ତିନି ଦିନ ପରେ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିବେ ରାଜ୍ୟ ସରକାର

ହିତାଧିକାରୀ ଟାର୍ଗେଟ ପୂରଣ ହୋଇନଥିବାରୁ ଚିନ୍ତା

ମାଲକାନଗିରି  : ଗାନ୍ଧି ଜୟନ୍ତୀରୁ ଅାରମ୍ଭ ହେବ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ବା ଟଙ୍କିକିଅା ଚାଉଳ କାର୍ଯ୍ୟକ୍ରମ। ହେଲେ ତା ପୂର୍ବରୁ ଅଜବ ସ୍ଥିତି । କାରଣ ରାଜ୍ୟ ସରକାରଙ୍କ ହିତାଧିକାରୀ ଟାର୍ଗେଟ ପୂରଣ ହୋଇନଥିବା ବେଳେ ଅନେକ ସ୍ଥାନରେ ଯୋଗ୍ୟ ହିତାଧୀକାରୀ ବାଦ୍ ପଡିଛନ୍ତି ।

ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସରେ ରୁଣ୍ଡ ହୋଇଛନ୍ତି ଯୋଜନାରୁ ବାଦ୍ ପଡିଥିବା କିଛି ଯୋଗ୍ୟ ହିତାଧୀକାରୀ । ୪ ମାସ ତଳେ ଚିରିକୁଟି ପାଇଥିଲେ ମଧ୍ୟ ଯୋଜନାରେ ସାମିଲ ହୋଇନଥିବାରୁ ଜଣାଇବାକୁ ଅାସିଛନ୍ତି ଅଭିଯୋଗ । ଜିଲ୍ଲାର ୩୮ ହଜାର ୧୬୧ ହିତାଧିକାରୀ ଟାର୍ଗେଟ ଥିବା ବେଳେ ଏଯାଏଁ ସାମିଲ ହୋଇଛନ୍ତି ୨୭ ହଜାର ୭୮୦ ।

ମାଲକାନ୍‌ଗିରି ପରି କୋରାପୁଟ ଜିଲ୍ଲାରେ ମଧ୍ୟ ଟାର୍ଗେଟ ପୂରା କରିବାରେ ଫେଲ୍‌ ମାରିଛନ୍ତି ସରକାର । ଜିଲ୍ଲାର ୮୧ ହଜାର ହିତାଧୀକାରୀଙ୍କ ସ୍ଥାନରେ ଏଯାଏଁ ମିଳିଛନ୍ତି ୬୨ ହଜାର । କେବଳ ଏହି ଦୁଇ ଜିଲ୍ଲା ନୁହେଁ ଅଧିକାଂଶ ଜିଲ୍ଲାରେ ଟାର୍ଗେଟ ପୂରଣ କରିପାରିନାହାନ୍ତି ସରକାର।

ନିଜସ୍ୱ ଯୋଜନାରେ ୨୫ ଲକ୍ଷ ହିତାଧୀକାରୀଙ୍କୁ ସାମିଲ କରିବା ଲାଗି ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର।  ହେଲେ ବର୍ତ୍ତମାନ ସୁଦ୍ଧା ଯୋଗ୍ୟ ବିବେଚିତ ହୋଇଛନ୍ତି  ୧୫ ଲକ୍ଷ ୭୪ ହଜାର । ଏମାନେ ଗାନ୍ଧୀ ଜୟନ୍ତୀରେ ଟଙ୍କିକିଅା ଚାଉଳ ପାଇବେ, ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ଖାଦ୍ୟ ଯୋଗାଣ ବିଭାଗ ।

ତେବେ ଯୋଜନା ଲାଗୁ ହେବାକୁ ଅାଉ ମାତ୍ର ୩ ଦିନ ବାକି ଥିବା ବେଳେ ଅବଶିଷ୍ଟ ହିତାଧୀକାରୀ କେଉଁଠୁ ଅାଣିବେ ତାକୁ ନେଇ ଚିନ୍ତାରେ ସରକାର । ଟାର୍ଗେଟ ପୂରଣ ହେଉନଥିବାରୁ ପୂର୍ବରୁ ଅାବେଦନ ତାରିଖ ବଢ଼ାଯିବା ସହ ମାନଦଣ୍ଡ ବି ବଦଳାଯାଇଥିଲା। ସେପଟେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ବି ଅାଶ୍ଚର୍ଯ୍ୟ କଲା ଭଳି।

ଟାର୍ଗେଟ ଅନୁଯାୟୀ ହିତାଧିକାରୀ ମିଳୁନଥିବା ବେଳେ ରାଜ୍ୟ ସରକାରଙ୍କ ଯେଣତେଣ ପ୍ରକାରେ ଯୋଜନା ଲଞ୍ଚକୁ ନେଇ ଉଠିଛି ପ୍ରଶ୍ନବାଚୀ। ଚର୍ଚ୍ଚା ହେଉଛି, ନିର୍ବାଚନକୁ ଅାଖି ଅାଗରେ ରଖି ସରକାର ତରବରିଅା ହେଉଛନ୍ତି।

You might also like