ଭୁବନେଶ୍ୱର: କରୋନା ଲକ୍ଡାଉନ୍ ବେଳେ ଦୋକାନ ଖୋଲିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ମାତ୍ର ଏଥିରେ ଦ୍ୱନ୍ଦ୍ୱ ଉପୁଜିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଳାୟ ପକ୍ଷରୁ ଆଜି ଟ୍ୱିଟ୍ କରାଯାଇ ସ୍ପଷ୍ଟୀକରଣ ଦିଆଯାଇଥିଲା।
ଅନ୍ୟପକ୍ଷରେ ଲକ୍ଡାଉନ୍ ବେଳେ ରାଜ୍ୟରେ ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଦୋକାନ ଖୋଲା ହେବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। ଏହାସହ କିଛି ସର୍ତ୍ତ ମଧ୍ୟ ରଖାଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି।
କେଉଁ ଦୋକାନ ଖୋଲା ରହିବ ?
- ଗ୍ରାମାଞ୍ଚଳରେ ଥିବା ସମସ୍ତ ଦୋକାନ ଖୋଲା ରହିବ।
- ସହରାଞ୍ଚଳରେ ଗୋଟିକିଆ ଦୋକାନ ତଥା ଆବସିକ କଲୋନୀରେ ଥିବା ଦୋକାନ ଖୋଲା ଯାଇ ପାରିବ
- ସହରାଞ୍ଚଳରେ ସାହି, ଗଳିରେ ଥିବା ଦୋକାନ ଖୋଲା ଯାଇପାରିବ
କେଉଁ ଦୋକାନ ଖୋଲା ରହିବ ନାହିଁ ?
- ମଲ୍ଟି ବ୍ରାଣ୍ଡ୍ କିମ୍ବା ସିଙ୍ଗଲ ବ୍ରାଣ୍ଡ୍ ମଲ୍ ଖୋଲା ଯାଇପାରିବନି
- ସହରାଞ୍ଚଳରେ କୌଣସି ମାର୍କେଟ୍ କଂପ୍ଲେକ୍ସ ଏବଂ ସପିଂ ମଲ୍ ଖୋଲି ପାରିବ ନାହିଁ
- ଗ୍ରାମାଞ୍ଚଳ ସୀମା ମଧ୍ୟରେ ଆସୁଥିବା କୌଣସି ସପିଂ ମଲ୍କୁ ବି ଖୋଲିବା ଲାଗି ଅନୁମତି ଦିଆଯାଇନାହିଁ
- ଦୋକାନରେ କେବଳ ୫୦ ପ୍ରତିଶତ କର୍ମଚାରୀ ହିଁ କାର୍ଯ୍ୟ କରିବେ
- ସାମାଜିକ ଦୂରତା ନିୟମ ପାଳନ କରିବେ।
- ମାସ୍କ ପିନ୍ଧିବା ବାଧ୍ୟତାମୂଳକ