ସୁକତେଲ୍ ପ୍ରକଳ୍ପରେ ଅନେକ ବିସ୍ଥାପିତଙ୍କ ଅବସ୍ଥା  ସୁରେନ୍ଦ୍ରଙ୍କ ଭଳି। କେବଳ ବଲାଙ୍ଗିର ଜିଲ୍ଲା ନୁହେଁ ସାରା ରାଜ୍ୟରେ ଏଭଳି ସ୍ଥିତି। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ମଧ୍ୟ ଜମିଅଧିଗ୍ରହଣ ସମସ୍ୟା ଯୋଗୁଁ ମନ୍ଥର ଗତିରେ ଚାଲିଛି।

ଜଳସେଚନ ହେଉ କି ରେଳ ବା ଶିଳ୍ପ ପ୍ରକଳ୍ପ, ସବୁଠି ଜମି ଅଧିଗ୍ରହଣ ବଡ଼ ସମସ୍ୟା। ତା ସହ ପୁନର୍ବାସ ଓ ଥଇଥାନ ଝାମେଲା ବି ରହିଛି। ଏସବୁ ସମସ୍ୟା ଦୂର କରିବା ପାଇଁ ପ୍ରତ୍ୟେକ ଅାରଡିସି ଡିଭିଜନ୍‌ରେ ରାଜ୍ୟ ସରକାର ଗଠନ କରିବେ ଜମି ଅଧିଗ୍ରହଣ , ପୁନର୍ବାସ ଓ ଥଇଥାନ ପ୍ରାଧିକରଣ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଅନୁଯାୟୀ, ପ୍ରାଧିକରଣର ମୁଖ୍ୟ ଜଣେ ଜିଲ୍ଲା ଜଜ୍ କିମ୍ବା ଅବସରପ୍ରାପ୍ତ ଜଜ୍ ରହିବେ।  ଆଉ ଯୁଗ୍ମ ସଚିବ ପାହ୍ୟାର ଅଫିସର ରେଜିଷ୍ଟ୍ରାର ଭାବେ ନିଯୁକ୍ତି ପାଇବେ। ପ୍ରାଧିକରଣ ଜମି ଅଧିଗ୍ରହଣ, ପୁନର୍ବାସ  ଓ ଥଇଥାନ ସମସ୍ୟାର ଶୁଣାଣି କରି ଫଇସଲା କରିବେ। ଯଦି ଏହାର ମୁଖ୍ୟଙ୍କ ନାଁରେ କିଛି ଅଭିଯୋଗ ଆସେ, ତେବେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସୁପାରିଶ ଅାଧାରରେ ହାଇକୋର୍ଟର ଜଣେ ବିଚାରପତି ତଦନ୍ତ କରି ରାଜ୍ୟ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନେଇ ସୁପାରିଶ କରିବେ।

ଜାତୀୟ ରାଜପଥ, ରେଳ, ଜଳସେଚନ ଭଳି ବିଭାଗର ବିଭିନ୍ନ ପ୍ରକଳ୍ପ ପାଇଁ ରାଜସ୍ୱ ବିଭାଗ ପ୍ରାୟ ୧୦ ହଜାର ହେକ୍ଟର ଜମି ଅଧିଗ୍ରହଣ କରିଛି। ନୂଅା ନିୟମ କାର୍ଯ୍ୟକାରୀ ହେବାପରେ ଜମି ଅଧିଗ୍ରହଣ ପ୍ରକ୍ରିୟା କେତେ ସରଳ ଓ ତ୍ୱରାନ୍ୱୀତ ହେବ ତା ଉପରେ ନଜର।

You might also like