ରାଜ୍ୟରେ ବେକାବୁ ହେଲାଣି କି ଆଇନଶୃଙ୍ଖଳା?

ଭୁବନେଶ୍ୱର: ରାଜ୍ୟରେ ବେକାବୁ ହେଲାଣି କି ଆଇନଶୃଙ୍ଖଳା? ବିଗିଡ଼ି ଗଲାଣି କି ଅପରାଧ ନିୟନ୍ତ୍ରଣର ହିସାବ କିତାବ? କାରଣ ପ୍ରଥମ ଥର ପାଇଁ ଯେଉଁବର୍ଷରେ କରୋନାର କଷ୍ଟ ସହ ଲୋକେ ଯୁଝୁଥିଲେ, ସେହି ବର୍ଷରେ ବି ଥମିନଥିଲା ନରହତ୍ୟା। ଦୈନିକ ଗଡୁଥିଲା ପ୍ରାୟ ୪ଟି ମୁଣ୍ଡ। ପ୍ରତିଦିନ ସାମ୍ନାକୁ ଆସୁଥିଲା ୮ ଦୁଷ୍କର୍ମ ମାମଲା। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ୨୦୨୦ର ଶ୍ୱେତପତ୍ର ରେକର୍ଡରେ ଦର୍ଶାଯାଇଛି ଏଭଳି ଉଦବେଗଜନକ ତଥ୍ୟ।

ଆଇନଶୃଙ୍ଖଳା ସ୍ଥିତି ଉପରେ ପ୍ରକାଶିତ ଶ୍ୱେତପତ୍ରରେ ଦର୍ଶାଯାଇଛି ଯେ, ବର୍ଷ ୨୦୨୦ରେ ସାମ୍ନାକୁ ଆସିଥିଲା ୨୯୮୪ଟି ଦୁଷ୍କର୍ମ ମାମଲା। ଅର୍ଥାତ ଦୈନିକ ୮ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା। ସେହିପରି ରୁଜୁ ହୋଇଥିଲା ୧୪୭୦ଟି ହତ୍ୟା ମାମଲା। ତାମଧ୍ୟରୁ ୧୩ ଶହ ୯୨ଟି ସତ୍ୟ ଓ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାତ୍ର ୬୯୪ଟି ମାମଲାର ଚାର୍ଜସିଟ୍ ଦାଖଲ କରାଯାଇଥିଲା। ୨୦୨୦ରେ ଯୌତୁକ ଜନିତ ନିର୍ଯାତନା ବି କିଛି କମ୍ ନଥିଲା। ୪, ୮୮ଟି ମାମଲା ରୁଜୁ ହୋଇଥିଲା। ଯୌତୁକ ଜନିତ ହତ୍ୟା ମାମଲା ଥିଲା ୩୨୦ ଓ ଯୌତୁକ ଜନିତ ଆତ୍ମହତ୍ୟା ମାମଲା ରୁଜୁ ହୋଇଥିଲା। ତଥାପି ଗୃହବିଭାଗ ଶ୍ୱେତପତ୍ରରେ ଦର୍ଶାଇଛି ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଶାନ୍ତିପୂର୍ଣ୍ଣ। ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ।

କେବଳ ହତ୍ୟା, ଦୁଷ୍କର୍ମ କିମ୍ବା ଯୌତୁକ ନିର୍ଯାତନା, ତାନୁହେଁ। ୧ ଲକ୍ଷ ୩୪ ହଜାର ୨୩୦ଟି ଧର୍ତ୍ତବ୍ୟ ଅପରାଧରୁ ୧ ଲକ୍ଷ ୨୯ ହଜାର ୩୦୫ଟି ସତ୍ୟ। ତାମଧ୍ୟରୁ ୯୩ ହଜାର ୨୨୯ଟିର ଚାର୍ଜସିଟ୍ ଦାଖଲ କରାଯାଇଥିବାବେଳେ ୨ହଜାର ୧୬୬ଟି ଲୁଣ୍ଠନ, ୧୦ ହଜାର ୪୧୨ଟି ଚୋରି, ୫ଶହ ୧୪ଟି ଡକାୟତି, ୪ ହଜାର ୫ଶହଟି ସିନ୍ଧିଚୋରୀ, ୨ ହଜାର ୫୯ଟି ଦଙ୍ଗା ଏବଂ ୩ ହଜାର ୫୨୪ଟି ପ୍ରତାରଣା ମାମଲା ରୁଜୁ ହୋଇଥିଲା।

ପୂର୍ବବର୍ଷର ଶ୍ୱେତପତ୍ରର ତଥ୍ୟ ଯଦି ଦେଖିବା ତେବେ ଦୁଷ୍କର୍ମ ହାର କ୍ରମାଗତ ବଢ଼ିଚାଲିଛି। ୨୦୧୮ରେ ୨ହଜାର ୫ଶହ ୨ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିଲା। ୨୦୨୦ ବେଳକୁ ଏହି ସଂଖ୍ୟା ବଢ଼ି ୨ ହଜାର ୯୮୪ଟିରେ ପହଞ୍ଚିଥିଲା। ଅର୍ଥାତ ୨ବର୍ଷ ମଧ୍ୟରେ ୪୮୨ଟି ଅଧିକ ଦୁଷ୍ମର୍ମ ଅଭିଯୋଗ ମାମଲା ସାମ୍ନାକୁ ଆସିଥିଲା। ତେବେ ସମୁଦାୟ ୨୯୮୪ଟି ମାମଲାରୁ ୨ ହଜାର ୯୦୭ଟି ସତ୍ୟ ବୋଲି ଶ୍ୱେତପତ୍ରରେ ଦର୍ଶାଯାଇଛି। ତେବେ ୨୦୫୪ଟି ମାମଲାରେ ହିଁ ଚାର୍ଜସିଟ୍ ଦାଖଲ କରାଯାଇଥିବା ଶ୍ୱେତପତ୍ରରେ ଦର୍ଶାଯାଇଛି। ଯାହାକୁ ନେଇ ମତ ରଖିଛନ୍ତି ବିଶେଷଜ୍ଞ।

ଶ୍ୱେତପତ୍ର କହୁଛି, ରାଜ୍ୟରେ କୌଣସି ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଘଟିନାହିଁ। କିନ୍ତୁ ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ବଲାଙ୍ଗିର, ବରଗଡ଼, ନବରଙ୍ଗପୁର ଓ ରାଉରକେଲା ପୋଲିସ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ସାମ୍ନାକୁ ଆସିଥିଲା।

ରିପୋର୍ଟ: ଗୌତମ ପଣ୍ଡା, ଆଲୋକ ମହାନ୍ତି, ହରିହର ଚାନ୍ଦ
You might also like