ମନଇଛା ସ୍କୁଲ ଫି’ ଆଦାୟ ଉପରେ କେମିତି ଲାଗିବ ଅଙ୍କୁଶ ?

ମାସେ ତଳୁ ନୂଆ ଷ୍ଟ୍ରକଚର ମିଳିଥିଲେ ବି ଚୁପ୍ ବସିଛି ଶିକ୍ଷା ବିଭାଗ

ଭୁବନେଶ୍ୱର : ଘରୋଇ ସ୍କୁଲମାନଙ୍କ ମନଇଛା ଫି’ ଯନ୍ତାରୁ ଅଭିଭାବକଙ୍କୁ ମୁକ୍ତି ଦେବା ଲକ୍ଷ୍ୟରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପ୍ରସ୍ତୁତ କରିଛି ସ୍ଲାବ୍। କେଉଁ ଶ୍ରେଣୀର ପିଲାଙ୍କ ପାଇଁ କେତେ ରହିବ ଫି ? ବର୍ଷକୁ କେତେ ପ୍ରତିଶତ ଭିତରେ ରହିବ ବର୍ଦ୍ଧିତ ହାର ? ସେ ନେଇ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ମାସେ ତଳୁ ଦେଇ ବି ସାରିଛି।ଯାହାକି ଗତମାସ ୧୪ ତାରିଖରେ ଗଣଶିକ୍ଷା ବିଭାଗ ଡେପୁଟି ସେକ୍ରେଟାରୀଙ୍କୁ ଲେଖିଛି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଫି ଷ୍ଟ୍ରକଟର କମିଟିର ସୁପାରିଶ ଅନୁସାରେ ୟୁକେଜି ପିଲାଙ୍କ ପାଇଁ ବାର୍ଷିକ ଫି ସର୍ବାଧିକ ୧୫ ହଜାର ଟଙ୍କା, ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୭ ହଜାର ଟଙ୍କା, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୦ ହଜାର ଓ ନବମ ଏବଂ ଦଶମ ଶ୍ରେଣୀ ପାଇଁ ୨୨ ହଜାର ଓ ଏକାଦଶ ଦ୍ୱାଦଶ ପାଇଁ ୨୫ ହଜାର ଓ ଏହି ଶ୍ରେଣୀର ବିଜ୍ଞାନ ଷ୍ଟ୍ରିମ୍ ପାଇଁ ଫି ୨୭ ହଜାର ଟଙ୍କା ଭିତରେ ଫି’ ରଖିବାକୁ ପ୍ରସ୍ତାବ ଦିଆଯାଇଛି।

ହେଲେ ରିପୋର୍ଟ ଦିଆଯିବାର ମାସେ ବିତିଯାଇଥିଲେ ବି ଗଣଶିକ୍ଷା ବିଭାଗ ଏହାକୁ ଲାଗୁ କରିବାରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠିଛି।ତେଣେ ଏଭଳି ସୁପାରିଶକୁ କିନ୍ତୁ ବହୁ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ଗ୍ରହଣ କରିବାକୁ ନାରାଜ । ଏହା ଦ୍ୱାରା ଘରୋଇ ସ୍କୁଲ ମାନେ ଗୁଣାତ୍ମକ ଶିକ୍ଷା ଦେବାରେ ଅସୁବିଧା ହେବ ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି।

ସେପଟେ ଅଭିଭାବକ ମହାସଂଘ ମଧ୍ୟ ଏଭଳି ଫି’ ଷ୍ଟ୍ରକଚରକୁ ନେଇ ଆପତ୍ତି ଉଠାଇବା ସହ ଏଥିରେ ଅଧିକ ସଂଶୋଧନ ଅଣାଯିବାର ଆବଶ୍ୟକତା ଥିବା କହିଛି। କାରଣ ନୂଆ ନିୟମ ଲାଗୁ ହେଲେ ପୂର୍ବରୁ କମ୍ ଫି ନେଉଥିବା ଅନେକ ସ୍କୁଲ ହଠାତ୍ ଫି ବଢାଇଦେବା ନେଇ ଆଶଙ୍କା କରୁଛି ସଂଘ।

ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ପରାମର୍ଶ କ୍ରମେ ରାଜ୍ୟରେ ଘରୋଇ ସ୍କୁଲ ଫି ଉପରେ ଅଙ୍କୁଶ ଲଗାଇବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରସ୍ତୁତ ହୋଇଛି ଏହି ଷ୍ଟ୍ରକ୍ଚର। ତେବେ ଏ ପ୍ରସ୍ତାବ ଉପରେ ସରକାର ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

 

You might also like