କରୋନା ମୁକାବିଲା: ଅଧିକ ଆର୍ଥିକ ସହାୟତା ଦାବି କଲା ଓଡ଼ିଶା

ଭୁବନେଶ୍ୱର: କରୋନାର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ଅଧିକ ଆର୍ଥିକ ସହାୟତା ଲାଗି ଓଡ଼ିଶା ଦାବି କରିଛି। ଉକ୍ତ ବୈଠକରେ ରାଜ୍ୟରେ କରୋନାର ମୁକାବିଲା ପାଇଁ କଣ ପଦକ୍ଷେପ ନିଆଯାଉଛି ସେ ନେଇ ଆଲୋଚନା ହୋଇଥିଲା। ଏଥିରେ ଭିଡିଓ କନଫେରେନ୍ସି ମାଧ୍ୟମରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଆଲୋଚନା କରିଥିଲେ।ଓଡିଶାରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ବୈଠକରେ ଯୋଗ ଦେଇଥିଲେ। କରୋନାର ମୁକାବିଲା ରାଜ୍ୟର ଆବଶ୍ୟକତା ସମ୍ପର୍କରେ ସେ କେନ୍ଦ୍ରକୁ ଜଣାଇଥିଲେ।

‘କରୋନା’ ମୁକାବିଲା ପାଇଁ ଓଡ଼ିଶାକୁ ମାତ୍ର ୪୬ କୋଟି ଟଙ୍କା ମିଳିଛି। ଓଡ଼ିଶା ପାଇଁ ଅଧିକ ଅନୁଦାନ ଦେବାକୁ ଦାବି କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଓଡ଼ିଶାରେ  ବର୍ତ୍ତମାନ ସୁଦ୍ଧା ୧୫୧୯ କରୋନା ବେଡ୍ ପ୍ରସ୍ତୁତ ଅଛି। ଜିଲ୍ଲା ଓ ପଞ୍ଚାୟତରେ ମଧ୍ୟ ମେଡିକାଲ କ୍ୟାମ୍ପ ଖୋଲିବାକୁ ଯୋଜନା ଅଛି। ୬ ହଜାର ‘କରୋନା’ ବେଡ୍ କରିବାକୁ ଯୋଜନା ରହିଛି। ଡାକ୍ତରଙ୍କ ସୁରକ୍ଷା ପାଇଁ ଅଧିକ ୫ ଲକ୍ଷ PPE ଦାବି କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ। ଏହାଛଡ଼ା ରୋଗ ପ୍ରତିରୋଧକ ଭିଟାମିନ୍ C, 95 ମାସ୍କ ଓ ସାନିଟାଇଜର ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ଲକ୍‌ଡାଉନ୍‌ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାବିକୁ ବିଚାର ଲାଗି ପ୍ରସ୍ତାବ ଦେଇଛନ୍ତି ନବ ଦାସ।

‘କରୋନା’ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ସେ ସମସ୍ତ ରାଜ୍ୟର ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଓ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନେ ଯୋଗଦେଇଥିଲେ। ‘କରୋନା’ର ମୁକାବିଲା ପାଇଁ କଣ ପଦକ୍ଷେପ ନିଆଯାଉଛି ସେ ନେଇ ଆଲୋଚନା କରିଛନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୪୮ ଜଣ ‘କରୋନା’ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୪୫ ଜଣ ବିଭିନ୍ନ କୋଭିଡ୍‌-୧୯ ମେଡିକାଲ୍‌ରେ ଚିକିତ୍ସିତ ଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ସଂକ୍ରମଣ ଅଞ୍ଚଳକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସିଲ୍‌ କରାଯାଇ ସାନିଟାଇଜ୍‌ କରାଯାଉଛି।

You might also like