୪ ମାସ ଭିତରେ ଜଙ୍ଗଲ ଜମିରୁ ଉଚ୍ଛେଦ ହେବେ ଦେଢ ଲକ୍ଷ ଅଧିବାସୀ

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଚିନ୍ତାରେ ସରକାର

ଭୁବନେଶ୍ୱର : ବେଆଇନ ଭାବେ ଜଙ୍ଗଲ ଜମିରେ ରହୁଥିବା ଆଦିବାସୀଙ୍କୁ ଉଚ୍ଛେଦ ପାଇଁ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଚିନ୍ତାରେ ରାଜ୍ୟ ସରକାର। ୪ ମାସ ଭିତରେ ପ୍ରାୟ ଦେଢ଼ଲକ୍ଷ ଆଦିବାସୀଙ୍କୁ ଉଚ୍ଛେଦ କରିବା ସହଜ ହେବନି ଜାଣି ସରକାର ଆଉ ଥରେ ପ୍ରକୃତ ହିତାଧିକାରୀଙ୍କୁ ବାଛି ପଟ୍ଟା ଦେବେ ବୋଲି କହିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି କହପାନୀ ଗାଁର ମିଲକୁ ପ୍ରଧାନ। ପୁରୁଷ ପୁରୁଷ ଧରି ପରିବାର ଧରି ମିଲକୁ ରହିଆସୁଛି ଏହି ସଂରକ୍ଷିତ ଜଙ୍ଗଲରେ। ୧୨ ବର୍ଷ ତଳେ ଜଙ୍ଗଲ ଜମି ଅଧିକାରରେ ପଟ୍ଟା ଖଣ୍ଡେ ପାଇଁ  ସେ ଆବେଦନ କରିଥିଲେ। ହେଲେ ପଟ୍ଟା ତ ମିଳିଲା ନାହିଁ ବରଂ ପଟ୍ଟା ନଥିବାରୁ ପିଲାଙ୍କ ପାଠପଢା ବି ଅଧାରେ ଅଟକି ଗଲା। ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଆବଶ୍ୟକ ସାର୍ଟିଫିକେଟ୍‌ ବାହାର କରିପାରିଲେ ନାହିଁ ମିଲକୁ।

କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍‌ କେରମିଟି ଗାଁର କାବେରୀ ଦୁରୁଆ। ଜଙ୍ଗଲରେ ରହୁଥିବା କାବେରୀଙ୍କ ପରିବାର ୩ ବର୍ଷ ତଳେ ଜମି ପଟ୍ଟା ପାଇଁ ଆବେଦନ କରି ଅପେକ୍ଷା କରିଛନ୍ତି, ହେଲେ ପଟ୍ଟାମିଳୁନି।

ଏପଟେ କିନ୍ତୁ ରାଜ୍ୟ ସରକାରଙ୍କ ଦାବି ହେଉଛି ଜଙ୍ଗଲ ଅଧିକାର ଆଇନରେ ପଟ୍ଟା ଦେବାରେ ଓଡ଼ିଶା ଦେଶରେ ଏକ ନମ୍ବର। ଆବେଦନ କରିଥିବା ମୋଟ ୫ ଲକ୍ଷ ୮୦ ହଜାର ଲୋକଙ୍କ ମଧ୍ୟରୁ ପଟ୍ଟା ମିଳିଛି ୪ ଲକ୍ଷ ୨୨ ହଜାର ଲୋକଙ୍କୁ। ତେବେ ବଡ଼କଥା ହେଉଛି ୧ ଲକ୍ଷ ୪୮ ହଜାର ଲୋକଙ୍କ ଆବେଦନ ନାକଚ ହୋଇଯାଇଛି।

କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ଜିଲ୍ଲା ସୁନ୍ଦରଗଡ଼ରେ ରହିଛି ସବୁଠୁ ଅଧିକ ୧୬ ହଜାର ୮୬୪ଟି ଅଗ୍ରାହ୍ୟ ଆବେଦନ। ତେବେ ୪ ମାସ ଭିତରେ ବେଆଇନ୍ ଭାବେ ବିନା ପଟ୍ଟାରେ ଜଙ୍ଗଲ ଜମିରେ ରହୁଥିବା ଆଦିବାସୀଙ୍କୁ ଉଚ୍ଛେଦ ପାଇଁ ସୁପ୍ରିମ୍‌କୋର୍ଟ ଦେଇଥିବା ରାୟ ସରକାରଙ୍କ ଚିନ୍ତା ବଢାଇଦେଇଛି।

ଆବେଦନ ଅଗ୍ରାହ୍ୟ କରିବା ସରକାରଙ୍କ ଆଦିବାସୀ ବିରୋଧୀ ନୀତି ବୋଲି ଅଭିଯୋଗ ଆଣିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ।

ଏପଟେ ପଛୁଆ ଅଂଚଳରେ ରାଜ୍ୟପାଳଙ୍କ କ୍ଷମତାକୁ ସଙ୍କୁଚିତ କରାଯାଉଥିବା ଅଭିଯୋଗରେ ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଛି ବିଜେପି। ଦଳର ଅଭିଯୋଗ ସମ୍ବିଧାନର ୫ ଅନୁଚ୍ଛେଦକୁ ଉଲ୍ଲଘଂନ କରି ରାଜ୍ୟ ସରକାର ଆସନ୍ତା କାଲି କିଛି ଜିଲ୍ଲାରେ ସ୍ପେଶାଲ ଡେଭଲପେମେଣ୍ଟ କାଉନସିଲର ବୈଠକ ରଖିଛନ୍ତି। ଏଥିପାଇଁ କଛି ପ୍ରଶାସନିକ ଅଧିକାରୀଙ୍କୁ ଦାୟୀ କରିଛି ଦଳ।

You might also like