କୋଭିଡ୍ ଟିକାକରଣ ପାଇଁ ଗାଇଡ୍ଲାଇନ୍ସ ଜାରି କଲେ ରାଜ୍ୟ ସରକାର
ଭୁବନେଶ୍ୱର: ଜାନୁଆରୀ ୧୬ ତାରିଖରେ କୋଭିଡ୍ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାର ଗାଇଡ୍ଲାଇନ୍ସ ଜାରି କରିଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡ୍ଲାଇନ୍ସ ଅନୁସାରେ, ଭାଏଲ୍ ଖୋଲିବାର ୪ ଘଣ୍ଟା ମଧ୍ୟରେ ଏହାର ବ୍ୟବହାର ଜରୁରୀ। ଭାଏଲ୍ରେ ଉତ୍ପାଦନର ଦିନ ଲେଖାଯାଇଛି। କିନ୍ତୁ ଏକ୍ସପାଏରି ଡେଟ୍ ଲେଖା ଯାଇନାହିଁ। ଉତ୍ପାଦନର ୬ ମାସ ଯାଏ ଦୁଇ କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନ୍ ଭାଲିଡିଟି ରହିବ। ରାଜ୍ୟକୁ ଏହି ଦୁଇଟି ଯାକ ଟିକା ଆସିଛି।
କୋଭିସିଲ୍ଡ ଭାଏଲ ୧୦ ଡୋଜ୍ ବିଶିଷ୍ଟ ହୋଇଥିବା ବେଳେ କୋଭାକ୍ସିନ ଭାଏଲ ୨୦ ଡୋଜ୍ ବିଶିଷ୍ଟ। ଯେତେ ଟିକା ଆସିଛି, ତାର ୫୦ ପ୍ରତିଶତ ପ୍ରଥମ ଡୋଜ୍ ଭାବେ ବ୍ୟବହାର ହେବ। ବାକି ୫୦ ପ୍ରତିଶତ ଦ୍ୱିତୀୟ ଡୋଜ୍ ଭାବେ ବ୍ୟବହାର କରାଯିବ। ସମସ୍ତ ଲୋକ ଏକ ନିର୍ଦ୍ଦିଷ୍ଟ ଟିକା ହିଁ ନେବେ। ଏହାକୁ ବଦଳ କରାଯାଇ ପାରିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ଗାଇଡ୍ଲାଇନ୍ସରେ ଦର୍ଶାଇଛି। ଏ ସଂପର୍କରେ ସବୁ ଜିଲ୍ଲାପାଳ ଓ ମହାନଗର ନିଗମକୁ ମଧ୍ୟ ଚିଠି ଲେଖାଯାଇଛି।
ଅନ୍ୟପକ୍ଷରେ, ରାଜ୍ୟରେ କରୋନା ଟିକା ପହଞ୍ଚିବା ପରେ ପ୍ରତି ଜିଲ୍ଲାକୁ ଏହାକୁ ପଠାଯାଉଛି। ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ ପହଞ୍ଚୁଛି ଟିକା। ଗତକାଲି ବାଲେଶ୍ୱର, ଖୋର୍ଦ୍ଧା, ଗଞ୍ଜାମ, କେନ୍ଦ୍ରାପଡ଼ା,ସମ୍ବଲପୁର, ଭଦ୍ରକ, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଟିକା ପହଞ୍ଚି ସାରିଛି।
ବାଲେଶ୍ୱରରେ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ରଖାଯାଇଛି ଟିକା। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୮୪୦ ସିସି ଭାକ୍ସିନ୍ ଆସିଛି। ସେହିପରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଟିକା ସଂରକ୍ଷଣ କେନ୍ଦ୍ରରେ ପହଞ୍ଚିଛି କରୋନା ଟିକା। ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାକୁ ଯାଇଛି ୬ ହଜାର ୧୫୦ ଡୋଜ୍। ଆସନ୍ତା ୧୬ ତାରିଖରେ ଜିଲ୍ଲାର ୫ଟି କେନ୍ଦ୍ରରେ ଟିକାକରଣ କରାଯିବ। ଦିନେ କରୋନା ହଟ୍ସ୍ପଟ୍ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ ମଧ୍ୟ ପହଞ୍ଚିଛି କୋଭିଡ୍ ଭାକ୍ସିନ୍। ଗଞ୍ଜାମ ସିଡିଏମ୍ଓଙ୍କ କାର୍ଯ୍ୟାଳୟରେ ଥିବା ଟିକା ଗୃହରେ ଭାକ୍ସିନ୍ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୧୬ ହଜାର ୮୦୦ ଟିକା ଆସିଥିବା ଜିଲ୍ଲାପାଳ କହିଛନ୍ତି।
ସେହିପରି ଭୁବନେଶ୍ୱରରୁ ସ୍ୱତନ୍ତ୍ର ଭ୍ୟାନ୍ ଯୋଗେ କେନ୍ଦ୍ରାପଡ଼ାରେ ପହଞ୍ଚିଛି ଟିକା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ହୋଇଥିବା ଟିକା ସଂରକ୍ଷଣ କେନ୍ଦ୍ରରେ ଭାକ୍ସିନ୍ ରଖାଯାଇଛି।