କୋଭିଡ୍ କେୟାର ହୋମ୍‌ରେ ନିଯୁକ୍ତ ହେବେ ୭ ହଜାର ସ୍ୱାସ୍ଥ୍ୟ କର୍ମୀ; ଏପଟେ ପ୍ଲାଜ୍‌ମା ଥେରାପି ଆରମ୍ଭ

ଭୁବନେଶ୍ୱର: କୋଭିଡ୍ କେୟାର ହୋମ୍‌ରେ ନିଯୁକ୍ତ ହେବେ ସ୍ୱାସ୍ଥ୍ୟ କର୍ମୀ। ଆସନ୍ତା ୩ ମାସ ଲାଗି ଏହି ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ନିଯୁକ୍ତି ମିଳିବ। ରାଜ୍ୟର ୬ ହଜାର ୭୯୮ ପଞ୍ଚାୟତରେ ମୋଟ ୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯିବ।

ନିଯୁକ୍ତ ପାଇନଥିବା ତାଲିମପ୍ରାପ୍ତ ANM ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ନିଯୁକ୍ତି ମିଳିବ। ଫାର୍ମାସିଷ୍ଟ ଓ ଷ୍ଟାଫ୍ ନର୍ସଙ୍କୁ ଦୈନିକ ହଜାରେ ଟଙ୍କା ଲେଖାଏଁ ଓ ANMଙ୍କୁ ୮୫୦ ଟଙ୍କା ମିଳିବ।

ଅନ୍ୟପଟେ ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି। ଭୁବନେଶ୍ୱର ସମ୍, କିମ୍ସ ଓ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ପ୍ଲାଜମା ଥେରାପି କରାଯାଉଛି। କଟକ SCB ମେଡିକାଲ କଲେଜ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ଭାବେ କାର୍ଯ୍ୟ କରିବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୈନିକ ୭ ହଜାର ପରୀକ୍ଷଣ କରାଯାଉଥିବାବେଳେ ସପ୍ତାହେ ମଧ୍ୟରେ ଏହାକୁ ୯ ହଜାରକୁ ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଲୋକମାନେ ଯେପରି ସୁବିଧାରେ ଟେଷ୍ଟ କରିପାରିବେ, ସେଥିପାଇଁ ଘରୋଇ ଚିକିତ୍ସାଳୟକୁ ମଧ୍ୟ ଅନୁମତି ଦିଆଯିବ। ରାଜ୍ୟରେ ୫ଟି ଫୋକସ୍ ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଉଛି। ଏହି ୫ଟି ଜିଲ୍ଲା ହେଉଛି ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ ଓ ଖୋର୍ଦ୍ଧା।

 

You might also like