୨୦ ବର୍ଷ ପରେ ମନେ ପଡ଼ିଲା ପଛୁଆ ବର୍ଗଙ୍କ କଥା ?

ଭୁବନେଶ୍ୱର: ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା କେତେ? ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଅବସ୍ଥା କଣ? ରାଜ୍ୟ ପଛୁଆ ବର୍ଗ କମିଶନ୍ ମାଧ୍ୟମରେ ଏହି ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି ଓଡ଼ିଶା ସରକାର ପ୍ରାୟ ବର୍ଷକ ତଳେ ପଛୁଆ ବର୍ଗ କମିଶନ୍ ଅଧ୍ୟକ୍ଷ ଓ ୩ ସଦସ୍ୟଙ୍କ ନାଁ ଘୋଷଣା କରାଯାଇଥିଲା। ଗତବର୍ଷ ଫେବ୍ରୁଆରୀରେ ଓଡିଶା ପଛୁଆ ବର୍ଗ କମିଶନ୍ ସଂଶୋଧନ ବିଲ୍ ବି ବିଧାନସଭାରେ ପାରିତ ହୋଇଥିଲା। ତେବେ କମିଶନ୍ କାର୍ଯ୍ୟକ୍ଷମ ହୋଇପାରିନଥିଲା।

ଆଜି ବିଧିବଦ୍ଧ ଭାବେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ୍ ବା OSCBC କାର୍ଯ୍ୟ ଆରମ୍ଭ କରିଛି। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁନାଥ ବିଶ୍ୱାଳ କମିଶନ୍‌ର ଅଧ୍ୟକ୍ଷ ଏବଂ ନବନୀତା ରଥ, ମିତାଲି ଚିନ୍ନାରା ଓ ପ୍ରସନ୍ନ କୁମାର ପାତ୍ର ସଦସ୍ୟ ଭାବେ ଯୋଗ ଦେଇଛନ୍ତି। ପଛୁଆ ବର୍ଗରେ ସାମିଲ ହୋଇନଥିବା ଜାତିଙ୍କୁ ଚିହ୍ନଟ କରି ସେମାନଙ୍କୁ ତାଲିକାରେ ଯୋଡ଼ିବା ଏବଂ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଉନ୍ନତି କରିଥିବା ପଛୁଆ ବର୍ଗଙ୍କୁ ବାଦ୍ ଦେବା ଦିଗରେ କାମ କରିବ କମିଶନ୍। ଏହାସହ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ବର୍ତ୍ତମାନର ସ୍ଥିତି କଣ ସେନେଇ ସର୍ଭେ କରାଯାଇ ଏକ ଡାଟାବେସ୍ ପ୍ରସ୍ତୁତ କରାଯିବ।

 ରାଜ୍ୟରେ ପଛୁଆବର୍ଗଙ୍କୁ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ ତ୍ୱରାନିତ ହେବ। ଯଦି କୌଣସି ଜାତିର ଲୋକ ଓବିସି ବର୍ଗକୁ ଆସିବା ପାଇଁ ଚାହିଁବେ ସେମାନେ ଆସି ପାରିବେ। ତାସହ କୌଣସି ଓବିସି ବର୍ଗରେ ଥାଇ ଯଦି ସାମାଜିକ ଓ ଆର୍ଥିକ ସ୍ତରରେ ସ୍ୱଚ୍ଛଳ ଥାନ୍ତି, ତାହାଲେ ସେମାନେ ମଧ୍ୟ ସେମାନଙ୍କ ନାଁ ଓବିସି ତାଲିକାରୁ ହଟାଇ ପାରିବେ। ରାଜ୍ୟରେ କେତେ ଓବିସି ଅଛନ୍ତି ତାର ଏକ ଡାଟା ପ୍ରସ୍ତୁତ ହେବ।
– ଜଷ୍ଟିସ ରଘୁନାଥ ବିଶ୍ୱାଳ, ଅଧ୍ୟକ୍ଷ, OSCBC

