ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା: ବଦଳିଲେ ଏସ୍‌ପି, ଏସ୍‌ଆଇଙ୍କ ସମେତ ୨ ନିଲମ୍ବିତ

ପୁରୀ: ପୁରୀ କେ.ରମେଶ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନୋଟିସ ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ପୁରୀ ଏସ୍‌ପି ଅଖିଳେଶ୍ୱର ସିଂହଙ୍କୁ ବଦଳି କରାଯାଇଛି। ପୋଲିସ ମୁଖ୍ୟାଳୟକୁ ଅଖିଳେଶ୍ୱର ସିଂହଙ୍କୁ ବଦଳି କରାଯାଇଥିବା ବେଳେ ସମ୍ବଲପୁର ଏସ୍‌ପି ଦାୟିତ୍ୱରେ ଥିବା କନଓ୍ୱର ବିଶାଲ ସିଂଙ୍କୁ ପୁରୀ ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଛି।

ସେହିପରି ପୁରୀ ବାସେଳିସାହି ଥାନା ଏସ୍‌ଆଇଙ୍କ ସମେତ ୨ କନଷ୍ଟେବଲ ମଧ୍ୟ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ଏସ୍‌ଆଇ ହେଲେ ବିପ୍ଲବ କୁମାର ପ୍ରଧାନ ଓ ଦୁଇ କନଷ୍ଟେବଲ ଜଗନ୍ନାଥ ସ୍ୱାଇଁ, ବାବୁଲି ବେହେରାଙ୍କୁ ନିଲମ୍ବିତ କରାଯାଇଛି। ଦୁର୍ବ୍ୟବହାର ଓ କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି।

ଅନ୍ୟପଟେ ବୀରମିତ୍ରପୁର IIC ସ୍ମୃତିପ୍ରଭା ପ୍ରଧାନଙ୍କ ମଧ୍ୟ ନିଲମ୍ବିତ କରାଯାଇଛି। ଦୁର୍ବ୍ୟବହାର ଓ କର୍ତ୍ତବ୍ୟରେ ଅବହେଳା ପାଇଁ ସ୍ମୃତିପ୍ରଭା ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି ଅଭୟ। ଏନେଇ ଓଡ଼ିଶା ପୋଲିସ ଟ୍ୱିଟ୍ କରି ସୂଚନା ଦେଇଛି।

ଏହା ପୂର୍ବରୁ ପୁରୀ କେ.ରମେଶ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ କରିଥିଲେ ଜାତୀୟ ମାନବାଧିକାର କମିଶନ। ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜିଙ୍କୁ NHRC ନୋଟିସ କରାଯାଇଥିଲା। ୪ ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମାନବାଧିକାର କମିଶନ।  ଆଜି ଏନେଇ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ମଣିପୁର ପ୍ରଭାରୀ ସମ୍ବିତ ପାତ୍ର। ତାଙ୍କ ଅପିଲକୁ NHRC ଅତ୍ୟନ୍ତ ଗମ୍ଭୀରତାର ସହ ନେବା ସହିତ ମାମଲାର ନିରପକ୍ଷ ତଦନ୍ତ ପ୍ରତିଶ୍ରୁତି ଦେଇଥିବା ସମ୍ବିତ କହିଥିଲେ। ଏହାର କିଛି ସମୟ ପରେ ରାଜ୍ୟ ସରକାରଙ୍କୁ ନୋଟିସ୍‌ କରିଥିଲେ ଜାତୀୟ ମାନବାଧିକାର କମିଶନ।

 

You might also like