ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା କେତେ? ଏ ହିସାବ ରାଜ୍ୟ ସରକାରଙ୍କ ପାଖରେ ଅଛି ତ?

ପଛୁଆ ବର୍ଗର ସର୍ଭେ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ପଛୁଆ ବର୍ଗର ସର୍ଭେ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ଅବସ୍ଥା ସଂପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବା ପାଇଁ ପ୍ରସ୍ତୁତି ଜୋରସୋର ଚାଲିଛି। ଓବିସି କମିଶନର ନୂଆ ଅଫିସ୍ ଆଜିଠୁ କାର୍ଯ୍ୟକ୍ଷମ ହେବା ସହ କମିଶନର ଅଧ୍ୟକ୍ଷ ଆଜି ପ୍ରଥମ ବୈଠକ କରିଛନ୍ତି। ମେ ପହିଲାରୁ ସର୍ଭେ ଆରମ୍ଭ କରି ୧୧ ଜୁନରେ ଚୂଡାନ୍ତ ତଥ୍ୟ ପ୍ରକାଶ କରିବାକୁ ପ୍ରସ୍ତାବ ରହିଛି। ସେପଟେ ଭୋଟ୍ ପଲିଟିକ୍ସ ପାଇଁ ପଛୁଆ ବର୍ଗଙ୍କ ସର୍ଭେ କରାଯାଉଥିବା କହି ବିରୋଧୀ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି।

ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା କେତେ? ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଅବସ୍ଥା କଣ? ରାଜ୍ୟ ପଛୁଆ ବର୍ଗ କମିଶନ୍ ମାଧ୍ୟମରେ ଏହି ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏନେଇ ଗତ ୨୬ ତାରିଖରେ ପ୍ରକାଶ ପାଇଛି ବିଜ୍ଞପ୍ତି। ସେପଟେ ଆଜିଠୁ ଖୋଲିଛି ଓବିସି କମିଶନଙ୍କ ନୂଆ ଅଫିସ୍। କମିଶନ୍ ଅଧ୍ୟକ୍ଷ ଜଷ୍ଟିସ ରଘୁନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରଥମ ବୈଠକରେ ସର୍ଭେ ପାଇଁ ପ୍ରସ୍ତୁତ ହୋଇଛି ପୂରା ରୋଡ୍ ମ୍ୟାପ୍।

ପଛୁଆ ବର୍ଗରେ ସାମିଲ ହୋଇନଥିବା ଜାତିଙ୍କୁ ଚିହ୍ନଟ କରି ସେମାନଙ୍କୁ ତାଲିକାରେ ଯୋଡିବା ଏବଂ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିଥିବା ପଛୁଆ ବର୍ଗଙ୍କୁ ବାଦ୍ ଦେବା ଦିଗରେ କାମ କରିବ କମିଶନ୍। ଏହାସହ ପଛୁଆ ବର୍ଗଙ୍କ ବର୍ତ୍ତମାନର ସ୍ଥିତି ସଂପର୍କରେ ସର୍ଭେ କରାଯାଇ ପ୍ରସ୍ତୁତ କରାଯିବ ଡାଟାବେସ୍। ଏହି ପ୍ରକ୍ରିୟା ମେ’ରୁ ଆରମ୍ଭ ହୋଇ ଜୁନରେ ଶେଷ ହେବ। ମେ ପହିଲାରୁ ୨୦ ତାରିଖ ଯାଏଁ ଚାଲିବ ସର୍ଭେ। ଜୁନ୍ ପହିଲାରେ ପଛୁଆ ବର୍ଗଙ୍କ ପ୍ରଥମ ଚିଠା ତାଲିକା ପ୍ରକାଶ ପାଇବ ବୋଲି ସୂଚନା ରହିଛି। ଜୁନ୍ ୧ରୁ ୫ ପର୍ଯ୍ୟନ୍ତ  ଆପତ୍ତି, ଅଭିଯୋଗର ଶୁଣାଣି ହେବ। ୧୧ ଜୁନରେ ଚୂଡାନ୍ତ ତାଲିକା ପ୍ରକାଶ କରାଯିବାର ଯୋଜନା ରହିଛି।

