ଆନ୍ଧ୍ର ପକ୍ଷରୁ ଏବେ ନୁହେଁ, ପୂର୍ବରୁ ବି ନିର୍ବାଚନ ହେଉଛି: ରାଜାନ୍ନା

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ବିଧାୟକ ରାଜାନ୍ନା ଦୋରା ପ୍ରତିକ୍ରିୟା ରଖିଛନ୍ତି। OTVକୁ ଆନ୍ଧ୍ରପ୍ରଦେଶ ସାଲୁର ବିଧାୟକ ରାଜାନ୍ନା ଦୋରା କହିଛନ୍ତି ଯେ ସଂପୃକ୍ତ ଅଞ୍ଚଳରେ ବିବାଦ ରହିଛି। ଏଇ ମାମଲା ସୁପ୍ରିମକୋର୍ଟ ବି ଯାଇଛି। ସୁପ୍ରିମକୋର୍ଟ ସେ ସଂପର୍କରେ ସ୍ଥିତାବସ୍ଥା ଜାରି କରିଛନ୍ତି। ସେଠାରେ ଆନ୍ଧ୍ର ପକ୍ଷରୁ ଏବେ ନୁହେଁ, ପୂର୍ବରୁ ବି ନିର୍ବାଚନ ହେଉଛି। ସୁପ୍ରିମକୋର୍ଟକୁ ମାମଲା ଯିବା ବେଳକୁ ସେଠାରେ ନିର୍ବାଚନ କରୁଥିଲୁ। ସୁପ୍ରିମକୋର୍ଟ ସ୍ଥିତାବସ୍ଥା ଜାରି କରିଥିବାରୁ ନିର୍ବାଚନ ହୋଇପାରିବ। ଓଡ଼ିଶା ସରକାର ଆନ୍ଧ୍ରର ଅଧିକାର ଛଡ଼ାଇବାକୁ ଚେଷ୍ଟା କରୁଛି ବୋଲି ରାଜାନ୍ନା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବସାଇ ଆନ୍ଧ୍ର ରାଜ୍ୟପାଳ ଆଲୋଚନା କରନ୍ତୁ। ଉଭୟ ମୁଖ୍ୟମନ୍ତ୍ରୀ ଏକାଠି ବସି ମାମଲାର ସମାଧାନ କରିବା ଉଚିତ। ସେଠାକାର ଅଧିବାସୀ ବହୁତ ଭାଗ୍ୟବାନ। ସେମାନେ ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ପକ୍ଷରୁ ସୁବିଧା ପାଉଛନ୍ତି ବୋଲି ରାଜାନ୍ନା କହିଛନ୍ତି।

ସେପଟେ କୋଟିଆରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ହେଉଥିବା ପଞ୍ଚାୟତ ନିର୍ବାଚନକୁ ନେଇ ହାଇକୋର୍ଟରେ ଭାରତୀୟ ବିକାଶ ପରିଷଦ ଜନସ୍ୱାର୍ଥ ମାମଲା ଦାୟର କରିଛି। ସୀମା ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଏଥିରେ ନିବେଦନ କରାଯାଇଛି। ଆନ୍ଧ୍ର କରୁଥିବା ନିର୍ବାଚନ ବନ୍ଦ କରିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାପାଇଁ ବିକାଶ ପରିଷଦ ଆବେଦନ କରିଛି। ଏଥିରେ ଗୃହ ଓ ରାଜସ୍ୱ ସଚିବ ତଥା ତିନି ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଏଠାରେ ଥିବା ପାହାଡ଼କୁ ସ୍ଥାନୀୟ ଲୋକେ ସୁନା ପାହାଡ଼ ବୋଲି କହନ୍ତି। ସେମାନଙ୍କ କହିବାନୁସାରେ ବହୁମୂଲ୍ୟ ପଥରା ବୈଦୁର୍ଯ୍ୟ ସାଙ୍ଗକୁ କ୍ୟାଟ୍ସ-ଆଇ ଭଳି ମୂଲ୍ୟବାନ ରତ୍ନପଥର ଭରି ରହିଛି। ଏପରିକି ସୁନା, ରୁପା ଭଳି ମୂଲ୍ୟବାନ ଧାତୁ ଥିବା ବି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି। କୋଟିଆ ସମେତ ରାଲେଗାଡ଼ା, ନୂଆଗାଁ ଆଦି ଅଞ୍ଚଳରେ ୮ରୁ ୧୦ ପ୍ରକାରର ମୂଲ୍ୟବାନ ଖଣିଜ ସମ୍ପଦ ଥିବା ଲୋକେ କହିଛନ୍ତି। ସେସବୁକୁ ଲୁଟିବା ପାଇଁ ଆନ୍ଧ୍ର ଏଭଳି ମସୁଧା ଚଳାଇଥିବା ଅଭିଯୋଗ ହେଉଛି।

You might also like