ପ୍ରବାସୀ ଓଡ଼ିଆ ନିଜ ଖର୍ଚ୍ଚରେ ସୁରତରୁ ଫେରିବା ପରେ ସରକାର ଆରମ୍ଭ କଲେ ଅପରେସନ୍ ଶୋଭାଯାତ୍ରା

ଭୁବନେଶ୍ୱର: ସୁରତରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ବସ୍‌ରେ ନିଜ ଖର୍ଚ୍ଚରେ ଘରକୁ ଫେରିବା ଆରମ୍ଭ କରିବା ପରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅପରେସନ୍ ଶୁଭାଯାତ୍ରା।

ଏହି କ୍ରମରେ ଗତକାଲି କେରଳର ଏର୍ଣ୍ଣାକୁଲମ୍‌ରୁ ଗୋଟିଏ ଟ୍ରେନ୍ ଓ ଆଜି ଗୁଜରାଟର ସୁରତରୁ ଅନ୍ୟ ଏକ ଟ୍ରେନ୍‌ରେ ପ୍ରବାସୀ ଓଡ଼ିଆମାନେ ଯାତ୍ରା ଆରମ୍ଭ କରିଛନ୍ତି। ସେପଟେ ରାଜସ୍ଥାନ କୋଟାରୁ ବି ଫେରିବାରେ ଲାଗିଛନ୍ତି ଛାତ୍ରଛାତ୍ରୀ। ଏଣେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ କଥା ହୋଇଛନ୍ତି।

କରୋନା ବିପତ୍ତି ବେଳେ ପ୍ରବାସୀଙ୍କ ଘର ବାହୁଡ଼ା କିଏ ଟ୍ରେନ୍‌ରେ ଫେରୁଛନ୍ତି ତ ଆଉ କିଏ ବସ୍‌ରେ। ଗତକାଲି କେରଳର ଏର୍ଣ୍ଣାକୁଲମ୍‌ରୁ ପ୍ରଥମ ଟ୍ରେନଟି ବାହାରିଥିବାବେଳେ ଆଜି ଅପରାହ୍ନରେ ଗୁଜରାଟ ସୁରତରୁ ବାହାରିଛି ଅନ୍ୟ ଏକ ଟ୍ରେନ୍। ଏହି ମିଶନ୍‌ର ନାଁ ରଖାଯାଇଛି ଅପରେସନ୍ ଶୁଭଯାତ୍ରା। ଏର୍ଣ୍ଣାକୁଲମ୍ ଛାଡ଼ିଥିବା ଟ୍ରେନ୍‌ରେ ରାଜ୍ୟର ୨୩ଟି ଜିଲ୍ଲାର ୧୧୫୦ ଜଣ ଯାତ୍ରୀ ଅଛନ୍ତି। ତା’ମଧ୍ୟରେ କନ୍ଧମାଳ ଜିଲ୍ଲାର ସର୍ବାଧିକ ୩୮୨ ଜଣ ଯାତ୍ରୀ ଅଛନ୍ତି।

ଦକ୍ଷିଣ ଓଡ଼ିଶା ଓ କନ୍ଧମାଳ ଜିଲ୍ଲାର ଯାତ୍ରୀମାନେ ବ୍ରହ୍ମପୁର ନିକଟ ଜଗନ୍ନାଥପୁର ଷ୍ଟେସନ୍ ଓ ଅନ୍ୟ ଯାତ୍ରୀମାନେ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍‌ରେ ଓହ୍ଲାଇବେ। ସେଠାରୁ ସେମାନଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ନିଜ ନିଜ ଜିଲ୍ଲାକୁ ପଠାଯିବାର ବ୍ୟବସ୍ଥା କରାଯାଇଛି।

ସେହିପରି ଆଜି ସୁରତ ଛାଡ଼ିଥିବା ଟ୍ରେନ୍‌ଟି ଜଗନ୍ନାଥପୁର ଷ୍ଟେସନ୍ ପର୍ଯ୍ୟନ୍ତ ଯାତ୍ରା କରିବ। ଏଥିରେ ଅଧିକାଂଶ ଯାତ୍ରୀ ଗଞ୍ଜାମ ଜିଲ୍ଲାର ଅଛନ୍ତି।