ସର୍ଭେର ସବୁ ତଥ୍ୟ ଡିଜିଟାଇଜେସନ୍ କରାଯିବାକୁ ନିଷ୍ପତ୍ତି ହୋଇଛି। ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଖୁବଶୀଘ୍ର ସଚିବମାନଙ୍କୁ ନେଇ ବୈଠକ ହେବ। ତାହା ପରେ ଜିଲ୍ଲାପାଳମାନଙ୍କୁ ନେଇ ବୈଠକ ଓ ସର୍ଭେ ଫର୍ମ ଚୂଡାନ୍ତ ହେବା ସହ ଟ୍ରେନିଂ ଦିଆଯିବ। ତେବେ ନବୀନଙ୍କ ପଂଚମ ପାଳିରେ କାହିଁକି ମନେ ପଡିଲା ପଛୁଆ ବର୍ଗଙ୍କ କଥା? ପଛୁଆ ବର୍ଗଙ୍କ ଡାଟାବେସକୁ ନେଇ ସରକାର କେଉଁ କାର୍ଯ୍ୟରେ ଲଗାଇବେ? ଏହି ବର୍ଗର ଏକ ବଡ଼ ଭୋଟ୍ ବ୍ୟାଙ୍କ୍ ଥିବାରୁ ନିର୍ବାଚନ ସମୟରେ ପଛୁଆବର୍ଗ କାର୍ଡ ଖେଳି ନବୀନ କିଛି ଚକମା ଦେବାକୁ ଚକ୍କରରେ ଅଛନ୍ତି କି? ଏମିତି ଅନେକ ପ୍ରଶ୍ନ ଉଠିଛି। ସେପଟେ ପଛୁଆ ବର୍ଗଙ୍କ ଲାଗି ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇ ନଥିବାରୁ ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବା ବେଳେ କଂଗ୍ରେସ ବି ଭୋଟ୍ ପାଇଁ ହିଁ ଏହି ପ୍ରୟାସ ବୋଲି ଟାର୍ଗେଟ କରିଛି। ଆଉ ବିଜେଡି ମଧ୍ୟ ଜବାବ୍ ରଖିଛି।

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ଯେ, ରାଜ୍ୟ ସରକାର ସବୁବେଳେ ଭୋଟ ବ୍ୟାଙ୍କ ପଲିଟିକ୍ସ ହିଁ କରନ୍ତି। କେତେବେଳେ ମହିଳାଙ୍କୁ ନେଇ ତ ଆଉ କେତେବେଳେ ପଛୁଆ ବର୍ଗଙ୍କୁ ନେଇକି। ରାଜ୍ୟର ୨୭ ଭାଗ ଲୋକଙ୍କୁ ସଂରକ୍ଷଣ ଦିଆଯିବାର ବ୍ୟବସ୍ଥା ଥିବା ବେଳେ କଣ ପାଇଁ ରାଜ୍ୟ ସରକାର ଦେଇନାହାନ୍ତି ତାହାର ଉତ୍ତର ପ୍ରଥମେ ଦିଅନ୍ତୁ।

ସେପଟେ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ଆସନ୍ତା ଦିନରେ ପଂଚାୟତ ନିର୍ବାଚନ ରହିଛି। କେବଳ ତାହାକୁ ଆଖି ଆଗରେ ରଖି ଏପରି ଗଣନା ଆରମ୍ଭ କରିଛନ୍ତି। ଏହା ସଂପୂର୍ଣ୍ଣ ଭାବରେ ଜାତି ରାଜନୀତି। ଓଡ଼ିଶାରେ ଜାତି ରାଜନୀତିରେ କେହି ଉଧେଇ ନାହାନ୍ତି। କେବଳ ପଛୁଆ ବର୍ଗର ଭୋଟ ହାତେଇବା ଲାଗି ୨୨ ବର୍ଷ ପରେ ଏମାନଙ୍କ କଥା ମନେ ପଡିଛି ବୋଲି ତାରା କହିଛନ୍ତି।

ସେପଟେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ନେତା ଅମର ପ୍ରସାଦ ଶତପଥୀ। ସେ କହିଛନ୍ତି ଯେ, ଆମର ଆଇନଗତ ବ୍ୟବସ୍ଥା ରହିଛି। ଯେଉଁମାନେ ପଛୁଆ ବର୍ଗର ଲୋକ ସେମାନଙ୍କର ସଂରକ୍ଷଣ କରିବା ଲାଗି। ଏହା ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିବା ଶ୍ରୀ ଶତପଥୀ କହିଛନ୍ତି।

୨୦୨୧ ଜନଗଣନା ବେଳେ ଜାତିଭିତ୍ତିକ ଗଣନା କରିବାକୁ କେନ୍ଦ୍ର ନିକଟରେ ଦାବି କରିଥିଲେ ରାଜ୍ୟ ସରକାର। ହେଲେ କେନ୍ଦ୍ର ଏହାକୁ ଅଗ୍ରାହ୍ୟ କରିଦେଇଥିଲା। ଏବେ ରାଜ୍ୟ ସରକାର ନିଜ ଆଡୁ ପଛୁଆ ବର୍ଗଙ୍କ ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି।

ଭୁବନେଶ୍ୱରୁ ଅରିନ୍ଦମ ଦାଶ ଓ ହରିହର ଚାନ୍ଦଙ୍କ ରିପୋର୍ଟ

 

You might also like