୧୦୦ ଡାକ୍ତରଙ୍କ ସହିତ ୫ ଜିଲ୍ଲାର ଅଧିକାରୀଙ୍କୁ ଗଞ୍ଜାମ ପଠାଇଲେ ସରକାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ କୋଭିଡ୍ ପରିଚାଳନା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। କୋଭିଡ୍ ପରିଚାଳନା ଲାଗି ବାହାର ଜିଲ୍ଲାର ୫ ଅଧିକାରୀଙ୍କୁ ଗଞ୍ଜାମକୁ ପଠାଯାଇଛି। ୪ ଜଣ ଉପଜିଲ୍ଲାପାଳ ଓ ଜଣେ ତହସିଲଦାରଙ୍କୁ ଗଞ୍ଜାମ ପଠାଇଛନ୍ତି ରାଜ୍ୟ ସରକାର। ବଲାଙ୍ଗିର, ବୌଦ୍ଧ, ଝାରସୁଗୁଡ଼ା ଓ କନ୍ଧମାଳ ଉପଜିଲ୍ଲାପାଳଙ୍କୁ ପଠାଯାଇ ଥିବା ବେଳେ ଲହୁଣୀପଡ଼ା ତହସିଲଦାରଙ୍କୁ ମଧ୍ୟ ଗଞ୍ଜାମ ପଠାଇନ୍ତି ସରକାର। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ୫ ଅଧିକାରୀ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତା ସହିତ ୧୦୦ ଜଣ AMO ଓ HMOଙ୍କୁ ମଧ୍ୟ ଗଞ୍ଜାମ ପଠାଯାଇଛି। ୧୬ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗଦେବା ଲାଗି ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

ଅନ୍ୟପଟେ ଦିନକୁ ଦିନ ବେକାବୁ ହେଉଛି ଗଞ୍ଜାମ ସ୍ଥିତି। ଜିଲ୍ଲାରେ ଆଜି ମଧ୍ୟ କରୋନା ଜଣଙ୍କର ମୁଣ୍ଡ ନେବା ସହ ୧୮୮ଙ୍କୁ ଆକ୍ରାନ୍ତ କରିଛି। ତେବେ ସ୍ଥିତି ହାତରୁ ଖସୁଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଆଜିଠୁ ବ୍ରହ୍ମପୁର ସହରକୁ ଚାରିଆଡୁ ସିଲ୍ କରି ଦେଇନ୍ତି। କିନ୍ତୁ ଜିଲ୍ଲାର ସହରାଞ୍ଚଳରେ ଲାଗିଥିବା ସଟ୍‌ଡାଉନ୍ କଟକଣାକୁ ୧୬ ତାରିଖ ଯାଏଁ ସାମାନ୍ୟ କୋହଳ କରାଯାଇଛି।

ରାଜ୍ୟରେ କରୋନାରେ ଯେତିକି ଲୋକଙ୍କୁ ଆକ୍ରାନ୍ତ କଲାଣି ତାର ୩୦ ପ୍ରତିଶତରୁ ଅଧିକ, ଏବଂ ଯେତିକି ଜୀବନ ନେଲାଣି ତାର ୫୯ ପ୍ରତିଶତରୁ ଅଧିକ କେବଳ ଏଇ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି।

ସଂକ୍ରମଣ ରୋକିବାକୁ ଆଜିଠୁ ପୂରା ସିଲ୍ ବ୍ରହ୍ମପୁର ମହାନଗର। ଫାଷ୍ଟଗେଟ୍, ଆମ୍ବପୁଆ, ଅନ୍ଧପସରା ଆଦି ସହରର ସବୁ ଏଣ୍ଟ୍ରି ପଏଣ୍ଟରେ କଡ଼ା ପ୍ରହରା  ସହିତ ଜୋରଦାର ଯାଞ୍ଚ ହେଉଛି। ବ୍ରହ୍ମପୁରକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଚାହୁଁଥିବା ବ୍ୟକ୍ତିର ଉତ୍ତରରେ ସନ୍ତୁଷ୍ଟ ନହେଲେ କାହାରିକି ବି ଛାଡୁନି ପୋଲିସ୍। ଫ୍ରଣ୍ଟଲାଇନ୍‌ରେ ରହି ତଦାରଖ କରୁଛନ୍ତି ଖୋଦ୍ ଏସ୍‌ପି।

ଆଗରୁ ପୂରା ଗଞ୍ଜାମ ଜିଲ୍ଲାର ସବୁ ସହରାଞ୍ଚଳକୁ ଚାରିଆଡୁ ସିଲ୍ କରିଥିଲା ପ୍ରଶାସନ। ତେବେ ୫ ଦିନର ସଟ୍‌ଡାଉନ୍ ପରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି ପାଇଁ ଆଜିଠୁ ୧୬ ତାରିଖ ଯାଏଁ ସକାଳ ୬ରୁ ଅପରାହ୍ନ ୪ଟା ଯାଏଁ କଟକଣାକୁ ଢିଲା କରାଯାଇଛି। ତେବେ ଆସିକା ସହରରେ କିନ୍ତୁ ସଟ୍‌ଡାଉନ୍ ଅବଧିକୁ ୧୯ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

 

 

You might also like