କୋଟିଆ ପ୍ରସଙ୍ଗ: ସୁପ୍ରିମ୍‌କୋର୍ଟରେ ପିଟିସନ୍ କରିବେ ସରକାର

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ କରାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ରିଟ୍ ପିଟିସନ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପିଟିସନ ଦାଖଲ କରିବାକୁ ରାଜ୍ୟ ଆଇନ ବିଭାଗର ଉପସଚିବଙ୍କ ପକ୍ଷରୁ AOR ଶିବଶଙ୍କର ମିଶ୍ରଙ୍କୁ ଚିଠି ହୋଇଛି। କୋଟିଆର ୩ଟି ଗାଁରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରାଉଛି। ଏମିତିକି କିଛି ଆଶାୟୀ ନାମାଙ୍କନପତ୍ର ମଧ୍ୟ ଦାଖଲ କରିଛନ୍ତି।

କୋଟିଆ ପ୍ରସଙ୍ଗରେ ଗତକାଲି କଟକରେ ଆଡୋଭୋକେଟ୍ ଜେନେରାଲଙ୍କ ସହ କୋରାପୁଟ ଏଡିଏମ୍ ଓ ସରକାରୀ ଓକିଲ ଆଲୋଚନା କରିଥିଲେ। ଆଇନଗତ ଲଢେଇରେ କେମିତି ଆନ୍ଧ୍ରକୁ ଚେକ୍ ଦେବେ ସେନେଇ ଅଙ୍କକଷା ହୋଇଥିଲା। କୋଟିଆରେ ପଶି ଆନ୍ଧ୍ର କରୁଥିବା ପଞ୍ଚାୟତ ନିର୍ବାଚନ ବନ୍ଦ କରିବା ଓଡ଼ିଶା ସରକାର ଏଥିପାଇଁ ସୁପ୍ରିମକୋର୍ଟରେ ଖୁବଶୀଘ୍ର ଓଡ଼ିଶା ସରକାର ଆବେଦନ କରିପାରନ୍ତି ବୋଲି ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି। ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର କହିଥିଲେ ଯେ ସୁପ୍ରିମକୋର୍ଟ ନୁହେଁ ଓଡ଼ିଶା ପାଖରେ କେବଳ ବିକଳ୍ପ ହେଉଛି କେନ୍ଦ୍ର ରାଜ୍ୟ ସରକାର ସୀମା ବିବାଦ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ନିକଟରେ ଆବେଦନ କରିପାରିବେ।

ତେବେ କାହିଁକି ଆନ୍ଧ୍ର ଆଡ଼େ ଢଳୁଛନ୍ତି କୋଟିଆବାସୀ? କଣ ଦେଉଛି ଆନ୍ଧ୍ର? ଓଡ଼ିଶାରୁ ମିଳୁଛି କଣ? ଏହାର ହିସାବ ଗୋଟି ଗୋଟି କରି ଗଣାଇ ଦେଇଛନ୍ତି ଖୋଦ୍ କୋଟିଆ ବାସିନ୍ଦା। ବିଭିନ୍ନ ଭତ୍ତା ବାବଦରେ ଓଡ଼ିଶା ୫ ଶହ ଟଙ୍କା ଦେଉଥିବା ବେଳେ ଆନ୍ଧ୍ରରୁ ମିଳୁଛି ୨୨୫୦ ଟଙ୍କା। ସ୍କୁଲରେ ନାଁ ଲେଖାଇଲେ ପିଲା ପିଛା ଆନ୍ଧ୍ର ୧୫ ହଜାର ଟଙ୍କା ଦେଉଥିବା ବେଳେ ଓଡ଼ିଶା କେବଳ ଯୁନିଫର୍ମ ମାଗଣାରେ ଦେଉଛି। ଏମିତିକି ଜଙ୍ଗଲ ଜମି ପଟ୍ଟା ଥିବା ବ୍ୟକ୍ତିଙ୍କୁ ୧୩ ହଜାର ୫ଶହ ଟଙ୍କାର ସହାୟତା ଆନ୍ଧ୍ର ଦେଉଛି।  ସେହିପରି ଓଡ଼ିଶାରେ ମୁଣ୍ଡପିଛା ୫ କିଲୋ ଲେଖାଏଁ ଚାଉଳ ମିଳୁଥିବା ବେଳେ ଆନ୍ଧ୍ର କୋଟାରେ ପରିବାର ପିଛା ୩୫ କିଲୋ ମିଳୁଛି। ତେଣୁ କୋଟିଆର ଅନେକ ଲୋକେ ଏଥିପ୍ରତି ଆକର୍ଷିତ ହେଉଛନ୍ତି। କୋରାପୁଟର ପୂର୍ବତନ ଜିଲ୍ଲାପାଳ କହିଛନ୍ତି, ଆନ୍ଧ୍ରର ଯୋଜନା ବାବଦରେ ଆଗୁଆ ଖବର ରଖି ଓଡ଼ିଶା ତାକୁ କାଉଣ୍ଟର କରିବା ଆବଶ୍ୟକ। ସେହିପରି ସୀମାନ୍ତ ଅଞ୍ଚଳ ପାଇଁ ସରକାର ସ୍ପେଶାଲ ପ୍ରୋଗ୍ରାମ ଜରିଆରେ ଫୋକସ୍ କରିବାକୁ ସମାଜସେବୀ ପରାମର୍ଶ ଦେଇଛନ୍ତି।

You might also like