ତେବେ ନବୀନଙ୍କ ପଞ୍ଚମ ପାଳିରେ କାହିଁକି ମନେ ପଡିଲା ପଛୁଆ ବର୍ଗଙ୍କ କଥା? ଓବିସି ଡାଟାବେସ୍‌କୁ ନେଇ ସରକାର କଣ କରିବେ? କୁହାଯାଉଛି ପଛୁଆ ବର୍ଗଙ୍କ ପାଇଁ ସରକାରଙ୍କ ପାଖରେ ସିଧାସଳଖ ସେମିତି କୌଣସି ସ୍କିମ୍ ନାହିଁ। ତେବେ ଏହି ବର୍ଗର ବୃହତ୍ ଭୋଟ୍ ବ୍ୟାଙ୍କ ଥିବାରୁ ତାକୁ ହାତରେ ରଖିବା ପାଇଁ ଏସବୁ କସରତ୍ ବୋଲି ଚର୍ଚ୍ଚା ହେଉଛି। ସେପଟେ ପଛୁଆ ବର୍ଗଙ୍କ ଲାଗି ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିନଥିବାରୁ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ତିନିଥର ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର। କଂଗ୍ରେସ୍ ଏହାକୁ ଡ୍ରାମା ବୋଲି କହିଥିବାବେଳେ ବିଜେଡି ଏହାର ଜବାବ୍ ରଖିଛି।

ଲୋକଙ୍କ ସାମାଜିକ ଓ ଅର୍ଥନୀତି ସ୍ଥିତିକୁ ଦେଖିକି ଚାକିରିରେ ଓ ଶିକ୍ଷାନୁଷ୍ଠାନରେ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଇଆସୁଛି। ଆମ ରାଜ୍ୟ ଓଡ଼ିଶାରେ ସଂରକ୍ଷଣ ନେଇ ଯୁବପିଢିକୁ ବଞ୍ଚିତ କରାଯାଉଛି। ରାଜ୍ୟ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଛି। କାଳେ ମୋଦି ନାଁ ନେଇ ନେଯିବେ, ଏକଥା ଡ଼ରରେ ନରହିକି ରାଜ୍ୟ ସରକାର ଏହାକୁ ପାଳନ କରନ୍ତୁ।
-ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ
ବହୁ ଦିନ ହେଲାଣି ଆମେ ଦେଖି ଆସୁଛୁ, ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖୁଛନ୍ତି, ପୁଣି କେନ୍ଦ୍ରମନ୍ତ୍ରୀ ନବୀନଙ୍କୁ ଚିଠି ଲେଖୁଛନ୍ତି। ଏଇଟା ହେଉଛି ଚିଠି ଲେଖା ରାଜନୀତି, ଆନ୍ତରିକତା କେତେ ଅଛି ମୁଁ କହିପାରିବି ନାହିଁ।
-ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି
ତାମିଲନାଡୁରେ ଯଦି ୬୫ ପ୍ରତିଶତ ସଂରକ୍ଷଣ ମିଳୁଛି, ଅନ୍ୟ ରାଜ୍ୟମାନଙ୍କରେ ମିଳୁନାହିଁ। ଭାରତବର୍ଷରେ ସଂରକ୍ଷଣକୁ ନେଇ ଅସଂଗତି ରହିଛି। କିନ୍ତୁ ଜାତିକୁ ନେଇ କେବେ ରାଜନୀତି ହୋଇନାହିଁ।
– ଭର୍ତ୍ତୃହରି ମହତାବ, ବିଜେଡି ସାଂସଦ

୨୦୨୧ ଜନଗଣନା ବେଳେ ଜାତିଭିତ୍ତିକ ଗଣନା କରିବାକୁ କେନ୍ଦ୍ର ପାଖରେ ଦାବି କରିଥିଲେ ରାଜ୍ୟ ସରକାର କିନ୍ତୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ସଂସଦରେ ଉତ୍ତର ରଖି ସ୍ୱତନ୍ତ୍ର ଭାବେ OBC ଗଣନା ହେବ ନାହିଁ ବୋଲି କହିଥିଲେ। ତେଣୁ ରାଜ୍ୟ ସରକାର ନିଜସ୍ତରରେ ପଛୁଆ ବର୍ଗଙ୍କ ଡାଟାବେସ୍ ପ୍ରସ୍ତୁତ କରିବାକୁ ଯୋଜନା କରିଛନ୍ତି।

You might also like