ଏପଟେ ବିଭିନ୍ନ ରାଜ୍ୟରୁ ବସ୍ ଯୋଗେ ଫେରିବାରେ ଲାଗିଛନ୍ତି ପ୍ରବାସୀ ଓଡ଼ିଆ। ତେବେ ସୁରତରୁ ଆଉ ୫୬ ଜଣଙ୍କୁ ଧରି ଗଂଜାମ ଫେରୁଥିବା ଏକ ବସ୍‌ରେ ସୁରମଣି ନାରାୟଣପୁର ଗାଁର ଜଣେ ବ୍ୟକ୍ତିଙ୍କ ଛତିଶଗଡ଼ ରାୟପୁର ନିକଟରେ ମୃତ୍ୟୁ ହୋଇଛି।

ସେପଟେ ସଡ଼କ ପଥରେ ଫେରୁଥିବା ଯାତ୍ରୀମାନଙ୍କର ୧୨ଟି ଏଣ୍ଟ୍ରି ପଏଣ୍ଟରେ କଡ଼ା ଯାଞ୍ଚ କରାଯାଉଛି। ଏସବୁ ଏଣ୍ଟ୍ରି ପଏଣ୍ଟ ହେଉଛି, ସୁନ୍ଦରଗଡ଼ର ବୀରମିତ୍ରପୁର, କେଉଁଝରର ଚମ୍ପୁଆ, କୋରାପୁଟର ଚାନ୍ଦିଲି ଏବଂ ସୁନକୀ, ଗଂଜାମର ଗିରିଶୋଳା, ମୟୁରଭଞ୍ଜର ଜାମଶୋଳା, ଝାରସୁଗୁଡ଼ାର କନକତୋରା, ରାୟଗଡ଼ାର କେରଡ଼ା, ନୂଆପଡ଼ାର ଖରିଆର ରୋଡ୍, ବାଲେଶ୍ୱରର ଲକ୍ଷ୍ମଣନାଥ, ବରଗଡ଼ର ଲୁହରାଚଟି ଏବଂ ମାଲକାନଗିରିର ମୋଟୁ। ଏସବୁ ସ୍ଥାନରେ ଏସ୍ଓପି ପାଳନ ପାଇଁ ସଂପୃକ୍ତ ଜିଲ୍ଲାପାଳ ଏବଂ ଏସ୍‌ପିମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ପ୍ରବାସୀ ଓଡ଼ିଆଙ୍କୁ ସୁବିଧାରେ ଘରକୁ ଫେରାଇ ଆଣିବା ଲାଗି ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍. ଜଗନମୋହନ ରେଡ୍ଡୀଙ୍କ ସହ ଭିଡିଓ କନ୍‌ଫେରନ୍ସିଂରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଉପସ୍ଥିତ ଥିଲେ।

ଏହାରି ଭିତରେ ରାଜସ୍ଥାନ କୋଟାରୁ ଆଜି ସକାଳେ ୪ଟି ବସ୍‌ରେ ରାଉରକେଲାର ୧୧୪ ଜଣ ଛାତ୍ରଛାତ୍ରୀ ପହଞ୍ଚିଥିବା ବେଳେ ଆଉ ୨ଟି ବସ୍‌ରେ କିଛି ପିଲା ଫେରୁଛନ୍ତି।

ଏପଟେ ପୁରୀରେ ରହିଯାଇଥିବା ୧୫ ଜଣ ପର୍ଯ୍ୟଟକ ଗୁଜରାଟ ଏବଂ ନବରଙ୍ଗପୁର ଖାତିଗୁଡ଼ା ନବୋଦୟ ସ୍କୁଲର ୨୧ ଛାତ୍ରଛାତ୍ରୀ ଏବଂ ୩ ଜଣ ଶିକ୍ଷକ ବିହାରକୁ ଫେରିଯାଇଛନ୍ତି।

You might also like