ଭୂମିହୀନ ଚାଷୀଙ୍କ ପାଇଁ ଆରମ୍ଭ ହେବ ‘ବଳରାମ’ ଯୋଜନା

ଭୁବନେଶ୍ୱର: ରାଜ୍ୟର ଭୂମିହୀନ ଚାଷୀଙ୍କ ପାଇଁ ଆରମ୍ଭ ହେବ ‘ବଳରାମ’ ଯୋଜନା। ବଳରାମ ଯୋଜନା ମାଧ୍ୟମରେ ଭୂମିହୀନ ଚାଷୀଙ୍କୁ ଋଣ ଯୋଗାଇ ଦିଆଯିବ। ଏହି ଯୋଜନା ମାଧ୍ୟମରେ ପ୍ରାୟ ୧୦୪୦ କୋଟି ଟଙ୍କାର ଋଣ ଯୋଗାଣ ଲକ୍ଷ୍ୟ ରଖାଯାଇଛି। ଜଏଣ୍ଟ ଲିଆବିଲିଟି ଗ୍ରୁପ ମାଧ୍ୟମରେ ଏହି ଋଣ ଯୋଗାଇ ଦିଆଯିବ। ପ୍ରାୟ ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ ଋଣ ଯୋଗାଣର ବ୍ୟବସ୍ଥା ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଜି ଏନେଇ ନିଷ୍ପତ୍ତି ହୋଇଛି।

ରାଜ୍ୟ ସ୍ତରରେ ‘ଇମେଜ୍’ ଓ ଜିଲ୍ଲାସ୍ତରରେ ‘ଆତ୍ମା’ କାର୍ଯ୍ୟକ୍ରମର ସଂଯୋଜନା କରିବେ। ଚଳିତବର୍ଷ ସର୍ବନିମ୍ନ ୧୦ଟି ଜଏଣ୍ଟ ଲିଆବିଲିଟ୍ ଗ୍ରୁପ୍‌କୁ ଋଣ ଦେବାକୁ ଯୋଜନା କରାଯାଇଛି। ଏହାଦ୍ୱାରା ପ୍ରାୟ ୭୦ ହଜାର ଗ୍ରୁପ ଚଳିତବର୍ଷ କୃଷି ଋଣ ପାଇପାରିବେ।

ପ୍ରତି ଗ୍ରୁପ୍‌ରେ ୫ ଚାଷୀ ହିସାବରେ ବର୍ଷକୁ ସାଢ଼େ ୩ ଲକ୍ଷ ଚାଷୀ ଉପକୃତ ହେବେ। ୨ ବର୍ଷରେ ୭ ଲକ୍ଷ ଭୂମିହୀନ ଚାଷୀ ବଳରାମ ଯୋଜନାରେ ଋଣ ପାଇବେ ବୋଲି ନିଷ୍ପତ୍ତି ହୋଇଛି। ପ୍ରତି ଗ୍ରୁପକୁ ଲକ୍ଷେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି।

You might also like