ପୁଣି ଫେରିଲା ଆଇସୋଲେସନ୍: ବାହାର ରାଜ୍ୟରୁ ପ୍ରବାସୀ ଆସିଲେ ବୁଲିବା ମନା

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଲା ଆଇସୋଲେସନ୍ ପ୍ରକ୍ରିୟା। ୧୧ଟି ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ଲାଗି କଟକଣା ଲାଗୁ ହୋଇଛି।  ୧୧ ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କୁ ବାହାରେ ବୁଲିବା ମନା ହୋଇଛି। ପ୍ରବାସୀଙ୍କ ଲାଗି ୭ ଦିନ ହୋମ୍ ଆଇସୋଲେସନ୍ ବାଧ୍ୟତାମୂଳକ କରାଯାଇଛି। ପହଞ୍ଚିବା ପରେ ରେଳ ଷ୍ଟେସନ୍ ଓ ଏୟାରପୋର୍ଟରେ ସ୍କ୍ରିନିଂ ହେବ। ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଛତିଶଗଡ଼ରୁ ଫେରିଲେ ସ୍କ୍ରିନିଂ କରାଯିବ। ମଧ୍ୟପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବରୁ ଫେରିଲେ ସ୍କ୍ରିନିଂ କରାଯିବ। ସେହିପରି କର୍ଣ୍ଣାଟକ, ଦିଲ୍ଲୀ ଓ ଚଣ୍ଡୀଗଡ଼ର ଫେରନ୍ତାଙ୍କ ଲାଗି କଟକଣା ଲାଗୁ ହୋଇଛି।

ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷ, ଇଷ୍ଟକୋଷ୍ଟ ରେଲୱେ କର୍ତ୍ତୃପକ୍ଷଙ୍କୁ ଏନେଇ ଏକ ଜରୁରୀକାଳୀନ ଚିଠି ଲେଖିଛନ୍ତି। ଯେଉଁଥିରେ ଆହୁରି ଦର୍ଶାଯାଇଛି ଯେ, ହୋମ ଆଇସୋଲେସନ୍‌ରେ ରହିବା ସମୟରେ କାହାର ଲକ୍ଷଣ ଥିଲେ ତାଙ୍କର RTPCR ଟେଷ୍ଟ କରାଯିବ। ତାସହ କୋଭିଡ୍ ପ୍ରୋଟୋକଲ୍ ମୁତାବକ ଚିକିତ୍ସା କରାଯିବ।

ତେଣୁ ଏହି ୧୨ଟି ସ୍ଥାନରୁ ଓଡ଼ିଶା ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବା ସହ ବିମାନ ବନ୍ଦର ଏବଂ ରେଳଷ୍ଟେସନରେ ସ୍କ୍ରିନିଂ କରିବାକୁ କୁହାଯାଇଛି। ଲକ୍ଷଣ ଥିବା ଯାତ୍ରୀଙ୍କୁ ତୁରନ୍ତ ଆଣ୍ଟିଜେନ୍ ଟେଷ୍ଟ କରାଇବାକୁ ଚିଠି ଲେଖି ନିର୍ଦ୍ଦେଶନାମା ଜାରି କରିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ।

୧୨ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ଗତକାଲି ACS ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଥିଲେ। କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ACS ଚିଠି କରିଛନ୍ତି। ଦୁଇ ଏୟାରପୋର୍ଟ ନିର୍ଦ୍ଦେଶକ ଓ ପୂର୍ବତଟ GMଙ୍କୁ ମଧ୍ୟ ଚିଠି ଲେଖିଥିଲେ।

ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଜାମ୍ମୁ ଓ କାଶ୍ମୀର , ଏହି ୧୦ ରାଜ୍ୟରେ ପୁଣି ନିୟନ୍ତ୍ରଣ ବାହାରକୁ କରୋନା ଯାଇପାରେ। ସଂକ୍ରମଣ ରୋକିବାକୁ ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍ ନିୟୋଜିତ ହୋଇଛି। ଇତି ମଧ୍ୟରେ କରୋନା ଯୋଗୁଁ ମାର୍ଚ୍ଚ ମାସ ପାଇଁ କେନ୍ଦ୍ର ଗାଇଡଲାଇନ ଜାରି କରିଛି

  • କଣ୍ଟେନମେଣ୍ଟ, ସର୍ଭେଲାନ୍ସ ପାଇଁ ଥିବା ନିୟମ ମାସେ ବଢ଼ିଲା।
  • ନିୟମ କଡ଼ାକଡ଼ି ପାଳନ ପାଇଁ ସବୁ ରାଜ୍ୟ ଓ ୟୁଟିକୁ କେନ୍ଦ୍ରର ନିର୍ଦ୍ଦେଶ।
  • ମହାମାରୀକୁ ସଂପୂର୍ଣ୍ଣ ଦୂରେଇବା ପାଇଁ ନିୟମ କଡ଼ାକଡ଼ିକୁ ଗୁରୁତ୍ୱ।
  • କରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ସହ ଟିକାକରଣ ବୃଦ୍ଧି ପାଇଁ ନିର୍ଦ୍ଦେଶ।

ଦୈନିକ ଚିହ୍ନଟ ହେଉଥିବା କରୋନା ରୋଗୀଙ୍କ ତାଲିକା ଦେଖିଲେ ଭାରତର ସ୍ଥାନ ବିଶ୍ୱରେ ୪ର୍ଥରେ ରହିଛି। ଏକ ସପ୍ତାହ ପୂର୍ବରୁ ଟପ୍‌-୧୦ ଦେଶ ତାଲିକାରେ ଭାରତ ୧୦ମ ସ୍ଥାନରେ ଥିଲା। ମାତ୍ର ଚଳିତ ସପ୍ତାହରେ ଦେଶରେ ଏତେମାତ୍ରାରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ଯଦ୍ୱାରା ଭାରତ ସ୍ଥାନ ଉପରକୁ ଉଠିଛି। ଦୈନିକ ଭାରତରେ ୧୩ ହଜାରରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି।

You might also like